Latest Odisha News

BREAKING NEWS

ସୋନିଆଙ୍କ ଘର ଜାଳିବା କଥା କହିଲେ ଆସାମ ମୁଖ୍ୟମନ୍ତ୍ରୀ! ପୋଲିସରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛି କଂଗ୍ରେସ। ଆସାମର ବରିଷ୍ଠ କଂଗ୍ରେସ ନେତା ଦେଵବ୍ରତ ସାଇକିଆ ବିଶ୍ଵଶର୍ମାଙ୍କ ସୋନିଆ ଗାନ୍ଧୀଙ୍କ ବିରୋଧରେ ଘୃଣା ମନ୍ତବ୍ୟକୁ ନେଇ ପୋଲିସରେ ଅଭିଯୋଗ କରିଛନ୍ତି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଦିଶାରେ ପ୍ରଚାର କରୁଥିବା ବେଳେ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ଵଶର୍ମା  ସୋନିଆ ଗାନ୍ଧୀଙ୍କ ବାସଭବନ ଜାଳିଦେବା ଆବଶ୍ୟକ ବୋଲି କହିଥିଲେ। ଏମପି ପିସିସି ସଭାପତି କମଳନାଥଙ୍କ ହିନ୍ଦୁତ୍ୱ ପ୍ରସଙ୍ଗ ନେଇ ଉପହାସ କରିବା ଆଳରେ ହିମନ୍ତ ସୋନିଆଙ୍କ ବାସଭବନ ଜାଳିବା ସମ୍ପର୍କିତ ଟିପ୍ପଣୀ ଦେଇଥିବା ଆସାମ ବିଧାନସଭାର ବିରୋଧୀ ଦଳ ନେତା ଦେଵବ୍ରତ ସାଇକିଆ ଅଭିଯୋଗ କରିଛନ୍ତି।

ଆଇନର ଶାସନ ଥିବା ଦେଶରେ ହିମନ୍ତ ବିଶ୍ଵଶର୍ମାଙ୍କ ଏଭଳି ମନ୍ତବ୍ୟ ହିଂସାକୁ ଉତ୍ସାହିତ କରିବ ବୋଲି ସେ ଅଭିଯୋଗ କରିଛନ୍ତି। ମଧ୍ୟପ୍ରଦେଶରେ ଏଭଳି ଟିପ୍ପଣୀ ଦିଆଯାଇଥିଲେ ମଧ୍ୟ ବିଭିନ୍ନ ମାଧ୍ୟମରେ ସାରା ଦେଶରେ ଏହା ପହଂଚିଛି।

ତେଣୁ ପ୍ରମୁଖ ପଦରେ ଥାଇ ହିମନ୍ତ ଏଭଳି ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଆଇପିସି ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଦେଶର ପ୍ରମୁଖ ରାଜ୍ୟର ନିର୍ବାଚନ ପାଇଁ ବିଜେପିର ହେଭିୱେଟ ଜୋରଦାର ପ୍ରଚାର କରୁଛନ୍ତି।

ଏହି ଅବସରରେ ହିମନ୍ତ ବିଶ୍ଵଶର୍ମା ମଧ୍ୟପ୍ରଦେଶ ସମେତ ରାଜସ୍ଥାନରେ ପ୍ରଚାର କରୁଛନ୍ତି। ତେଣୁ ପ୍ରଚାର ମଧ୍ୟରେ ଏହି ମନ୍ତବ୍ୟ ରାଜନୀତିକୁ ସରଗରମ କରିଛି। ଏପରିକି ପୂର୍ବରୁ ବିବାଦୀୟ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ସହ ସଦସ୍ୟ ପଦ ହରାଇବାକୁ ପଡିଥିଲା।

ରାଜନୈତିକ ସଭାରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେବାକୁ ବାରଣ କରାଯାଇଥାଏ। ତେଣୁ ଏଭଳି ସ୍ଥିତିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସୋନିଆଙ୍କ ବିରୋଧରେ ମନ୍ତବ୍ୟ ଦେଶର ରାଜନୀତିକୁ ଚଳଚଂଚଳ କରିଛି।

Leave A Reply

Your email address will not be published.