ତେଲ ଦର ବଢୁଥିବା ବେଳେ ରାଜଧାନୀରେ ଗଡ଼ିଲା ହାଇଡ୍ରୋଜେନ କାର
ଏହି କାର ଫୁଲ ଟାଙ୍କିରେ ୬୦୦ କିଲୋମିଟର ଯାତ୍ରା କରିପାରିବ ବୋଲି କୁହାଯାଉଛି । ଏଥିପାଇଁ କିଲୋମିଟର ପିଛା ମାତ୍ର ୨ ଟଙ୍କା ଖର୍ଚ୍ଚ ହେବ।
ନୂଆଦିଲ୍ଲୀ: ତେଲ ଦର ବୃଦ୍ଧି ବେଳେ ବିକଳ୍ପ ଇନ୍ଧନର କଥା କହୁଥିବା କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ରାଜଧାନୀ ରାଜରାସ୍ତାରେ ହାଇଡ୍ରୋଜେନ ଚାଳିତ କାର ଚଳାଇଛନ୍ତି । ଗଡ଼କରୀ ବୁଧବାର ନିଜର ଟୟୋଟା ମିରାଇ ନାମକ ହାଇଡ୍ରୋଜେନ୍ ଚାଳିତ କାରକୁ ନେଇ ସଂସଦ ଆସିଥିଲେ। ଆତ୍ମନିର୍ଭରଶୀଳ ହେବା ପାଇଁ ଆମେ ଗ୍ରୀନ୍ ହାଇଡ୍ରୋଜେନ୍ ଆଣିଛୁ ଯାହା ପାଣିରୁ ଉତ୍ପନ୍ନ ହୋଇଥାଏ। ଏହା ଏକ କାର ଯାହା ପାଇଲଟ୍ ପ୍ରୋଜେକ୍ଟ ଭାବେ ଚାଲିଛି । ଏବେ ଦେଶରେ ଗ୍ରୀନ୍ ହାଇଡ୍ରୋଜେନ୍ କାର ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି।
ଜାନୁଆରୀରେ ମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରିବା ପାଇଁ ଉତ୍ସାହିତ କରିବାକୁ ହେବ । ଏଥିପାଇଁ ସେ ଦିଲ୍ଲୀ ରାସ୍ତାରେ ଏପରି କାର ଚଳାଇବେ । ଏହି କାର ଜାପାନର ଟୟୋଟା କମ୍ପାନୀର ହୋଇଥିବା ବେଳେ ହାଇଡ୍ରୋଜେନ ଇନ୍ଧନ ଫରିଦାବାଦର ଇଣ୍ଡିଆନ ଅଏଲ ପମ୍ପରୁ ତିଆରି ହୋଇଛି। ସେ ପୂର୍ବରୁ ବିକଳ୍ପ ଇନ୍ଧନ ଉପରେ ଯୁକ୍ତି ବାଢି କହିଥିଲେ ଆଗାମୀ ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲ୍ ଗାଡ଼ି ରାସ୍ତାରେ କମିଯିବ । ଦୁଇ ବର୍ଷ ମଧ୍ୟରେ ଇଲେକ୍ଟ୍ରିକ୍ ସ୍କୁଟରର ଦାମ ପେଟ୍ରୋଲ ଚାଳିତ ସ୍କୁଟର ଦାମ ଭଳି ହୋଇଯିବ । ଇଲେକ୍ଟ୍ରି ସ୍କୁଟରରେ ବ୍ୟବହାର ହେଉଥିବା ଲିଥିୟମ-ଆୟନ୍ ବ୍ୟାଟେରୀର ମୂଲ୍ୟ କ୍ରମଶଃ କମୁଛି। ଜିଙ୍କ୍-ଆୟନ୍, ଆଲୁମିନିୟମ ଆୟନ, ସୋଡିୟମ-ଆୟନ ବ୍ୟାଟେରୀକୁ ଲିଥିୟମ-ଆୟନ ଭଳି ତିଆରି ହେଉଛି। ଯଦି ଜଣେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଖର୍ଚ୍ଚ କରିବେ ତାହେଲେ ଜଣେ ଇଲେକ୍ଟ୍ରିକ୍ ସ୍କୁଟରରେ ଜଣେ ୧୦ ଟଙ୍କା ଖର୍ଚ୍ଚ କରିବେ ।
ଗ୍ରୀନ ହାଇଡ୍ରୋଜନେ କ’ଣ ଏବଂ ଗ୍ରୀନ ହାଇଡ୍ରୋଜେନର କାରଣ କ’ଣ?
ଗ୍ରୀନ୍ ହାଇଡ୍ରୋଜେନ୍ ପାରମ୍ପରିକ ଇନ୍ଧନର ବିକଳ୍ପ ଯାହା ଯେକୌଣସି ଯାନରେ ବ୍ୟବହାର ହୋଇପାରିବ । ଏହି ଯାନ ଦୀର୍ଘ ଯାତ୍ରା ପାଇଁ ବ୍ୟବହାର ହୋଇପାରିବ । ଏଥିରେ କୌଣସି କାର୍ବନ ନିର୍ଗତ ହୁଏନି । ତେଣୁ ପ୍ରଦୂଷଣ ମୁକ୍ତ ଏହି ଗାଡି। ପେଟ୍ରୋଲ୍ ଭରିବା ଭଳି କାରରେ ହାଇଡ୍ରୋଜେନ୍ ଭରିବା ପାଇଁ ତିନି ରୁ ପାଞ୍ଚ ମିନିଟ୍ ସମୟ ଲାଗିଥାଏ ।ହାଇଡ୍ରୋଜେନ୍ ଚାଳିତ କାରରେ ଗ୍ୟାସକୁ ହାଇ ପ୍ରେସର ଟ୍ୟାଙ୍କରେ ରଖାଯାଏ ଏବଂ ହାଇଡ୍ରୋଜେନ୍ ଓ ଅକ୍ସିଜେନର ପ୍ରତିକ୍ରିୟାରୁ ଉତ୍ପନ୍ନ ବିଦ୍ୟୁତ୍ ଗାଡିକୁ ଆଗକୁ ବଢିବାକୁ ବଳ ଯୋଗାଏ । ଏହି କାର ଫୁଲ ଟାଙ୍କିରେ ୬୦୦ କିଲୋମିଟର ଯାତ୍ରା କରିପାରିବ ବୋଲି କୁହାଯାଉଛି । ଏଥିପାଇଁ କିଲୋମିଟର ପିଛା ମାତ୍ର ୨ ଟଙ୍କା ଖର୍ଚ୍ଚ ହେବ।
Comments are closed.