ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି (ଆପ୍)ର ସମସ୍ତ ନେତା ନାମାଙ୍କନ ଦାଖଲ କରି ସାରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁସାରେ ଆପର ଟପ-୧୦ ନେତାଙ୍କ ମଧ୍ୟରୁ ୭ ଜଣ କରଜରେ ବୁଡ଼ି ରହିଛନ୍ତି। ତେବେ ଆପ ନେତା ସତ୍ୟେନ୍ଦ୍ର ଜୈନ ୧୩ କୋଟି ଟଙ୍କା କରଜରେ ରହିଛନ୍ତି। ସେହିପରି ମନୀଷ ସିସୋଦିଆଙ୍କ ୧.୫ କୋଟି ଓ ଅବଧ ଓଝାଙ୍କ ଉପରେ ୧ କୋଟି ଟଙ୍କାର କରଜ ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଆତିଶୀ, ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ମନ୍ତ୍ରୀ ଗୋପାଳ ରାୟଙ୍କ ଉପରେ କୌଣସି କରଜ ନାହିଁ।
ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆଙ୍କ ମୋଟ ସମ୍ପତ୍ତି ପାଖାପାଖି ୧.୫ କୋଟି। ଏହା ସହିତା ତାଙ୍କ ଉପରେ ୧.୫୪ କୋଟିର କରଜ ରହିଛି। ପୁଅର ପାଠପଢା ପାଇଁ ତାଙ୍କ ପତ୍ନୀ ଏହି କରଜ କରିଥିବା ସୂଚନା ମିଳିଛି। ସେହିପରି ସକୁର ବସ୍ତିରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଉପରେ ୧୩ କୋଟିର କରଜ ରହିଛି। ଏହି କରଜ ଆୟକର ବିଭାଗ ସମ୍ପର୍କିତ ବୋଲି ଜାଣିବାକୁ ମିଳିଛି। ନିର୍ବାଚନୀ ସତ୍ୟପାଠ ଅନୁସାରେ ତାଙ୍କ ପାଖରେ ମୋଟ ୭.୫ କୋଟିର ସମ୍ପତ୍ତି ରହିଛି।
ମଲବୀୟ ନଗରରୁ ନିର୍ବାଚନ ଲଢୁଥିବା ପୂର୍ବତନ ମନ୍ତ୍ରୀ ସୋମନାଥ ଭାରତୀଙ୍କ ଉପରେ ରହିଛି ୧୩ ଲକ୍ଷ ଟଙ୍କାର କରଜ। ତାଙ୍କ ପାଖରେ ମୋଟ ୨ କୋଟିର ସମ୍ପତ୍ତି ରହିଛି। ସୂଚନା ଅନୁସାରେ ଭାରତୀ ୨୦୨୫ ମସିହାରେ ୧୩ ଲକ୍ଷ ଟଙ୍କାର ଲୋନ ନେଇଛନ୍ତି।
ପୂର୍ବତନ ମନ୍ତ୍ରୀ ସୌରଭ ଭାରଦ୍ଵାଜ ଗ୍ରେଟର କୈଳାସରୁ ନିର୍ବାଚନ ଲଢୁଛନ୍ତି। ସେ ଏହି ଆସନରୁ ୩ୟ ଥର ପାଇଁ ଆପ୍ ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ଭରଦ୍ବାଜଙ୍କର ମୋଟ ୧.୫ କୋଟି ସମ୍ପତ୍ତି ରହିଥିବା ବେଳେ ତାଙ୍କ ନାଁରେ ୪୬ ଲକ୍ଷ୍ୟର କରଜ ରହିଛି।
ବଲ୍ଲୀମାରାନ ସିଟରୁ ନିର୍ବାଚନ ଲଢୁଥିବା ପୂର୍ବତନ ମନ୍ତ୍ରୀ ଇମରାନ ହୁସେନଙ୍କ ଉପରେ ୪୬ ଲକ୍ଷ୍ୟର କାର ଲୋନ ରହିଛି। ତାଙ୍କର ମୋଟ ପ୍ରାୟ ୪ କୋଟି ସମ୍ପତ୍ତି ରହିଛି।
ସେହିପରି ବିଧାନସଭା ଉପାଧ୍ୟକ୍ଷ ରାଖୀ ବିରଲାନ ମାଦିପୁର ଅସନରୁ ନିର୍ବାଚନ ଲଢୁଛନ୍ତି। ତାଙ୍କର ମୋଟ ୨୬ ଲକ୍ଷ୍ୟ ସମ୍ପତ୍ତି ଥିବା ବେଳେ ତାଙ୍କ ନାଁରେ ୧୭ ଲକ୍ଷ୍ୟ ଟଙ୍କାର ଲୋନ ରହିଛି।
ପ୍ରକାଶଯୋଗ୍ୟ, ୭୦ ସିଟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମୈଦାନରେ ବଳ ଜୁଟାଉଛି ଆପ। ଦିଲ୍ଲୀରେ ସରକାର ଗଠନ ପାଇଁ ୩୬ ବିଧାୟକଙ୍କ ଆବଶ୍ୟକତା ରହିଛି। ୨୦୨୦ ମସିହାରେ ଆପକୁ ୬୨ ଓ ୨୦୧୫ ରେ ୬୭ ଆସନରେ ବିଜୟ ମିଳିଥିଲା। ଏଥର ଦିଲ୍ଲୀ ନିର୍ବାଚନ ମୈଦାନରେ ବିଜେପି ସହିତ ମୁକାବିଲା କରିବ ଆପ। ଦିଲ୍ଲୀର ୭୦ ସିଟରେ ଫେବ୍ରୁୟାରୀ ୫ ରେ ମତଦାନ ହେବା ସହିତ ୮ ତାରିଖରେ ଭୋଟ ଗଣତି ହେବ ବୋଲି ସ୍ଥିର ହୋଇଛି।
Comments are closed.