ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ବଡ଼ଦାଣ୍ଡର ଆକର୍ଷଣ ଭକ୍ତ ମନରେ ନିଆରା ଅନୁଭବ ଆଣିଥାଏ । ଏହାର ବିସ୍ତୃତ ରୂପ, ପ୍ରଶସ୍ଥ ଅବୟବ ଦୁଇ ପାଶ୍ୱର୍ର ସୌନ୍ଦର୍ଯ୍ୟ ସହିତ ସଦାପ୍ରବହମାନ ଶୀତଳ ପବନ ସମସ୍ତଙ୍କୁ ଆନନ୍ଦ ଦେଇଥାଏ । ବିଶେଷକରି ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଲୋକାରଣ୍ୟ ଏହି ଦାଣ୍ଡରେ ଅଗଣିତ ଭକ୍ତ ଏକତ୍ରିତ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହୋଇଥାଆନ୍ତି । ସେଥିରେ ପ୍ରଲୁବ୍ଧ ହୋଇ କବିମାନସରେ ଅନେକ କବିତା ଉଙ୍କି ମାରେ । ପ୍ରାଚୀନ କାଳରୁ ଆରମ୍ଭ କରି ଆଧୁନିକ ଯୁଗରେ କବିମାନେ ବଡ଼ଦାଣ୍ଡକୁ ନେଇ ଅନେକ କବିତା ରଚନା କରିଛନ୍ତି । ବଡ଼ଦାଣ୍ଡର ମହିମାରେ ପ୍ରଭାବିତ ହୋଇ ଅନେକ ସାହିତ୍ୟିକ ମଧ୍ୟ ନିଜର ଗଦ୍ୟ ରଚନାରେ ଏହି ଦିବ୍ୟ ଦାଣ୍ଡକୁ ସ୍ଥାନିତ କରିଛନ୍ତି ।
ସପ୍ତଦଶ ଶତାବ୍ଦୀରେ ଜନ୍ମିତ ଭକ୍ତକବି ସାଲବେଗଙ୍କର ମାତା ବ୍ରାହ୍ମଣ ଜାତିର ଥିବାବେଳେ ପିତା ମୁସଲମାନ ଥିବାରୁ ଶ୍ରୀମନ୍ଦିର ପ୍ରବେଶ ଅଧିକାର ପାଇନଥିଲେ । ଏଣୁ କେବଳ ଶ୍ରୀଗୁଣ୍ଡିଚା ବେଳେ ବଡ଼ଦାଣ୍ଡରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅଭିଳାଷ ନେଇ ସେ ଚାଲି ଚାଲି ଶ୍ରୀକ୍ଷେତ୍ରକୁ ଆସିଥିଲେ । ତାଙ୍କର କେତେଗୋଟି କାଳଜୟୀ ଭକ୍ତିପୂତ ରଚନା ଏବେ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ । ତାଙ୍କ ରଚିତ ‘ଜଗବନ୍ଧୁ ହେ ଗୋସାଇଁ’ ଶୀର୍ଷକ କବିତାରୁ ପଦେ ଏହିପରି…‘ ସାତଶ ପାଞ୍ଚାଶ କୋଶ ଚାଲି ନ ପାରଇ ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି ।’
ସେହି ଭକ୍ତ ସାଲବେଗଙ୍କ ଅନ୍ୟ ଏକ କବିତା ଆହେ ନୀଳଗିରିର ଭାଷାରେ
‘ବଡ଼ଦାଣ୍ଡେ ଦେଖି ହେଲି ତୋଷ
ରେଣୁ ମାତ୍ର ତେଣୁ କଲି ଗ୍ରାସ
କ୍ଷୀରି ଖେଚେଡ଼ିରେ ମନ ନ ବୋଧଇ,
ଟଙ୍କ ତୋରାଣିରେ ମନ ତୋଷ, ଆହେ ନୀଳଗିରି
କବିତା ରଚନା କ୍ଷେତ୍ରରେ ବଡ଼ଦାଣ୍ଡର ପ୍ରାଧାନ୍ୟ କିଛି କମ୍ ନୁହେଁ । ପ୍ରାଚୀନ କବିମାନଙ୍କ ଲେଖନୀ ନିଃସୃତ ରଚନାରେ ବଡ଼ଦାଣ୍ଡର ମହିମା ଆପେ ଆପେ ପ୍ରକଟିତ ହୋଇଛି । ବଡ଼ଦାଣ୍ଡ ବା ଶରଧା ବାଲିରେ ଖଣ୍ଡେ କୁଡ଼ିଆ କରିବା ପାଇଁ ଅସଂଖ୍ୟ ଭକ୍ତଙ୍କ ଅଭିଳାଷ ସହଜରେ ବାରି ହୋଇପଡ଼େ । ସେଥିରେ ନିଜ ଘର ପିଣ୍ଡାରେ ବା ଛାତ ଉପରେ ବସି ଗୁଣ୍ଡିଚା ଯାତ ଉପଭୋଗ କରିବାର ଆକାଙ୍କ୍ଷା ନିହିତ ଥାଏ । ଅନୁଧ୍ୟାନ କଲେ ଜଣାଯାଏ ଏକଦା ବଗିଚା ଓ ତୋଟା ଶୋଭିତ ପୁରାତନ ବଡ଼ଦାଣ୍ଡର ଦୁଇପାଶ୍ୱର୍ ସମୟ କ୍ରମେ ପ୍ରାସାଦ ମାଳାରେ ଶୋଭା ପାଉଅଛି । କବି ପୁରୁଷୋତ୍ତମ ଦାସ ତାଙ୍କର ଅଠରନଳା
ବୋଲିରେ ଲେଖିଛନ୍ତି…
‘କେ ବୋଲଇ ଆଲୋ ସର ଲୋ, ବଡ଼ଦାଣ୍ଡେ କର ଘର ଲୋ
ଗୁଣ୍ଡିଚା ବାହୁଡ଼ା ଲେଉଟାଣୀ ବେଳେ ବସାକୁ ନଥିବ ଡରଲୋ ।’
କବି ଗୌରଚରଣ ଅଧିକାରୀଙ୍କ ଭାଷାରେ…
‘ସଳଖ ସୁନ୍ଦର ବଡ଼ ଦାଣ୍ଡ ଶୋଭା
ମର୍ତ୍ତ୍ୟ ମଣ୍ଡଳରେ କାହିଁ ଅଛି ନା
ଶରଧା ବାଲିରୁ ସ୍ୱର୍ଗଦ୍ୱାର ଯାଏଁ
ଗହଳ ଚହଳ ନୁହେଁ କଳନା ।’
ସେହି କବି ପୁନଶ୍ଚ ତାଙ୍କ ‘କାଳିଆ କାହ୍ନୁ ! ଆଉ ବିଳମ୍ବ କର କାହିଁକି
?’ କବିତାରେ ଲେଖନ୍ତି
‘କେ କେତେ ଢ଼ମାଳୀ ଗୀତ ଶୁଣାଇବେ
କେ କେତେ କରିବେ ଟାହିକି
ଖଣ୍ଡି ଚିରଦୁଃଖ ମଣ୍ଡି ଦେବ ଆଜ
କ୍ଷେତ୍ର ବଡ଼ଦାଣ୍ଡ ସାହିକି । ’
କବି ଭିକାରୀଙ୍କ ଭାଷାରେ (୧୭ମ ଶତାବ୍ଦୀ)
‘ଧନ୍ୟ ବଡ଼ଦାଣ୍ଡ ସର୍ବ ପାପ ଖଣ୍ଡ ସକଳ ତୀର୍ଥ ସେବନ୍ତି ତାହାକୁ
ଗୋରୁ ବିପ୍ର ମାରି ଗୁରୁ ପତ୍ନୀ ହରି ସେ ଠାବକୁ ଗଲେ
ବହେ ପାପକୁ
ତଳେ ହସ୍ତକୁ ଦେଇ ମସ୍ତକୁ ଗଡ଼ଘାଲି ଶୁଅ ବଡ଼ଦାଣ୍ଡକୁ’
କବି ସାରିଆ ଭିକଙ୍କ ଭାଷାରେ (୧୭ମ ଶତାବ୍ଦୀ)
‘ପହଁଞ୍ଚିବା ବଡ଼ଦାଣ୍ଡେ ସେ ରେଣୁ ପାଇବା ତୁଣ୍ଡେ
ଛତା ତଳେ ରହି ଦଣ୍ଡେ ସାଧୁଙ୍କ ସେବା କରିବା
ଥକା ମନ ଚାଲଯିବା……’
କବି ବନମାଳୀ ଦାସଙ୍କ ଭାଷାରେ
‘ଜଗନ୍ନାଥ ହୋ! କିଛି ମାଗୁ ନାହିଁ ତତେ
ଧନ ମାଗୁ ନାହିଁ ଜନ ମାଗୁ ନାହିଁ
ମାଗୁଛି ଶରଧା ବାଲିରୁ ହାତେ ।’
କବି ବୈଷ୍ଣବ ପାଣିଙ୍କ ଭାଷାରେ
‘ବଡ଼ ତୋ ଦେଉଳ ବଡ଼ ଧଣ୍ଡାମାଳ ସେବକ ତୋ ବଡ଼ପଣ୍ଡା
ବଡ଼ ଚୂଳ ନୀଳାଚଳ ପରେ ଚେଳୀ ପତାକା ହୋଇଛି ବନ୍ଧା ।
ମୂଳ ତାରଣ ହେ! ପୁଣି ବଡ଼ଖଣ୍ଡା ତୋ ଭଣ୍ଡାରେ
ବଡ଼ ଛତା ବଡ଼ ଦାଣ୍ଡ ବୋଲି ହୁରି ପଡ଼ିଅଛି
ବ୍ରହ୍ମାଣ୍ଡରେ ।’
ଆମ ସମୟର ଲୋକପ୍ରିୟ ଗାୟକ ଭିକାରୀ ବଳଙ୍କ ସ୍ୱରରେ
‘ଏମିତି ଏ ବଡ଼ଦାଣ୍ଡ ହାତପାତି ରହିଥିବି
ପତିତପାବନ ପତକାଙ୍କୁ ଚାହିଁ ତୋର ନାମ ଗାଉଥିବି
କାଳିଆରେ ଦୁଃଖ ମୋର ଭୁଲିଯିବି…..’
ପୁଣି ସେ ଗାଇଛନ୍ତି…
‘ହାତରେ ମୋ ମୁଠା ମୁଠା ଶରଧା ବାଲି
ଠାକୁରେ ଶରଧା ବାଲି,
ନରେନ୍ଦ୍ରର ଜଳ ପଡ଼େ ମଥାରୁ ଝରି
ଦେହରେ ମୋ ବୋଳା ବଡ଼ଦାଣ୍ଡର ଧୂଳି
କହ ଚକାଡୋଳା ପର ହେଲି କିପରି ।’
ଶ୍ରୀକ୍ଷେତ୍ରର କବି ପ୍ରଫୁଲ୍ଲ କରଙ୍କ କବିତା ‘ହୃଦକୁ କରିଛି ରତ୍ନ ସିଂହାସନ’
କବିତାରେ ଲେଖନ୍ତି…
‘ମୋ ରକତ ବିନ୍ଦୁ ବଡ଼ ଦାଣ୍ଡରେଣୁ, ମଥା ମୋର ସ୍ୱର୍ଗଦ୍ୱାର
ବାର ମାସେ ତେର ଯାତ ହେଉଥିବ, ଏଇ ମାଟି ଦେହେ ମୋର
ଏ ଜୀବ ଛାଡ଼ିବ ତୁମେ ବସିଥିବ, ହୃଦୟ ବେଦିରେ ମୋର ।’
କବୟତ୍ରୀ ପ୍ରଭାତୀ ପଣ୍ଡାଙ୍କ ଭାଷାରେ…
‘ନିତି ବଡ଼ଦାଣ୍ଡେ ଚାଲିବାକୁ ପ୍ରଭୁ
କେତେ ଯେ ଚାହିଁଛି ମୁହିଁ
ମୋ ଘର ଅଗଣା ବଡ଼ଦାଣ୍ଡ ହେଲେ
ଦୁଃଖ ତ ରହିବ ନାହିଁ,
ପ୍ରଭୁ! କେତେ ଯେ ଚାହୁଁଛି ମୁହିଁ ।’
ବଡ଼ଦାଣ୍ଡକୁ ନେଇ ରଚିତ କବିତା ସମୁହର ଏହି ବିବରଣୀ ସମ୍ପୂର୍ଣ୍ଣ ନହେଇପାରେ! ଅନୁଧ୍ୟାନ କଲେ ଆହୁରି ଅନେକ କବିତା, ଭଜନ ଓ ଜଣାଣ ଇତ୍ୟାଦିରେ ବଡ଼ଦାଣ୍ଡର ଅବତାରଣା ଅବଶ୍ୟ ମିଳିପାରେ । ଏହି ଆଲେଖ୍ୟରେ କେବଳ କେତେଗୋଟି ପ୍ରାଚୀନ ରଚନାର ଉଦାହରଣ ଦିଆଯାଇଛି ।
ବିପୁଳ ଐତିହ୍ୟର ଐଶ୍ୱର୍ଯ୍ୟରେ ମହିମାନ୍ୱିତ ଶ୍ରୀକ୍ଷେତ୍ରର ଏହି ବଡ଼ଦାଣ୍ଡ । ଭକ୍ତମାନଙ୍କର ଶ୍ରଦ୍ଧା ଓ ମହାପ୍ରଭୁଙ୍କ ପ୍ରତି ଭକ୍ତିଭରା ଆବେଗରେ ଏହି ଦାଣ୍ଡର ମହିମା ଆକାଶକୁ ଛୁଇଁଛି । ରଥଯାତ୍ରାର କୋଳାହଳ ହେଉ ବା ଚନ୍ଦନ ଯାତ୍ରାରେ ଠାକୁରମାନଙ୍କ ଚନ୍ଦନ ପୋଖରୀକୁ ଯାତ୍ରା ପଟୁଆର ହେଉ ସବୁଥିରେ ଭଜନ କୀର୍ତ୍ତନ ଘଣ୍ଟ ମାଦଳ ହରିବୋଲ ହୁଳହୁଳି ଓ ବୀରକାହାଳୀର ଗର୍ଜନରେ ପ୍ରକମ୍ପିତ ଏହି ଦାଣ୍ଡ ଭକ୍ତି ଓ ଉନ୍ମାଦରେ ଉଛୁଳି ପଡ଼େ । ସେହି ଉନ୍ମାଦନାର ପ୍ରକମ୍ପନ ଅନ୍ତରୀକ୍ଷରେ ପ୍ରତିଧ୍ୱନୀତ ହୋଇ ବିଭୂ କୃପାର ରୂପ ନେଇ ପୁଣି ସେହି ଭକ୍ତଙ୍କ ନିକଟକୁ ଫେରିଆସେ । ଏହି ଦିବ୍ୟ ପ୍ରକ୍ରିୟାକୁ କେବଳ ଭାବରେ ହିଁ ଅନୁଭବ କରାଯାଇପାରେ । ଏହି ଦାଣ୍ଡକୁ ‘ଐତିହ୍ୟର ଦାଣ୍ଡ’ ବୋଲି ନାମ ମାତ୍ର ସ୍ୱୀକୃତିକୁ ଭକ୍ତମାନଙ୍କର ଭାବାବେଗ କେବେ ବି ଅପେକ୍ଷା ରଖିନାହିଁ । କାଳିଆ ସାଆନ୍ତଙ୍କ ‘ଲୀଳା- ବୈକୁଣ୍ଠ’ ଭାବେ ପରିଚିତ ଏହି ବଡ଼ଦାଣ୍ଡର ମାହାତ୍ମ୍ୟ ଯୁଗେ ଯୁଗେ ଜାଜ୍ଜୁଲ୍ୟମାନ ସ୍ଥିିତିରେ ରହିଆସିଛି ଏବଂ ରହିଥିବ ।
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯
Comments are closed.