Latest Odisha News

ଏହି ତାରିଖରେ ପଡୁଛି ପୁଅଜିଉନ୍ତିଆ ବ୍ରତ, ଜାଣନ୍ତୁ ଏହି ବ୍ରତ ପାଳନ କଥା

ଭୁବନେଶ୍ଵର: ହିନ୍ଦୁ ଧର୍ମର ଏକ ପ୍ରମୁଖ ଉପବାସ ଓ ପର୍ବ ମଧ୍ୟରେ ପୁଅଜିଉନ୍ତିଆ ବ୍ରତ ଅନ୍ୟତମ ଅଟେ | ସାଧାରଣତଃ ମହିଳାମାନେ ନିଜ ପିଲାମାନଙ୍କ ପାଇଁ ଏହି ଉପବାସ ରଖନ୍ତି | ଅଶ୍ୱିନ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଉଥିବା ଏହି ଉପବାସରେ ମହିଳାମାନେ ଦିନସାରା ନିର୍ଜଠା ଉପବାସ ରହି ନିଜ ପିଲାମାନଙ୍କର ସୁରକ୍ଷା ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ପୂଜା କରିଥାନ୍ତି । ଏହି ଉପବାସକୁ ସମ୍ପୂର୍ଣ୍ଣ ୨୪ ଘଣ୍ଟା ପାଇଁ ରଖାଯାଏ | ତେବେ ଚଳିତବର୍ଷ ପୁଅଜିଉନ୍ତିଆ ବ୍ରତ ୬ ଅକ୍ଟୋବର ୨୦୨୩ ଶୁକ୍ରବାର ଦିନ ପାଳନ କରାଯିବ।

ଆଶ୍ୱିନର ଅଷ୍ଟମୀ ତିଥିରେ ପୁଅ ଜିଉନ୍ତିଆ ପାଳନ କରାଯାଏ । ପୂଜାର ପୂର୍ବଦିନ ଶିଳ ଶିଆଳୀ ପୂଜା କରାଯାଏ । ଏହିଦିନ ଶିଳକୁ ହଳଦୀ ପାଣିରେ ଧୋଇ ଦିଆଯାଏ । ଏଥିରେ ଗୁଆ ସହ ପୁଞ୍ଜାଏ କରି ଚାଉଳ ରଖାଯାଏ । ଏଥିରେ ଦୀପ ଓ କଳସ ବସାଇ ପିଠା ଭୋଗ ଲଗାଯାଏ । ସେଥିରୁ ଚାରୋଟି ପିଠା ଉପରକୁ ଫିଙ୍ଗାଯାଏ ଏବଂ ଚାରୋଟି ପିଠା ତଳେ ପୋତି ଦିଆଯାଏ । ପୂଜା ଦିନ ମାଆମାନେ ନିର୍ଜଳା ଉପବାସ ରୁହନ୍ତି । ସଂଜହେଲେ ସ୍ନାନସାରି ନଦୀବାଲିରେ ବେଦୀ କରନ୍ତି । ସେଇ ବେଦୀରେ ଚାରିଖଣ୍ଡ କାଠି ପୋତାଯାଏ । ଚାରି କାଠି ଉପରେ ଚାରୋଟି ଚକା କାକୁଡ଼ି ରଖାଯାଏ । ଗାଧୋଇ ସାରିବା ପରେ କାଠିରେ ଆଖୁ କଦଳୀ ଏପରି ୫ଟି ଗଛର ଡାଳ ପୋତାଯାଏ । ବ୍ରାହ୍ମଣ ସହ ଲକ୍ଷ୍ମୀନାରାୟଣଙ୍କ ପୂଜା ପାଠ କରାଯାଏ ।

ସୂର୍ଯ୍ୟାସ୍ତ ପରେ ହିଁ ଏହି ପୂଜା ହୋଇଥାଏ । ଏହି ପୂଜାରେ ୨୧ ପ୍ରକାର ଫଳ ଭୋଗ ଲାଗି ହୋଇଥାଏ । ଏଥିସହ ୧୦୮ ଦୂବ, ୧୦୮ ଚାଉଳ ଓ ପରଦିନ ହିଁ ବ୍ୟବହୃତ ହୋଇଥାଏ । ସକାଳେ ପୂଜାସ୍ଥାନରେ ୪ଖଣ୍ଡ କାଠି ଖଣ୍ଡୁଆଳ ଚକି ପ୍ରତୀକ ଭାବରେ ଗୌରୀ ପୂଜା କରାଯାଏ । ଏହି ଦିନ ମୁଗ ଆଠଟି, ଚାଉଳ ଆଠଟି, ଦହି ଗୁଡ଼ ସହ ଜଳିବା ପରେ ପୁଅମାନଙ୍କୁ ବନ୍ଦାପନା କରାଯାଏ । ସମସ୍ତେ ଭୋଗ ବାଢ଼ନ୍ତି । ଏହି ଭୋଗକୁ ପଶ୍ଚିମ ଓଡ଼ିଶାରେ ଜିଉନ୍ତିଆ ବୋଲି କୁହନ୍ତି । ଏହାପରେ ଆରମ୍ଭ ହୋଇଯାଏ ମଉଜ ମଜଲିସ ଓ ପିଠା ପଣାରେ ପରିବାର ହସି ଉଠେ । ମାଆ ଖାଇବା ପରେ ଅନ୍ୟ ସନ୍ତାନମାନେ ଖାଇଥାନ୍ତି । ଉତ୍ତର ଓଡ଼ିଶାରେ ଅନେକ ଗାଁ ପରିବେଶରେ ମଉଜ ମଜଲିସରେ ଛକ ଜାଗାମାନ ଫାଟି ଉଠେ । ଠିକ୍ ସେହିପରି ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଜିଉଁନ୍ତିଆ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ଗାଉଣା, ବାଜଣା ଭିତରେ ପରିବେଶ ଜୀବନ୍ତ ହୋଇଉଠେ ।

ପଶ୍ଚିମ ଓଡ଼ିଶାର ସାଧାରଣତଃ ପୁଅଜିଉନ୍ତିଆ ଓଷାକୁ ଉତ୍ସାହର ସହିତ ମହିଳାମାନେ ପାଳନ କରିଥାନ୍ତି । ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀର ରାତ୍ରକାଳରୁ ଦୁର୍ଗାଙ୍କର ଶୟନ ଉତ୍ସବ ଆରମ୍ଭ ହୋଇଥାଏ । ଏହା ୧୫ ଦିନ ପର୍ଯ୍ୟନ୍ତ ଚାଲେ । ଏହି ସମୟଟି ଅତ୍ୟନ୍ତ ଅଶୁଭ ସମୟ । କାରଣ ହରିଙ୍କ ଶୟନ ସାଥିକୁ ଦେବୀଙ୍କ ଶୟନ ଅଶୁଭର ପ୍ରତୀକ । ୧୫ ଦିନ ଶୋଇବା ପରେ ଶଯ୍ୟା ତ୍ୟାଗ କରି ମାଆ ଦୁର୍ଗାଙ୍କର ଉପାସନା ଉତ୍ସବ ପାଳିତ ହୁଏ । ସେ ରାତ୍ରିରେ ସହସ୍ର କୁମ୍ଭାରିଷ୍ଟ କରାଯାଏ ଏବଂ ପରଦିନ ଠାରୁ ଦେବୀଙ୍କ ଷୋଠଶ ପୂଜାରମ୍ଭ ହୋଇଥାଏ । ଆଶ୍ୱିନ ଅଷ୍ଟମୀରେ ମୂଳାଷ୍ଟମୀ ଅବକାଶରେ ମାଆ ଦୂତୀବାହନଙ୍କୁ ପୂଜା କରିବା ସମୟରେ ଯେଉଁ ପସରା ପୂଜା ଅନୁଷ୍ଠିତ ହୋଇଥାଏ ସେହି ପସରାରେ ପୂଜା ପାଉଥିବା ୪୭ ପ୍ରକାର ପନିପରିବା ଓ ଫଳମୂଳକୁ ନେଇ ଆଶ୍ୱିନ ନବମୀରେ ଆୟୋଜିତ ହୁଏ ଘାଣ୍ଟ । ଓଡ଼ିଆ ଘରର ଘାଣ୍ଟ ବେଶ ପ୍ରସିଦ୍ଧ । ଏହି ଘାଣ୍ଟକୁ ଗ୍ରାମୀଣ ଜୀବନଧାରାରେ ପରିବାର ସହିତ ଜ୍ଞାତି କୁଟୁମ୍ବ ଓ ଆତ୍ମୀୟସ୍ୱଜନଙ୍କୁ ବାଣ୍ଟି ଖିଆଯାଏ ।

Leave A Reply

Your email address will not be published.