Latest Odisha News

BREAKING NEWS

ଅନୁବାଦ କବିତା : ସେ ପ୍ଲମ୍ୱରର ନାଁ କ’ଣ ?

ମୂଳ ହିନ୍ଦୀ : ରାଜେଶ ଜୋଶୀ 

ମୁଁ ଦୁନିଆର କେତେ ଏକଛତ୍ରବାଦୀଙ୍କ ଜୀବନୀ ପଢିସାରିଛି
କେତେ ଦୁର୍ଦ୍ଦାନ୍ତ ହତ୍ୟାକାରୀଙ୍କ ବିଷୟରେ ବି ଜାଣିଛି ବହୁତ କିଛି
ଦୁର୍ନୀତି ଓ ଯୌନ ପ୍ରକରଣମାନଙ୍କରେ
ଚର୍ଚ୍ଚିତ ବହୁତ ଉଚ୍ଚ ଅଧିକାରୀଙ୍କ ବିଷୟରେ ତ
କହିପାରିବି ଅନେକ କିଛି ଅନ୍ତରଙ୍ଗ କଥା
ଆଉ ନିହାତି ବେକାରିଆ କିସମର ରାଜନେତାଙ୍କ ବିଷୟରେ
ଘଣ୍ଟା ଘଣ୍ଟା ଧରି ଗପିପାରିବି ଧାରାବାହିକ ଭାବେ
କିନ୍ତୁ ଘଣ୍ଟାଏ ହେଲାଣି ଚେଷ୍ଟା କରି ଚାଲିଛି
ହେଲେ ମନେ ପଡୁନି ଏବେ ମୋର ସେହି ପ୍ଲମ୍ୱରର ନାମ
ଯିଏ କେତେ ଥର ଆସି ସାରିଛି ଆମ ପାଇପ ଲାଇନରେ
ପ୍ରାୟ ହେଉଥିବା ଅସୁବିଧାକୁ ସଜାଡିବା ଲାଗି
ସେ କେଉଁଠି ରହେ, କେଉଁଠି ତା’ର ସାକ୍ଷାତ ମିଳିବାର ଠିକଣା

କିଛି ବି ମନେ ନାହିଁ
ତା’ ପରିବାର ବିଷୟରେ ତ, ଛାଡ …
ଆଶ୍ଚର୍ଯ୍ୟର କଥା ! ମୁଁ ଖରାପ ଲୋକଙ୍କ ବିଷୟରେ କେତେ କ’ଣ ଜାଣେ
ଆଉ ସେମାନଙ୍କଠୁ ବି ବେଶି ଖରାପ ଲୋକଙ୍କ ବିଷୟରେ, ତ ଆହୁରି ବେଶି
ଯଦିଓ ପାଇପଲାଇନରେ ହେଇଥିବା କୌଣସି ଅସୁବିଧାକୁ
କୌଣସି ଏକଚ୍ଛତ୍ରବାଦୀ ସଜାଡିଥିବାର
କୌଣସି ଉଲ୍ଲେଖ ତା’ ଜୀବନୀରେ ମିଳେ ନାହିଁ
ଏମିତି ସମୟରେ ସବୁବେଳେ ସ୍ତ୍ରୀମାନେ ହିଁ ସାହାଯ୍ୟ କରି ପାରିଥାଆନ୍ତି
ଇଏ ନିଶ୍ଚୟ ଟିକେ ଅଜବ ଲାଗିପାରେ, ହେଲେ ଇଏ ହିଁ ସତ
ସ୍ତ୍ରୀମାନେ ହିଁ ସେହି ଲୋକମାନଙ୍କ ବିଷୟରେ ସବୁଠୁ ବେଶି ଜାଣିଥାଆନ୍ତି
ଯେଉଁମାନେ ଅସମୟରେ କାମରେ ଆସନ୍ତି
ଯିଏ ଜୀବନର ଛୋଟ ଛୋଟ ଅସୁବିଧାଗୁଡିକୁ
ସଜାଡିବାର କଳାକୌଶଳ ଜାଣିଥାଆନ୍ତି
ପତ୍ନୀ ଜାଣିଥିଲେ ଯେ ଚାରି ଦିନ ତଳେ
ମେହେନ୍ତରାଣି ଘରେ ପିଲା ଜନ୍ମ ହେଇଛି
ସେ ତା’ର ପିଲାଟି ପାଇଁ ଆମ ଝିଅର ପିଲାବେଳର ଜାମା
ବାହାର କରୁଥିଲେ ସେତିକିବେଳେ

ଯେତେବେଳେ ଥକି ହାରି ମୁଁ ଡାକ ପକାଇଲି
“ହଇହୋ … ସେ ପ୍ଲମ୍ୱରର ନାଁ କ’ଣ ?”

ଅନୁବାଦ : ସରଳ କୁମାର ଦାସ

୪୮୬ ନୀଳକଣ୍ଠ ନଗର, ନୂଆପଲ୍ଲୀ,
ଭୁବନେଶ୍ଵର -୭୫୧୦୧୨ ମୋ. ୯୪୩୭୦୩୮୦୧୫

Leave A Reply

Your email address will not be published.