ଭୁବନେଶ୍ବର: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ଗିରଫ ହେଲେ ଅଭିଯୁକ୍ତ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଗୁରୁବାର ରାତିରେ ଜଗନ୍ନାଥ ଭୁବନେଶ୍ଵର ଡିସିପି ଅଫିସରେ ପହଞ୍ଚି ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।
ଡିସିପି ଅଫିସରେ ପହଞ୍ଚିବା ପରେ ଜଗା କହିଥିଲେ ଯେ, ସେ ତଦନ୍ତରେ ସହଯୋଗ କରିବେ । ଗିରଫ ପରେ ଜଗନ୍ନାଥଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ପୂର୍ବରୁ ଏହି ଘଟଣାରେ ୫ ଜଣ ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରେ ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମି ମହାପାତ୍ର ଏବଂ ଦେବାଶିଷ ପ୍ରଧାନ ପ୍ରମୁଖ ରହିଥିଲେ। ପୁଲିସ ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିଛି।
ଅନ୍ୟପଟେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ପରେ ଖବର ପାଇ ତାଙ୍କର ଶତାଧିକ ସମର୍ଥକ ବାଣୀବିହାରଠାରେ ରାସ୍ତାରୋକୋ କରି ପ୍ରତିବାଦ କରିଥିଲେ । ଜଗା ନିର୍ଦୋଷ, ତାଙ୍କୁ କାହିଁକି ଗିରଫ କରାଯିବ ବୋଲି କହି ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସୂଚନାଯୋଗ୍ୟ, ଗତ ସୋମବାର ଦିନ ବିଏମସି ଅଫିସରେ ୬ ରୁ ୭ ଜଣ ବ୍ୟକ୍ତି ଅନଧିକୃତ ଭାବେ ପଶି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମାରିଥିଲେ । ଏହି ଘଟଣା ନେଇ ଜଗନ୍ନାଥ ପ୍ରଧାନ ବିବାଦରେ ଫସିଛନ୍ତି । ଏହି ଘଟଣା ପରେ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି । ରାଜ୍ୟର ପ୍ରାୟ ୧୭ଟି ଜିଲ୍ଲାରେ ଓଏଏସ୍ ଅଧିକାରୀମାନେ କଲମ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି ।
Comments are closed.