ଦିଗପହଣ୍ଡି:ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ମୁହଁରେ ତକିଆ ଚାପି ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ.ଆଇ ଶନିବାର ଅପରାହ୍ନ ରେ ଅଭିଯୁକ୍ତ ସ୍ବାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ଅଭିଯୋଗ ଅନୁସାରେ; ଗତ ୨୦୧୮ରେ ଖଜୁରୀପଲ୍ଲୀ ଗ୍ରାମର ବିପ୍ର ସେଠୀ ଙ୍କ ଝିଅ ପୁଷ୍ପା ସାନଖେମୁଣ୍ଡି ବ୍ଲକ ପି.ଜଗନ୍ନାଥପୁର ଗ୍ରାମର ଶୁକୁରିଆ ସେଠୀ ଙ୍କ ପୁଅ ତପୁ ଙ୍କୁ ବିବାହ କରିଥିଲେ । ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବିରେ ସ୍ବାମୀ ଙ୍କ ପାଇଁ ସୁନା ଚେନ୍ ଓ ମୁଦି, ନଗଦ ୩୦ ହଜାର ଟଙ୍କା ସହ ସମସ୍ତ ଆସବାବ ପତ୍ର ଦିଆଯାଇଥିଲା।ବିବାହର କିଛି ମାସ ହସ ଖୁସିରେ କଟିବା ପରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ସ୍ବାମୀ ତାଙ୍କୁ ବାପ ଘରୁ ଅଧିକା ନଗଦ ୧ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ। ଏହାପରେ ପୁଷ୍ପା ଦ୍ଵିତୀୟ ଥର ଗର୍ଭବତୀ ହେବାରୁ ତାଙ୍କୁ ସହାୟତା ପାଇଁ ସେ ତାଙ୍କ ସାନ ଭଉଣୀଙ୍କୁ ଘରକୁ ଡ଼ାକିଥିଲେ ।ଏହି ସମୟରେ ଶାଳୀ ଙ୍କ ସହ ତାଙ୍କ ସ୍ବାମୀ ତପୁ ଙ୍କ ଅବୈଧ ସମ୍ପର୍କ ଗଢ଼ି ଉଠିଥିଲା । ପୁଷ୍ପା ପ୍ରତିବାଦ କରିଥିଲେ ମଧ୍ୟ ସେ କିଛି ଶୁଣି ନଥିଲେ। ପୁଷ୍ପା ତାଙ୍କ ବାପ ଘରକୁ ଚାଲିଆସିଥିଲେ। ଗତ ୧ ତାରିଖ ରାତି ପ୍ରାୟ ୯ ଟାରେ ପୁଷ୍ପା ଖଜୁରୀପଲ୍ଲୀ ବାପ ଘରେ ଏକୁଟିଆ ଥିବା ବେଳେ ସ୍ବାମୀ ସେଠାରେ ପହଞ୍ଚି ତାଙ୍କ ସହ ଭଲରେ କଥାବାର୍ତ୍ତା କରି ବ୍ରହ୍ମପୁର ରେଲୱେ ଷ୍ଟେସନ କୁ ଗଞ୍ଜେଇ ଚାଲାଣ କଲେ ତୋତେ ଅଧିକା ଟଙ୍କା ଦେବି ବୋଲି କହିଥିଲେ । ପୁଷ୍ପା ରାଜି ହେଲେ ନାହିଁ । ଏହାପରେ ସେ ଏକ ପ୍ଲାଷ୍ଟିକ ପାଇପ ରେ ମାଡ଼ ମାରି ତଳେ ପକାଇଦେବା ସହ ତାଙ୍କ ମୁହଁ ରେ ତକିଆ ଚାପି ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ କରିଥିଲେ।
ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପୁଷ୍ପା ଚିକିତ୍ସା ହୋଇ ସୁସ୍ଥ ହେବା ପରେ ଗତ ୮ ତାରିଖରେ ପରିବାର ଲୋକଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ ।