Latest Odisha News

ବାବୁସାନଙ୍କ ବାଲକୋନି ଆଉ କାଶିପୁର ହଇଜା

ବଦଳି ଯାଇଛି ମିଡିଆ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାବୁସାନଙ୍କ ରିଏଲ ଷ୍ଟୋରିକୁ ନେଇ ଆମର ଏଠି ଭାରି ଚର୍ଚା । ଟିଭି ଖୋଲିଲେ ବାବୁସାନ, ଫେସବୁକ ଖୋଲିଲେ ବାବୁସାନ ଆଉ ଆମ ମିଡିଆ ହେଡଲାଇନଠୁ ଆରମ୍ଭ କରି ସ୍ପେସିଆଲ ଷ୍ଟୋରି ଆଉ ବିତର୍କରେ ବି ଖାଲି ବାବୁସାନ । ସେ କୁଆଡେ ଗଲେ, କାହିଁକି ଗଲେ,  କେମିତି ଗଲେ, କଣ ଯିବାର ଆବଶ୍ୟକତା ଥିଲା?  ପାପ ହେଲା କି ପୂଣ୍ୟ କଲେ, ଏମିତି କେତେ କଣ ମିଡିଆରେ ଚର୍ଚା ହେଉଛି । ଏ ଷ୍ଟୋରି ଲାଗୁଛି 30 ବର୍ଷ ତଳେ ଏପରି ଫିଲ୍ମ ସବୁ ଆସୁଥିଲା ଆମ ଓଡ଼ିଆରେ ସିନେମାରେ । ହିରୋ ସହରରେ ଜଣଙ୍କୁ ଭଲ ପାଉଥିଲେ ଆଉ ଗାଁରେ ତାଙ୍କ ପତ୍ନୀ ଲୁହ ଗଡାଉଥିଲେ । ଏସବୁ ଏବେ ରିଅଲ ଜୀବନରେ ଦେଖିବାକୁ ମିଳୁଛି । ଏସବୁ ବ୍ୟକ୍ତିଗତ କଥାକୁ ନେଇ ଏତେ ଚର୍ଚା କାହିଁକି ? ତାହାର ଉତ୍ତର ଆମ ପାଖରେ ନାହିଁ । ଏସବୁ ଉତ୍ତର ଆପଣ ଖୋଜନ୍ତୁ । ଆପଣ ସେଇମାନଙ୍କୁ ପଚାରନ୍ତୁ, ଯେଉଁମାନେ ଟୁଙ୍ଗୁରୁ, ବାବୁସାନ ଷ୍ଟୋରି ପଛରେ ବାଇଆ ହେଉଛନ୍ତି ।

ତେବେ ଆମେ ଆପଣଙ୍କୁ ଟିକେ ମନେ ପକାଇବାକୁ ଚାହୁଁଛୁ ଯେ 30 ବର୍ଷ ତଳେ କାଶିପୁରରେ ଯାହା ଘଟୁଥିଲା ଆଜି ବି ସେଇୟା ଘଟୁଛି । କିନ୍ତୁ ପ୍ରଶ୍ନ ଉଠୁଛି ତା ଉପରେ ଲୋକଙ୍କ ଏତେ ଚର୍ଚା ହେଉନି କାହିଁକି? ଲୋକେ ଆଜି ବି ବିଶୁଦ୍ଧ ପାଣି ମୁନ୍ଦାଏ ପିଇବାକୁ ସେଠି ପାଉନାହାଁନ୍ତି । 2022 ମସିହାରେ ଲୋକେ ପୋକ ମାଛି ପରି ହଇଜାରେ ପ୍ରାଣ ହରାଉଛନ୍ତି । 12 ଜଣ ମରିଛନ୍ତି ବୋଲି ଯଦି ଆପଣ ଏହା ଉପରେ ପରଦା ପକାଇବାକୁ ଚାହୁଁଛନ୍ତି ତେବେ ଆପଣ ଠିକ କରୁଛନ୍ତି କି ଭୁଲ କରୁଛନ୍ତି ଆମେ କହିପାରିବୁ ନାହିଁ । କିନ୍ତୁ ସ୍ଥାନୀୟ ଅଂଚଳର ଲୋକମାନେ କହୁଛନ୍ତି ମୃତ୍ୟୁ ସଂଖ୍ୟା ଏହାଠାରୁ ଆହୁରି ଅଧିକ  । ମାନେ ଏଠି ଆଜି ଲୋକ ମରୁନାହାଁନ୍ତି, ମରିବା ଯେମିତି ଏହିମାନଙ୍କ ଭାଗ୍ୟରେ ଲେଖାଅଛି ।

 

ମିଡିଆର କ୍ୟାମେରା କାଶିପୁର ଯିବାକୁ ଅନିଛୁକ । କାରଣ ସେ ଜଙ୍ଗଲି ଲୋକଙ୍କ କଥା ଦେଖିବ କିଏ ? ଦେଖେଇ ବା ଲାଭ କଣ? ସରକାର ରାଗିବେ । ମନ୍ତ୍ରୀ ରାଗିବେ? କିଛି ପାର୍ଟି ଲୋକ ବି ରାଗିବେ । ଲୋକେ କଣ ଦେଖି ଖୁସିହେବେ? ତାହା ମିଡିଆକୁ ଭଲଭାବେ ଜଣା । ଆଉ ଟିଭିବାଲା ଯାହା ଦେଖାଇବେ ଆମ ଲୋକ ଦେଖିବେ ଲକ୍ଷ ଲକ୍ଷ ଲୋକ ଦେଖିଲେ ଆମେ ବାହାବା ନେବୁ । ଗୋଟେ ପୃଥିବୀ ଓଲଟାଇଲା ଭଳି ସତେ ଯେପରି ଖବର ଦେଖାଇଛୁ କହି ଆତ୍ମସନ୍ତୋଷ ଲାଭ କରିବୁ । ଏହା ହେଉଛି ଆଜି ଆମ ମିଡିଆର କାମ ।

ହଇଜା ଭଳି ମାରାତ୍କମ ରୋଗ ଏବେ ବି ରାୟଗଡ଼ାରେ ବ୍ୟାପୁଛି । କେବଳ ବ୍ୟାପୁନାହିଁ ଲୋକଙ୍କ ଜୀବନ ନେଉଛି । ରାୟଗଡ଼ା, ନୂଆପଡ଼ା, ମାଲକାନଗିରିରେ ପ୍ରତିଦିନ ଏପରି ଖବର ଆସୁଛି । ଏଠାକୁ କାହିଁକି ବର୍ଷ ବର୍ଷ ଧରି ଏପରି ଝାଡାବାନ୍ତି ଫେରୁଛି ତାହାର ଉତ୍ତର କାହା ପାଖରେ ନାହିଁ । ସରକାରଙ୍କ ଆଖି ଏହି ସବୁ ଜିଲ୍ଲାମାନଙ୍କରେ ଫୁଟିଗଲା ପରି ଲାଗୁଛି । ପ୍ରଶାସକମାନେ ଏଠି ଖାଲି ଅଭିନୟ କରୁଛନ୍ତି । ଡାକ୍ତରଖାନାର ଅବସ୍ଥା ଏବଂ ଡାକ୍ତର ମରୁଡି ଏସବୁ ଜିଲ୍ଲାମାନଙ୍କରେ କାହିଁକି ତାହାର ଉତ୍ତର କେନ୍ଦ୍ର ସରକାର କି ରାଜ୍ୟ ସରକାର ପାଖରେ ନାହିଁ । ସରକାରୀ ଯୋଜନାର ଲାଭ କାହିଁକି ଏହି ଜିଲ୍ଲାମାନଙ୍କରେ ଆଜିପର୍ଯ୍ୟନ୍ତ ପହଁଚିପାରୁନାହିଁ ।

ସ୍ବାଧୀନତାର 75 ବର୍ଷ ପରେ କାହିଁକି ପିଇବା ପାଣି ସରକାର ଯୋଗାଇଦେଉନାହାଁନ୍ତି ତାହାର ଉତ୍ତର ଆପଣମାନେ ପଚାରୁଛନ୍ତି କି?ହଇଜା ମହାମାରୀରେ ଲୋକ ମରୁଛନ୍ତି ତେବେ ଏଠି ସରକାରଙ୍କ ଯୋଜନା  କାହିଁକି ପହଁଚୁନାହିଁ ? ତାହା ସମସ୍ତଙ୍କ ପାଇଁ ପ୍ରଶ୍ନ ସୃଷ୍ଟି କରିବା ସ୍ବାଭାବିକ । ଖାଲି କଟକ, ଭୁବନେଶ୍ବର, ପୁରୀ ବ୍ରହ୍ମପୁର ଭଳି କିଛି ସହର ତ ଓଡ଼ିଶା ନୁହେଁ । ସାରା ଓଡ଼ିଶାର ମଂଗଳ ହେଲେ ତାହା ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ବୋଲି ଧରାଯିବ । ତେବେ ତାହା ହେଉନାହିଁ । କିଛି ସହରର ଚାକଚକ୍ୟ ସଂପୂର୍ଣ୍ଣ ଓଡ଼ିଶାର ମାନଚିତ୍ର ନୁହେଁ । ରାୟଗଡ଼ାର ଟିକିରି ବ୍ଳକ କଥା ଆପଣ କେବେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବା ଆବଶ୍ୟକ । ସାମ୍ବାଦିକମାନେ ନବୀନ ନିବାସରେ ଗତ ସପ୍ତାହ ମଧ୍ୟରେ ଏକଥା ପଚାରିଛନ୍ତି କି ? ଉତ୍ତର ଆସିବ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀଙ୍କୁ ରାୟଗଡ଼ା ଜିଲ୍ଲା କାଶିପୁର ଉପରେ ଉତ୍ତର ରଖିବା ପାଇଁ ଦିଲ୍ଲୀରେ କେହି ପଚାରିଛନ୍ତି କି ?  ଉତ୍ତର ବି ନାହିଁ ଆସିବ ।

90 ଦଶକରେ ଯେତେବେଳେ ଏତେ ଗଣମାଧ୍ୟମ ନଥିଲା ସେତେବେଳେ ହଇଜାରେ ଶତାଧିକ ଲୋକ ମରୁଥିଲେ । ତାହା ଲୋକଲୋଚନକୁ ଆସିପାରୁନଥିଲା । 2007 ମସିହାରେ ମଧ୍ୟ ଶତାଧିକ ଲୋକ ସେଠାରେ ହଇଜାରେ ମରିଥିଲେ । ହେଲେ କିଛି ଫରକ ପଡିଲା କି ? ଆଉ 2022ରେ ମଧ୍ୟ ହଇଜାରେ ମରୁଛନ୍ତି । ସଂଖ୍ୟାରେ ଫରକ ଥାଇପାରେ । କିନ୍ତୁ ତାହାକୁ ରୋକିବାକୁ ସରକାର, ପ୍ରଶାସକ କୁହାଳିଆ ନେତା ଓ ସଂଗଠନ କିଛି କରିଛନ୍ତି କି । ଆମେ ଯେତିକି ସେହି ଅଂଚଳ ଉପରେ ଫୋକସ ଦେବା କଥା ଦେଉଛୁ କି?

ଆମେ କୁହାଳିଆ ସାମ୍ବାଦିକମାନେ ପ୍ରଶ୍ନ ପଚାରୁଛୁ କି? ଯେମିତି ଗୁଡେଇ ତୁଡେଇ କ୍ୟାମେରା ବୁଲେଇ ବଙ୍କେଇ ଭାଙ୍ଗି, ପ୍ରେମ ମିଠା ଖଟା ଆମେ ପଚାରିପାରୁଛେ, ସେଭଳି ଯେଉଁ ମୂଳ ସମସ୍ୟା ରାଜ୍ୟର ଅଛି ତାହାର ନିରାକରଣ ଉପରେ ଆମେ କଲମ କାଳି ସରିବା ଯାଏ ଲେଖନି ଚାଲୁଛି କି ?ଆମର କ୍ୟାମେରାର ଫୋକସ ସେହି ଅଂଚଳର ସମସ୍ୟା, ଲୋକଙ୍କ ଦୁଃଖ , ମୃତ୍ୟୁରେ ଛଟପଟ ହେଉଥିବା ଜୀବନ ପାଖରେ ପହଁଚୁନି କାହିଁକି? ଆମର ଲାଇଭ ଭ୍ୟାନ କାଶିପୁରରେ କାହିଁକି ବୁଲୁନି । କାରଣ ସେଠି କିଛି ବି ନାହିଁ । କିଛି ମିଳିବାର ନାହିଁ । ତେଣୁ ଆମେ ଖାଲି ଗ୍ଲାମର ଖବର ଉପରେ ଧ୍ୟାନ ଦେବାକୁ ଜନ୍ମ ହୋଇଛେ ।  ସହରର ଚାକଚକ୍ୟ, ଫେସନ, ଅତ୍ୟାଧୁନିକ ଜୀବନ ଚଳେଣି ଆମର ସବୁକିଛି  । କାହା ମୃତ୍ୟର ସମାଧାନ ପାଇଁ ନୁହେଁ, କାହାକୁ ଜୀବନ ଦେବାପାଇଁ ନୁହେଁ । ସେ କାଶିପୁର ଲୋକର କିଛି ଅଧିକାର ନାହିଁ  । ସେ ପ୍ରଶ୍ନ ପଚାରିପାରିବ ନାହିଁ । ତେଣୁ ତାଙ୍କ ପ୍ରଶ୍ନଙ୍କୁ ଆମେ ଉଠାଇବାର ନାହିଁ । ସେଠାରେ ବସବାସ କରୁଥିବା ଲୋକଙ୍କର ବଂଚିବାର ଅଧିକାର ନାହିଁ । ଗଣତନ୍ତ୍ରରେ ସେ ମଣିଷର ସ୍ବରକୁ ଚାପିବା ପାଇଁ ଆମେ କାମ କରୁଛେ ତା ହକ ପାଇଁ ନୁହେଁ । ଏହା କଟୁ ହୋଇଥାଇପାରେ କିନ୍ତୁ ସତ ।

ତେବେ 30 ବର୍ଷ ତଳ କଥା ଟିକେ ଭାବନ୍ତୁତ । ଏଭଳି ଖବର ଗାଁରୁ ବାହାରି ଦିଲ୍ଲୀରେ ଚର୍ଚା ହେଉଥିଲା । ନେତାମାନେ ଧାଉଁଥିଲେ ସେହି ଅଂଚଳକୁ । ପ୍ରଧାନମନ୍ତ୍ରୀ ବି ସ୍ବତନ୍ତ୍ର ପରିଦର୍ଶନରେ ଆସୁଥିଲେ ।  କିନ୍ତୁ  ଆଜି କାହିଁ ସେମିତି ଦେଖାଯାଉନି । ଯଦି ବି ଦେଖାଯିବ କିଛି ଫରକ ପଡ଼ିବନି । ପଠୋ ଉଠାହେବ ଗୋଟେ ଭୋଜିଭାତ ହେବ । କର୍ମୀମାନେ ନାଚିବେ ଗାଇବେ ଆଉ ଫଟୋସୁଟ୍ ହେବ । ନା ଆଉ କିଛି ହେବ ବୋଲି ଭାବୁଛନ୍ତି କି?

ଏଠି ଆଧୁନିକତାର ଜଳଜଳ ସମସ୍ତ ପରିସ୍ଥିତି ସତ୍ବେ ହଇଜାରେ ଲୋକେ ମରିବା ଏହା ସମାଜ ପାଇଁ ସରକାର ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ଲଜ୍ଚାକର କଥା ହେବାକଥା । କିନ୍ତୁ ହେଉଛି କି? ନା ସେପରି କାଇଁ ଅନୁଭବ ହେଉନାହିଁ । ନବେ ଦଶକରେ ଯେଉଁ କାର୍ଯ୍ୟ ପାଇଁ ସରକାରକୁ ନିନ୍ଦା ଅପବାଦ ଭୟ ରହୁଥିଲା, ତାହା ଆଜି ସେମିତି ହେବାର ଅଛି  ବୋଲି ଜଣାପଡୁନାହିଁ  ।  ଆଜି କିଏ ଖବର କାଗଜ ପୋଡିଛି କି? ହଁ ବିଧାନସଭାରେ ଉଠିଛି , ଚର୍ଚା ହୋଇଛି । ବାସ ବିଧାନସଭା ସରିଗଲା ମାନେ ଗଲା । କିଏ ମନେ ରଖୁଛି, କିଏ କେତେ ମଲେ ହଜିଲେ । ଯିଏ ମରିଲେ, ତା ପରିବାର ମନେ ରଖିବ । ତା ପରିବାର ଉଜୁଡିଯିବ । ସେ ପିଢ଼ି ପରେ ପିଢ଼ି ପୁଣି ତଳକୁ ତଳକୁ ଖସି କାନ୍ଦୁଥିବ, ଲୁହ ଝରାଉଥିବ । କାରଣ ହେଉଛି ତାର ଜନ୍ମ ସେଠାରେ  । ଆଉ ସେମିତି ସେ ବଂଚିବ ଯେମିତି ତା ପୂର୍ବପୂରୁଷ ବଂଚୁଥିଲେ ହଇଜାରେ , ଭୋକ ଉପାସରେ । ଆଉ ଆମେ, ତମେ, ଆପଣମାନେ ଲୁଟୁଥିବେ ତାଙ୍କୁ ଭୋଟ ନାମରେ ।

ଯେତେବେଳେ ଲୋକେ କହୁଛନ୍ତି ଜୀବନ ବଦଳିଛି, ଯୁଗ ଡିଜିଟାଲ ହୋଇଛି । ଯାତାୟାତ ସହଜ, ସୁନ୍ଦର ଭରସାଯୋଗ୍ୟ ହୋଇଛି । କଂପ୍ୟୁଟର, ଟିଭି, ସ୍ମାଟ ମୋବାଇଲ ର ଯୁଗ ଆସିଛି, ସୋସିଆଲ ଗଣମାଧ୍ୟମ ଠୁ ହାଇଟେକ ଚିକିତ୍ସା ସବୁକିଛି  ହାତପାଖରେ ଅଛି, ଜୀବନ ସହଜ ହୋଇଛି ।  ମଙ୍ଗଳ ଗ୍ରହରେ ଲୋକେ ରହିବା ପାଇଁ ସ୍ବପ୍ନ ଦେଖୁଛନ୍ତି । ମଣିଷର ଜୀବନଧାରଣର ମାନରେ ଅଭୂତପୂର୍ବ ପରିବର୍ତ୍ତନ ଆସୁଛି । ଏହିଭଳି ସମୟରେ କେତେ କାଶିପୁର ଓଡ଼ିଶା ଭିତରେ ଅଛି ତାହା ଦେଖିବାର ବେଳ ଆସିଛି । ହଇଜା ନିୟନ୍ତ୍ରଣ କରିବା ପାଇଁ କେତେ ଦିନ ଲାଗିବ ଏବେ କହିହେଉନାହିଁ । ଏବେର ଖବର ହେଉଛି କାଶିପୁରରେ 300ରୁ ଅଧିକ ଲୋକ ଏବେ ହଇଜାରେ ଆକ୍ରାନ୍ତ ହୋଇଛନ୍ତି ।  ଯାହା ଶୁଣିଲେ ବିଶ୍ବାସ ହେଉନାହିଁ  । କିନ୍ତୁ ଏହା ହିଁ ବ୍ରେକିଂ ନିଉଜ । ବାବୁ ବାଲକୋନି ଆସିଲେ, ଛିଙ୍କିଲେ, ହାତ ହଲେଇଲେ ନୁହଁ । ଏକଥା ମିଡିଆ ବୁଝୁନି, ଆଉ ଯିଏ ଜାଣିଶୁଣି ବୁଝୁନି ତାକୁ ବା କିଏ ବୁଝେଇପାରିବ ।

ଆରଏମଆରସି କହିବା ଅନୁସାରେ ଏହା ଭିବ୍ରିଓ କଲେରା । ଏକବିଂଶ ଶତାବ୍ଦିରେ ଆଖିକୁ ବିଶ୍ବାସ କରିହେଉନାହିଁ ଯେ ଲୋକେ ବିଶୁଦ୍ଧ ପାଣି ମୁନ୍ଦେ ପାଇପାରୁନାହାଁନ୍ତି । ଖାଦ୍ୟ ଖାଇବାକୁ ପାଉନାହାଁନ୍ତି । ଚିକିତ୍ସା ବି ମିଳିପାରୁନାହିଁ । କିନ୍ତୁ ସରକାରର ପାଟି, କାନ, ଆଖି ବନ୍ଦ ରହିଛି । ଗଣମାଧ୍ୟମ ପାଇଁ ଟୁଙ୍ଗୁରୁ1- ଟୁଙ୍ଗୁରୁ-2, ଟୁଙ୍ଗୁରୁ ନିଉ ଏବଂ ବାବୁସାନ ପାର୍ଟ-ଓ୍ବାନ, ପାର୍ଟ-ଟୁ, ପାର୍ଟ-ଥ୍ରି ପରେ ଆଉ ସବୁ କେତେ କଣ ମସଲା ଖବର ଅଛି । ଏସବୁ ଇଣ୍ଟରଟେନମେଂଟ ଭିତରେ ଓଡ଼ିଶାର ଦୁଃଖ  କିଏ ? ସେ ଦୁଃଖ କିଏ ହରଣ କରିବ, କିଏ ବୁଝିବ ?  କିଏ ଜାଣିବ? କିଏ ଜଣେଇବ? ଏହି ପ୍ରଶ୍ନ ବୁଦ୍ଧିଜୀବୀମାନେ କରୁଛନ୍ତି । ସାଧାରଣ ଲୋକ ଜଳକା ହୋଇ ଯାହା ନଦେଖିବା କଥା ଦେଖୁଛି, ଯାହା ନଜାଣିବା କଥା ଜାଣୁଛି  । କାରଣ ଦେଖିଲାମାନେ ତ ସେହି ଖବର ଆସୁଛି ବ୍ରେକିଂ ବାବୁସାନ ଏବେ କେଉଁଠି? ଆଉ ବାବୁସାନ ଘର ପାଖରେ କିଏ? ମୋବାଇଲ ଦେଖିଲେ, ଫେସବୁକ , ୟୁଟ୍ୟୁବ୍ , ଟିଭି ଖୋଲିଲେ କାହିଁ କାଶିପୁର ହଇଜା ରୋଗୀର ମୁହଁ ଦେଖାଯାଉନି । ଦେଖାଯାଉଛି ବାବୁସାନ, ପ୍ରକୃତି, ଟୁଙ୍ଗୁରୁ ଭଳି ହଜାର ହଜାର ଚେହେରା । ଯାହାର ଉତ୍ତର କାହା ପାଖରେ ନାହିଁ । ତେବେ ଏସବୁ ପ୍ରତି ଆପଣ କଣ ଭାବୁଛନ୍ତି ତାହା ହିଁ ବଡ଼ କଥା । ଓଡ଼ିଶାର କେଉଁ ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ତାହାର ନିଷ୍ପତ୍ତି ଆପଣଙ୍କର ।

Comments are closed.