Latest Odisha News

BREAKING NEWS

ଫ୍ରି ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛନ୍ତି ୮୦ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ : କୁହାଯାଏ ମାନବ ସେବା ହିଁ ମାଧବ ସେବା । ସେବା ପାଇଁ କୌଣସି ବୟସ ସୀମା ନାହିଁ । ଦିଲ୍ଲୀର ଜଣେ ୮୦ ବର୍ଷୀୟ ବୃଦ୍ଧ ଏହା ପ୍ରମାଣ କରି ଦେଖାଇଛନ୍ତି । ପରିଣତ ବୟସରେ ସେ ଅଭାବି ଲୋକଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଫ୍ରି ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛନ୍ତି । ନିଜର ଏହି ସୁନ୍ଦର ଉଦ୍ୟମ ପାଇଁ ଏବେ ସେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

ଦିଲ୍ଲୀର ଭଜନପୁରା ଅଞ୍ଚଳରେ ରୁହନ୍ତି ହରଜିନ୍ଦର ସିଂ । ବୟସ ୮୦ ବର୍ଷ । ସେ ଜଣେ ଟ୍ରାଫିକ ୱାର୍ଡେନ ଥିଲେ । ଚାକିରିରୁ ଅବସର ନେବା ପରେ ୧୯୬୪ ଏକ ଅଟୋ ଚଳାଇବା ଆରମ୍ଭ କରିଥିଲେ । ଦିଲ୍ଲୀ ସହରରେ ସେ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏଇ ପରିଣତ ବୟସରେ ସେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ସେ ଫ୍ରି ଅଟୋ ଆମ୍ବୁଲାନ୍ସ ଚଳାଇ ଲୋକଙ୍କୁ ସେବା ଯୋଗାଉଛନ୍ତି । ତାଙ୍କ ଅଟୋରେ ସବୁବେଳେ ଫାଷ୍ଟ ଏଡ କିଟ ରଖିଥାନ୍ତି । ଏହି କିଟରେ ବ୍ୟାଣ୍ଡେଜ, ଆଣ୍ଟିସେପ୍ଟିକ ଲୋଶନ, ବର୍ନ କ୍ରିମ ଏବଂ ପାରାସିଟାମଲ ଭଳି ସମସ୍ତ ଜରୁରୀକାଳୀନ ସାମଗ୍ରୀ ଥାଏ । ଫାଷ୍ଟ ଏଡ ପାଇଁ ସେ ତାଲିମ ନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଶହ ଶହ ଜୀବନ ରକ୍ଷା କରିସାରିଲେଣି । ଏହାବ୍ୟତୀତ ଅଟୋରେ ଏକ ଦାନ ବାକ୍ସ ମଧ୍ୟ ରଖିଛନ୍ତି । ଦାନ ଟଙ୍କାରେ ଔଷଧ କିଣନ୍ତି । ୫ ଦଶନ୍ଧି ଧରି ଦିଲ୍ଲୀରେ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛନ୍ତି ।

ହରଜିନ୍ଦର କହିଛନ୍ତି ଯେ, ମୋତେ ଲୋକଙ୍କ ସେବା କରିବାକୁ ବହୁତ ଭଲ ଲାଗେ । ଜୀବନଥିବା ଯାଏଁ ମୁଁ ଲୋକଙ୍କୁ ଏହି ସେବା ଯୋଗାଇବା ଜାରି ରଖିବି । ମୁଁ ୫୫ ବର୍ଷରୁ ଅଧିକ ସମୟ ହେଲାଣି ଅଟୋ ଚଲାଇ ଆସୁଛି ।
ମୋ ଅଟୋକୁ ଆଗରୁ ଦେଖିଲେ ରାଜଧାନୀ ଦିଲ୍ଲୀରେ ଚାଲୁଥିବା ଅନ୍ୟ ଅଟୋ ପରି ଦେଖାଯାଇଥାଏ । ତେବେ ଏହାର ପଛରୁ ଦେଖାଗଲେ ପାର୍ଥକ୍ୟ ଜଣାପଡ଼ିଥାଏ । ମୋ ଅଟୋ ପଛରେ ଏକ ବାର୍ତ୍ତା ଲେଖାଯାଇଛି । ତାହା ହେଉଛି ସଡ଼କ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା । ଦିଲ୍ଲୀରେ ବନ୍ୟା ପରେ ମୁଁ ଏହି ପ୍ରେରଣା ପାଇଛି । ସେହି ସମୟ ମଧ୍ୟରେ ମୁଁ ଶିଖ ସମ୍ପ୍ରଦାୟର ଅନ୍ୟ ଲୋକଙ୍କ ସହିତ ମିଶି ସେବା କାର୍ଯ୍ୟ କରିଥିଲି ।

ବନ୍ୟା ପରିସ୍ଥିତି ସୁଧୁରିବା ପରେ ତାଙ୍କର ସେବା ଜାରି ରହିଲା । ପରେ ସେ ଏକ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଆରମ୍ଭ କରିଥିଲେ । ପ୍ରତିଦିନ ସକାଳ ୮ ଟାରେ ସେ ନିଜ କାମରେ ଚାଲିଯାଆନ୍ତି । ରାସ୍ତାରେ ସାହାଯ୍ୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ପାଇଁ ହରଜିନ୍ଦର ସହାୟତାର ହାତ ବଢ଼ାଇଥାନ୍ତି ।

Leave A Reply

Your email address will not be published.