ଭୁବନେଶ୍ୱର: ଆସ୍କାର ସବଡିଭିଜନାଲ ପୋଲିସ ଅଧିକାରୀ (ଏସଡିପିଓ) ସନ୍ତୋଷ କୁମାର ଜେନାଙ୍କୁ ଅସଦାଚରଣ ଅଭିଯୋଗରେ ଓଡ଼ିଶା ଗୃହ ବିଭାଗ ତୁରନ୍ତ ନିଲମ୍ବିତ କରିଛି।
ସୂଚନା ଅନୁଯାୟୀ, ଆସ୍କାର ଜଣେ ଅଳଙ୍କାର ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ସନ୍ତୋଷ କୁମାର ଜେନା ସୁନା ଅଳଙ୍କାର କିଣିବା ପରେ ଦେୟ ନଦେଇ ଧମକାଇ ଥିଲେ। ଯାହା ପରେ ବ୍ୟବସାୟୀ ଏହି ମାମଲାକୁ ଡିଜିପି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ସାହାରା ନେଇଥିଲେ ଏବଂ ଫେସବୁକରେ ଏନେଇ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ। ଯାହାକୁ ପରବର୍ତ୍ତୀ ସମୟରେ ଡିଲିଟ କରାଯାଇଥିଲା।
ଅଭିଯୋଗ ପରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ତଦନ୍ତ କରି ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ରିପୋର୍ଟ ଆଧାରରେ ଆସ୍କା ଏସଡିପିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା।
“ସନ୍ତୋଷ କୁମାର ଜେନା, ଓପିଏସ୍, ଏସଡିପିଓ, ଆସ୍କାଙ୍କୁ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ବର୍ଗୀକରଣ, ନିୟନ୍ତ୍ରଣ ଏବଂ ଆପିଲ୍) ନିୟମ, ୧୯୬୨ ର ନିୟମ ୧୨(୧) ଅନୁଯାୟୀ ତୁରନ୍ତ ନିଲମ୍ବନ କରାଯାଇଛି।
ସନ୍ତୋଷ କୁମାର ଜେନା ଏବେ ମୁଖ୍ୟାଳୟ ଦକ୍ଷିଣାଞ୍ଚଳ ରେଞ୍ଜର ପୋଲିସ ମହାନିରୀକ୍ଷକ ନୀତି ଶେଖରଙ୍କ କାର୍ଯ୍ୟାଳୟରେ ରହିବେ। ସେ ଆଇଜିଙ୍କ ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବେ ଏବଂ ତାଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ ଓଡ଼ିଶା ସେବା ସଂହିତାର ନିୟମ ୯୦ ଅନୁଯାୟୀ ଭତ୍ତା ନେବାକୁ ଅନୁମତି ଦିଆଯାଇଛି।
Comments are closed.