Latest Odisha News

BREAKING NEWS

ବାହାରିଲେ କେଜ୍ରିଓ୍ବାଲ, ବଦଳିବ ମାହୋଲ୍ !

ଭୁବନେଶ୍ବର : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ୍। ବଦଳିବ କି ନିର୍ବାଚନ ମାହୋଲ୍ ? ଜୋଶରେ ଆପ୍ ନେତା, ଭରସା କରିବେ କି ଜନତା ? ନିର୍ବାଚନର ଠିକ୍ ୧୫ଦିନ ପୂର୍ବରୁ ଜେଲରୁ ବାହାରି କମାଲ୍ କରିବେ କି କେଜ୍ରିଓ୍ବାଲ୍ ? କେତେ ଲାଭ ପାଇବ ଆପ୍ ? ଇଣ୍ଡିଆ ମେଣ୍ଟକୁ ମିଳିବ କି ସମବେଦନା ଭୋଟ୍ ? ଜେଲରୁ ବାହାରିବା ପରେ ନିର୍ବାଚନ ମାହୋଲରେ କେଜ୍ରିଓ୍ବାଲ୍ ଖେଳିବେ ଭିକ୍ଟିମ୍ କାର୍ଡ । ସେପଟେ ଦୁର୍ନୀତି କନେକ୍ସନକୁ ନେଇ ତାଙ୍କୁ ସିଧାସଳଖ ଟାର୍ଗେଟ କରିବ ବିଜେପି। ତେବେ କେଜ୍ରିଓ୍ବାଲ ବେଲରେ ଆସିବା ପରେ କେତେ ବଦଳିବ ଭୋଟ୍ ରାଜନୀତି ?

ବାଜି ବଦଳାଇବେ କେଜ୍ରିଓ୍ବାଲ !
ଦିଲ୍ଲୀ ସହ ହରିୟାଣା ଓ ପଞ୍ଜାବ ନିର୍ବାଚନ ଉପରେ ପଡିପାରେ କେଜ୍ରିଓ୍ବାଲଙ୍କ ଉପସ୍ଥିତିର ପ୍ରଭାବ । ଦିଲ୍ଲୀରେ କଂଗ୍ରେସ ସହ ଆସନ ବୁଝାମଣାରେ ନିର୍ବାଚନ ଲଢୁଛି ଆମ ଆଦମୀ ପାର୍ଟି । ମୋଟ୍ ୭ଟି ସିଟରୁ ୪ଟିରେ ଲଢୁଛି ଆପ୍ । କେଜ୍ରିଓ୍ବାଲଙ୍କ ଉପସ୍ଥିତି ଦଳର କ୍ୟାମ୍ପେନ୍ ରଣନୀତିକୁ ଆହୁରି ଶାଣିତ କରିବ । କେବଳ ଆପ ନୁହେଁ କଂଗ୍ରେସ ବି କେଜ୍ରିଓ୍ବାଲଙ୍କ ପାଇଁ ଫାଇଦା ପାଇପାରେ। ଯାହା ଦିଲ୍ଲୀରେ ବିଜେପିକୁ କଡା ଟକ୍କର ଦେଇପାରେ । ଦିଲ୍ଲୀ ସହ ହରିୟାଣା ଓ ପଞ୍ଜାବରେ ବି କେଜ୍ରିଓ୍ବାଲ ଫ୍ୟାକ୍ଟର ଆପ୍ ସପକ୍ଷରେ ଯାଇପାରେ।

ଭିକ୍ଟିମ Vs ଭିଲେନ୍
ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାଣିଶୁଣି ବିଜେପି ସରକାର ଟାର୍ଗେଟ୍ କରୁଥିବା ନେଇ ଉଭୟ ଆପ୍ ଓ ଇଣ୍ଡିଆ ମେଣ୍ଟ ନିର୍ବାଚନ ସମୟରେ ନାରେଟିଭ୍ ପ୍ରସ୍ତୁତ କରିଛନ୍ତି। ନିଜେ କେଜ୍ରିଓ୍ବାଲ ନିର୍ବାଚନୀ ମଞ୍ଚକୁ ଆସିଲେ, ଏହି ନାରେଟିଭକୁ ଆହୁରି ଦମ୍ଭ ମିଳିବ । ସତର ବିଜୟ ହୋଇଛି, ଦୁର୍ନୀତିର ଗନ୍ଧ ନଥିବାରୁ ଜାମିନ ମିଳିଥିବା କହି ବିଜେପିକୁ କାଠଗଡାକୁ ଟାଣିବ ଆପ୍ । ସେପଟେ ଏହାକୁ କାଉଣ୍ଟର କରିବାକୁ ବି ଫର୍ମୂଲା ପ୍ରସ୍ତୁତ କରିଛି ବିଜେପି । କେଜ୍ରିଓ୍ବାଲଙ୍କ ଦୁର୍ନୀତି କନେକ୍ସନକୁ ଅସ୍ତ୍ର କରି କାଉଣ୍ଟର ନାରେଟିଭ୍ ପ୍ରସ୍ତୁତ କରିବ ଦଳ। ସେହିପରି କେଜ୍ରିଓ୍ବାଲଙ୍କୁ କେବଳ ଅନ୍ତରୀଣ ଜାମିନ ମିଳିଛି, ପ୍ରଚାର ପରେ ସରେଣ୍ଡର କରିବାକୁ ପଡିବ କହି ବିଜେପି ବି ନିଜ ପକ୍ଷ ରଖିପାରେ ।

ତଦନ୍ତ ଏଜେନ୍ସି ଅସ୍ତ୍ର !
ରାଜନୈତିକ ସ୍ୱାର୍ଥ ପାଇଁ ତଦନ୍ତକାରୀ ଏଜେନ୍ସିକୁ ବିଜେପି ସରକାର ଅସ୍ତ୍ର କରୁଥିବା ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି । ହେମନ୍ତ ସୋରେନ୍ ହୁଅନ୍ତୁ କି ଅରବିନ୍ଦ କେଜ୍ରିଓ୍ବାଲ, ଜାଣିଶୁଣି ଲୋକପ୍ରିୟ ନେତାଙ୍କୁ ଆଇନ ଫାଶରେ ବାନ୍ଧିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା କହିଛନ୍ତି । ଏବେ କେଜ୍ରିଓ୍ବାଲ ନିଜେ ନିଜ କାହାଣୀ ଲୋକଙ୍କୁ କହିବେ । କେମିତି ଦିଲ୍ଲୀ, ପଞ୍ଜାବରେ ବିକାଶ କରୁଥିବାରୁ ତାଙ୍କୁ ଟାର୍ଗେଟ୍ କରାଯାଇଛି? କେମିତି ଲୋକଙ୍କ ପାଇଁ ସ୍ବର ଉଠାଇବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି? ନିର୍ବାଚନୀ ସଭାରେ ଜନତାଙ୍କ ଆଗରେ ନିଜକୁ ରଖି ସମବେଦନାର ଭୋଟ୍ ମାଗିବେ କେଜ୍ରିଓ୍ବାଲ । ଯାହା ନିର୍ବାଚନୀ ହାଓ୍ବାର ଦିଗ ବଦଳାଇପାରେ ।

ଭୋଟ୍ କ୍ଷତି ଭୟ, ନିର୍ବାଚନ ମଝିରେ ବେଲ୍ !
ସାଧାରଣ ନିର୍ବାଚନ ଠିକ୍ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ପ୍ରାୟ ୫୦ଦିନ ଜେଲରେ ରହିଥିଲେ କେଜ୍ରିଓ୍ବାଲ । ତାଙ୍କ ଗିରଫଦାରୀ ପଛରେ କେନ୍ଦ୍ରର ବିଜେପି ସରକାରଙ୍କ ରାଜନୈତିକ ଅଭିସନ୍ଧିକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ନେଇଛି ଆପ୍। ଏଥିରୁ ଆପକୁ ସମବେଦନା ଭୋଟ୍ ମିଳିବା ନେଇ ଚିନ୍ତାରେ କି ବିଜେପି? କାହିଁକି କେଜ୍ରିଓ୍ବାଲଙ୍କୁ ତିନିଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ମିଳିଲା ଅନ୍ତରୀଣ ବେଲ୍ ? କେଜ୍ରିଓ୍ବାଲଙ୍କ ପାଇଁ ବିଜେପିକୁ ଘାରୁଛି କି ଭୋଟ୍ କଟିବା ଭୟ ? ନିଜ ବିରୋଧରେ ନେଗେଟିଭ୍ ହାଓ୍ବା ନେଇ ମିଳିଲା କି ସୂଚନା ? ସମବେଦନା ଭୋଟ୍ ଅଟକାଇବାକୁ ଏହା ବିଜେପିର ରଣନୀତି କି?

ମେ ୨୫ରେ ଦିଲ୍ଲୀ ଓ ହରିୟାଣାରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୁନ୍ ୧ରେ ଭୋଟ୍ ଦେବ ପଞ୍ଜାବ । ୧୫ଦିନ ପୂର୍ବରୁ କେଜ୍ରିଓ୍ବାଲ ଜେଲରୁ ବାହାରିବା ଆପ ସମେତ ବିରୋଧୀ ମେଣ୍ଟ ପାଇଁ ବଡ ସୁଯୋଗ ହୋଇପାରେ । ଚତୁର ରଣନୀତିକାର ଭାବେ ଜଣାଶୁଣା କେଜ୍ରିଓ୍ବାଲ ବଦଳାଇବେ କି ଚବିଶ ବାଜି ?

Leave A Reply

Your email address will not be published.