Asian Games: ଶ୍ରୀଲଙ୍କାକୁ ଧୂଳି ଚଟାଇ ଏସିଆନ୍ ଗେମ୍ସରେ ଭାରତର ପ୍ରଥମ ସ୍ୱର୍ଣ୍ଣ! ୧୪୭ ରନ୍ରେ ଜିତିଲା ମହିଳା କ୍ରିକେଟ୍ ଟିମ୍
ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ରେ ଭାରତ ପାଇଁ ଆସିଲା ପ୍ରଥମ ସ୍ୱର୍ଣ୍ଣ ପଦକ। ମହିଳା କ୍ରିକେଟ୍ ଟିମ୍ ଶ୍ରୀଲଙ୍କାକୁ ଫାଇନାଲ୍ରେ ଏକତରଫା ଭାବେ ହରାଇ ସ୍ୱର୍ଣ୍ଣ ଜିତିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୧୪୭ ରନ୍ର ବଡ଼ ବ୍ୟବଧାନରେ ବିଜୟୀ ହୋଇ ଏସିଆନ୍ ଗେମ୍ସରେ ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା କ୍ରିକେଟ୍ରେ ସ୍ୱର୍ଣ୍ଣ ନିଜ ନାଁରେ କରିଛି। ଏହା ସହିତ ତିନି ବର୍ଷ ପୂର୍ବେ ହାଙ୍ଗଝୋଉରେ ଜିତିଥିବା ଟାଇଟଲ୍କୁ ମଧ୍ୟ ଭାରତ ନିଜ ପାଖରେ ରଖିଛି। ୨୦୨୩ରେ ମଧ୍ୟ ଭାରତ ଏସିଆନ୍ ଗେମ୍ସରେ ମହିଳା କ୍ରିକେଟ୍ର ସ୍ୱର୍ଣ୍ଣ ଜିତିଥିଲା।
ଫାଇନାଲ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩ ୱିକେଟ୍ ହରାଇ ୨୧୬ ରନ୍ର ବିଶାଳ ସ୍କୋର କରିଥିଲା। ଏହା ଏସିଆନ୍ ଗେମ୍ସ ମହିଳା କ୍ରିକେଟ୍ ଇତିହାସର ସର୍ବାଧିକ ସ୍କୋର। ଭାରତର ଓପନର ସ୍ମୃତି ମନ୍ଧାନା ୪୫ ବଲ୍ରୁ ୭୯ ରନ୍ର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଶେଫାଳି ବର୍ମା ୨୯ ବଲ୍ରୁ ୪୮ ରନ୍ କରିଥିଲେ। ଦୁହେଁ ମିଶି ପ୍ରଥମ ୱିକେଟ୍ ପାଇଁ ୬୦ ବଲ୍ରୁ ୯୯ ରନ୍ର ଦମଦାର ପାର୍ଟନରସିପ୍ କରିଥିଲେ।
ମନ୍ଧାନାଙ୍କ ବ୍ୟାଟ୍ରୁ ଆସିଥିଲା ୭ଟି ଛକା। ତାଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ବଡ଼ ସ୍କୋର ଦିଗରେ ସହାୟ ହୋଇଥିଲା । ଏହାସହିତ ମନ୍ଧାନାଙ୍କ ଏହି ଇନିଂସ୍ରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ରେକର୍ଡ। ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୧ ହଜାର ରନ୍ ପୂରଣ କରିଥିବା ପ୍ରଥମ ମହିଳା କ୍ରିକେଟର୍ ହୋଇଛନ୍ତି।
ଅନ୍ୟପଟେ ଶେଫାଳିଙ୍କ ଆଉଟ୍ ପରେ ହରମନପ୍ରୀତ କୌର ୧୭ ବଲ୍ରୁ ୧୯ ରନ୍ କରିଥିଲେ। ଶେଷ ଓଭରଗୁଡ଼ିକରେ ରିଚା ଘୋଷଙ୍କ ବିସ୍ଫୋରକ ବ୍ୟାଟିଂ ଭାରତର ସ୍କୋରକୁ ୨୦୦ ପାର କରାଇଥିଲା। ରିଚା ୨୨ ବଲ୍ରୁ ଅପରାଜିତ ୪୯ ରନ୍ କରିଥିଲେ।
୨୧୭ ରନ୍ର ଟାର୍ଗେଟ୍ ପିଛା କରି ଶ୍ରୀଲଙ୍କା ମାତ୍ର ୬୯ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଚାମରୀ ଅଟାପଟ୍ଟୁ ସର୍ବାଧିକ ୨୯ ରନ୍ କରିଥିବା ବେଳେ କଭିଶା ଦିଲହାରୀ ୧୧ ରନ୍ କରିଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ୩ଟି ୱିକେଟ୍ ନେଇଥିବା ବେଳେ ଶେଫାଳି ବର୍ମା, ଶ୍ରେୟଙ୍କା ପାଟିଲ ଓ ଶ୍ରୀଚରଣୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ୧୪୭ ରନ୍ର ଏହି ବିଜୟ ଟି-୨୦ ଅନ୍ତର୍ଜାତୀୟରେ ଭାରତୀୟ ମହିଳା ଦଳର ରନ୍ ବ୍ୟବଧାନରେ ସର୍ବବୃହତ ବିଜୟ। ଏହା ଶ୍ରୀଲଙ୍କା ମହିଳା ଟିମ୍ର ମଧ୍ୟ ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ସବୁଠାରୁ ବଡ଼ ପରାଜୟ।
ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ଟି-୨୦ରେ ଲଗାତାର ୮ଟି ମ୍ୟାଚ୍ ଜିତିଛି। ୨୦୧୮ରେ ଥିବା ଲଗାତାର ୭ ବିଜୟର ପୁରୁଣା ରେକର୍ଡକୁ ମଧ୍ୟ ଟିମ୍ ଇଣ୍ଡିଆ ପଛରେ ପକାଇଛି। ଏହାସହ ଏସିଆନ୍ ଗେମ୍ସ ୨୦୨୬ରେ ଭାରତର ମୋଟ ପଦକ ସଂଖ୍ୟା ୭ରେ ପହଞ୍ଚିଛି । ଶୁଟିଂରୁ ୫ଟି ଏବଂ ମିକ୍ସଡ୍ ମାର୍ସିଆଲ୍ ଆର୍ଟସ୍ରୁ ୧ଟି ପଦକ ପରେ ମହିଳା କ୍ରିକେଟ୍ ଦେଇଛି ଚଳିତ ବର୍ଷ ଭାରତକୁ ପ୍ରଥମ ସ୍ୱର୍ଣ୍ଣ।

