Latest Odisha News

‘ଭୋକରେ ଥିଲେ ବଡଠାକୁର, ନେତ୍ର ବି ପାଇନଥିଲେ’, ବଡ ବୟାନ ଦେଲେ ବଡଠାକୁରଙ୍କ ବାଡଗ୍ରାହୀ

ପୁରୀ: ଗୁଣ୍ଡିଚା ବିଜେ ପହଣ୍ଡି ବେଳେ ବଡଠାକୁର ଚାରମାଳରୁ ପଡିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି । ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ ପ୍ରବେଶକୁ ଅନେକ ସ୍ଥଳରେ ଦାୟୀ କରାଯାଇଥିବା ବେଳେ ଏନେଇ ବିସ୍ଫୋରକ ବୟାନ ଦେଇଛନ୍ତି ମହାପ୍ରଭୁ ବଳଭଦ୍ରଙ୍କ ମୁଖ୍ୟ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ଗୁଣ୍ଡିଚା ଦିନ ମହାପ୍ରଭୁ ଭୋକରେ ପହଣ୍ଡି କରିଥିଲେ ବୋଲି ସେ କହିଛନ୍ତି ।

ବାଡଗ୍ରାହୀଙ୍କ କହିବା ଅନୁଯାୟୀ, ଗୋଟିଏ ଦିନରେ ଗୁଣ୍ଡିଚା ଓ ନେତ୍ରୋତ୍ସବ ନୀତି କରାଯାଇପାରିବ ନାହିଁ । ଏଥିପାଇଁ ସେବକମାନେ ନୀତି କାନ୍ତିରେ ଅବହେଳା କରିଛନ୍ତି । ଯାହାଦ୍ବାରା ଠାକୁରଙ୍କ ନବଯୌବନ ନୀତି କାନ୍ତିରେ ମହାବିଭ୍ରାଟ ହୋଇଛି । ଏହା ସହିତ ଠାକୁର ଅଣସର ଘରେ ଥିବା ବେଳେ ଆଜ୍ଞାମାଳ କେମିତି ରଥକୁ ଗଲା ବୋଲି ତାହା ପ୍ରଶ୍ନ କରିଛନ୍ତି ବାଡଗ୍ରାହୀ । ଏହାସହିତ ମହାପ୍ରଭୁଙ୍କୁ ନା ନେତ୍ର ଦିଆଯାଇଥିଲା, ନା ଖାଇବାକୁ ଦିଆଯାଇଥିଲା, ଭୋକ ଉପାସରେ ମହାପ୍ରଭୁ ଯାତ୍ରା କରିଥିବାରୁ ଏଭଳି ଅଘଟଣ ଘଟିଛି ବୋଲି କହିଛନ୍ତି ବାଡଗ୍ରାହୀ ।

ଅନ୍ୟପଟେ ଅଣସେବୟତ ଓ ରଥ ଉପରେ ମୋବାଇଲ ଫୋନକୁ ମଧ୍ୟ ମୁଖ୍ୟ କାରଣ ବୋଲି କହିଛନ୍ତି ବାଡଗ୍ରାହୀ । ଏନେଇ ବାଡଗ୍ରାହୀ କହିଛନ୍ତି, କିଛି ସେବାୟତ ଯାହାଙ୍କର ପହଣ୍ଡିରେ କୌଣସି କାମ ନଥିଲା ସେମାନେ ପହଣ୍ଡିରେ ପଶି ଗହଳି ସୃଷ୍ଟି କରିଥିବାରୁ ଏଭଳି ଅଘଟଣ ଘଟିଲା । ରଥ ଉପରେ ଫଟୋଉଠାଇବା, ସେବାୟତଙ୍କ ଖାମଖିଆଲି କାମ ଏସବୁ କିଛି ପାଇଁ ଦାୟୀ ବୋଲି ସେ କହିଛନ୍ତି ।

ଏହା ସହିତ ଆଗକୁ ବାହୁଡା ଯାତ୍ରା କିପରି ସୁରୁଖୁରୁରେ ହେବ ସେନେଇ ସମସ୍ତ ବ୍ୟବସ୍ଥା ପ୍ରଶାସନ କରିବ ବୋଲି କହିଛନ୍ତି ବାଡଗ୍ରାହୀ । ପହଣ୍ଡି ସମୟରେ ନିର୍ଦ୍ଦିଷ୍ଟ ସେବାୟତଙ୍କୁ ମୁତୟନ କରାଯିବ । ସେମାନେ ହିଁ ମହାପ୍ରଭୁଙ୍କ ପହଣ୍ଡି କରାଇବେ ।

ତେବେ ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି ବେଳେ ଚାରମାଳରୁ ଖସି ମୁହଁମାଡି ପଡିଯାଇଥିଲେ । ଏହାକୁ ନେଇ ଚାରିଆଡେ ଅସନ୍ତୋଷ ଖେଲିଯାଇଥିଲା । ଏହା ପରେ ନୂଆ କରି ନିଯୁକ୍ତ ହୋଇଥିବା ଶ୍ରୀମନ୍ଦି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ରଥରେ ମୋବାଇଲ ଫୋନ୍ ନିଷେଧ ଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.