Latest Odisha News

BREAKING NEWS

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ମାର୍କେଟିଂ ମ୍ୟାନେଜର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏସପ୍ଲାନେଡ଼ ମଲରେ ଶନିବାର ସନ୍ଧ୍ୟାରେ ମହିଳା ସାମ୍ବାଦିକା ଓ ତାଙ୍କ କ୍ୟାମେରମ୍ୟାନଙ୍କୁ ଆକ୍ରମଣ ଘଟଣାରେ କମିଶନରେଟ ପୋଲିସ ରବିବାର ଦିନ ମଲର ଜଣେ ମାର୍କେଟିଂ ମ୍ୟାନେଜର ସ୍ବାତୀ ଝା’ଙ୍କୁ ଗିରଫ କରିଛନ୍ତି ।

ଆସନ୍ତାକାଲି ତାଙ୍କୁ କୋର୍ଟକୁ ନିଆଯିବ ।

ସାମ୍ବାଦିକାଙ୍କ ଉପରକୁ ହୋଇଥିବା ଆକ୍ରମଣର ତୀବ୍ର ବିରୋଧ କରିବା ସଙ୍ଗେସଙ୍ଗେ ଏସପ୍ଲାନେଡ଼ ମଲ୍ ସମ୍ମୁଖରେ ସାମ୍ବାଦିକ ମାନେ ବହୁ ସଂଖ୍ୟାରେ ଧାରଣା ଦେଇ ଏହି ଘଟଣାରେ ସମ୍ପୃକ୍ତ ମଲର ଉଚ୍ଚ ଅଧିକାରୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଯାହାଫଳ ସ୍ୱରୂପ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ଘଟଣାରେ ସଂପୃକ୍ତ ଥିବା ମଲର ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ପୋଲିସ ଗିରଫ କରିଥିଲା ।

ଶନିବାର ସ୍ଥାନୀୟ ଏକ ୱେବ ଚ୍ୟାନେଲରେ କାର୍ଯ୍ୟରତ ଜଣେ ସାମ୍ବାଦିକା ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନ ପ୍ରମୋଦ ମାହାପାତ୍ର ବେଆଇନ୍ ଭାବେ ଏହି ମଲରୁ ପାର୍କିଂ ଶୁଲ୍କ ଆଦାୟ କରାଯାଉଥିବା ସମ୍ପର୍କିତ ଖବରକୁ କଭରେଜ କରୁଥିଲେ ।

ବିଡିଏ ପକ୍ଷରୁ ପାର୍କିଂ ଶୁଲ୍କ ଆଦାୟ ପାଇଁ ମନା କରାଯାଇଥିଲେ ମଧ୍ୟ ଶୁଲ୍କ କାହିଁକି ଆଦାୟ ହେଉଛି, ସେନେଇ ମହିଳା ସାମ୍ବାଦିକ ଖବର ସଂଗ୍ରହ କରୁଥିବା ବେଳେ ଅଚାନକ ସିକ୍ୟୁରିଟି ଗାର୍ଡମାନେ ଆସି ବିନା ଅନୁମତିରେ ସୁଟିଂ କରିପାରିବେ ନାହିଁ । ପରେ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ କ୍ୟାମେରାକୁ ମଧ୍ୟ ବନ୍ଦ କରିଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ମହିଳା ସାମ୍ବାଦିକା ଜଣକ କହିଛନ୍ତି, “ଖବର ପ୍ରସାରଣ ସମୟରେ ଆମ ସହିତ ସେମାନେ ଦୁର୍ବ୍ୟବହାର କରିବା ସହ କ୍ୟାମେରାକୁ ମଧ୍ୟ ପାଖାପାଖି ୨୦ମି. ଯାଏଁ ବନ୍ଦ କରିଦେଇଥିଲେ” ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନେଇ ସହିଦ ନଗର ଥାନାରେ ଏତଲା ଦାଏର କରାଯାଇଛି । ପୋଲିସ ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୨୩, ୩୪୧, ୩୪୨, ୩୫୪ ଓ ୩୪ ଆଧାରରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.