Latest Odisha News

BREAKING NEWS

ପୁଣି ଉଠିଲା ଏସ୍‌ସିବି ପ୍ରସଙ୍ଗ, ବିଧାନସଭାରେ ଅଚଳ ଅଚଳାବସ୍ଥା

ଭୁବନେଶ୍ୱର: ତିନି ଦିନର ବିରତି ପରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ହେଲେ ବେଶି ସମୟ ଚାଲି ପାରିଲାନି । ଆଜି ବି ଅଚଳ ହେଲା ବିଧାନସଭା । ହେଲେ ବିରୋଧୀଙ୍କ ହଙ୍ଗାମା ଏବଂ ହଟ୍ଟଗୋଳ ଲାଗି ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଦିନ ସାଢେ ୧୧ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରଥମେ ଦିବଙ୍ଗତ ସାଂସଦ ନାରାୟଣ ସାହୁଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଣିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନାରାୟଣ ସାହୁ ପାଲଲହଡ଼ା ୨ଥର ବିଧାୟକ ହୋଇଥିବା ବେଳେ ଦେବଗଡ଼ରୁ ଥରେ ସାଂସଦ ହୋଇଥିଲେ । ଶୋକପ୍ରସ୍ତାବ ଆଗତ ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା ।

ହେଲେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ । ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ହୋଇଥିଲା । ଦୁଇ ବିରୋଧୀ ଦଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଜିଦରେ ଅଟଳ ଅଛନ୍ତି । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ପରେ ବି ଶୁଣିନଥିଲେ ବିରୋଧୀ । ଶେଷରେ ବାଧ୍ୟ ହୋଇ ବିଧାନସଭାକୁ ସାଢେ ୧୧ ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଆଜି ପ୍ରଶ୍ନକାଳରେ ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର, ସ୍ୱରାଷ୍ଟ୍ର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି ।

Leave A Reply

Your email address will not be published.