Latest Odisha News

BREAKING NEWS

ଜେଲ୍ ନିର୍ଯାତନାର କେନ୍ଦ୍ର ନହେଉ: ମାନ୍

ଚଣ୍ଡିଗଡ଼:  ଜେଲ ଗୁଡିକ ନିର୍ଯାତନାର କେନ୍ଦ୍ର ହେବା ଉଚିତ ନୁହେଁ । କଏଦୀଙ୍କ ମାନବିକ ଅଧିକାରକୁ ସୁରକ୍ଷା ଦେବା ଜେଲ୍ ଅଧିକାରୀଙ୍କ ପ୍ରଥମ ପ୍ରାଥମିକତା ହେବା ଉଚିତ।ଏଥିସହ କଏଦୀମାନଙ୍କୁ କିଭଳି ମୁଖ୍ୟସ୍ରୋତରେ ଆଣିହେବ ତାହା ମୂଳଲକ୍ଷ୍ୟ ହେବା ଉଚିତ । ଏଥିପାଇଁ ସଂସ୍କାର ଆଣିବା ଦରକାର। ବୁଧବାର ଜେଲ୍ ବିଭାଗର ବୈଠକରେ ଅଧ୍ୟକ୍ଷତା କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ଏପରି କିଛି କହିଛନ୍ତି।

ହାର୍ଡକୋର ଅପରାଧୀଙ୍କ ସମେତ ଅନ୍ତେବାସୀଙ୍କ ସଂସ୍କାର ଆମର ପ୍ରାଥମିକ ଲକ୍ଷ୍ୟ ହେବା ଉଚିତ୍, ଗ୍ୟାଙ୍ଗଷ୍ଟର ଓ ନିଶାଡି, ଯେଉଁମାନେ ସେମାନଙ୍କ ନିୟନ୍ତ୍ରଣ ବାହାରକୁ ଯିବାରୁ ପଥଭ୍ରଷ୍ଟ ହୋଇଛନ୍ତି ସେମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ଦରକାର। ଜେଲ ଗୃହକୁ ସଂସ୍କାର ଗୃହରେ ପରିଣତ କରି ଅନ୍ତେବାସୀମାନଙ୍କୁ ଅଂଶଗ୍ରହଣ କରିବାକୁ ପ୍ରୟାସ କଲେ ସେ ସମାଜର ଆଦର୍ଶ ନାଗରିକ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମାନ୍ କହିଥିଲେ ଯେ, କଏଦୀଙ୍କ ମାନବିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ଜେଲ୍ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ଆବଶ୍ୟକ। ଜେଲ୍ ମାନୁଆଲ ଅନୁୟାୟୀ କଏଦୀମାନଙ୍କୁ ଚିକିତ୍ସା ସେବା ଓ ଉନ୍ନତମାନର ଖାଦ୍ୟ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜେଲରେ ବେଆଇନ ମୋବାଇଲ ବ୍ୟବହାରକୁ ରୋକିବା ପାଇଁ କଡା ନଜର ରଖିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପଞ୍ଜାବରେ ଆପ୍ ସରକାର ଆସିବା ପରେ ବିଭିନ୍ନ ଘୋଷଣା କରିବା ସହିତ ଜନହିତରେ ଅନେକ ପଦକ୍ଷେପ ନେଉଛନ୍ତି ।

Leave A Reply

Your email address will not be published.