Latest Odisha News

BREAKING NEWS

ବଢ଼ିଛି ରେଳ ବଜେଟ୍, ତଥାପି କାହିଁକି ଲୌହଦାନବ ନେଉଛି ଜୀବନ ?

ଭୁବନେଶ୍ୱର: ଆମେରିକା, ଋଷିଆ ଓ ଚୀନ ପରେ ବିଶ୍ୱର ସବୁଠୁ ବଡ଼ ରେଳ ନେଟୱର୍କ ଭାରତରେ ରହିଛି । ୧ ଲକ୍ଷ ୨୬ ହଜାର ୩୬୬ କିଲୋମିଟର ଯାଏ ଭାରତରେ ରେଳ ଟ୍ରାକ୍ ଲମ୍ବିଥିବା ବେଳେ ରହିଛି ୭ ହଜାର ୭୩୫ଟି ରେଲୱେ ଷ୍ଟେସନ୍ । ଭାରତରେ ଦୈନିକ ୧୩ ହଜାର ୫୨୩ ଯାତ୍ରୀବାହୀ ଟ୍ରେନ୍ ସହ ୯ ହଜାର ୧୪୬ଟି ମାଲବାହୀ ଚଳାଚଳ କରିଥାଏ । ଏବେ ଭାରତୀୟ ରେଳବାଇରେ ୧.୩ ମିଲିୟନ୍ ଲୋକ କାର୍ଯ୍ୟ କରୁଛନ୍ତି । ଭାରତୀୟଙ୍କ ଜୀବନ ଯାତ୍ରାର ଅଭିନ୍ନ ଅଙ୍ଗ ହେଉଛି ଭାରତୀୟ ରେଳ ।

ଓଡ଼ିଶାରେ ୫ ହଜାର ୭୮୩ କିଲୋମିଟର ରେଳପଥ ରହିଛି । ଓଡ଼ିଶାରେ ରହିଥିବା ରେଳପଥର ୭୨ ପ୍ରତିଶତ ପୂର୍ବତଟ ରେଳପଥ ଅଧିନରେ ଆସୁଥିବା ବେଳେ ୨୪ ପ୍ରତିଶତ ଦକ୍ଷିଣ-ପୂର୍ବତଟ ଅଧିନରେ ଏବଂ ୪ ପ୍ରତିଶତ ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳପଥ ଅଧିନରେ ଆସୁଛି ।

ନିକଟରେ ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ଓଡ଼ିଶା ଲାଇମ୍ ଲାଇଟରେ ରହିଛି । ସରକାରଙ୍କ ସୂଚନା ଅନୁସାରେ, ବାହାନଗା ଟ୍ରେନ୍ ଟ୍ରାଜେଡିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଛନ୍ତି । ବାହାନଗା ଦୁର୍ଘଟଣା ପାଇଁ ଦାୟୀ କିଏ ? କାହିଁକି ଏତେ ବଡ଼ ଅଘଟଣ ଘଟିଲା ତାର ତଦନ୍ତଭାର ଜିଆରପି ଠାରୁ ସିବିଆଇ ନେଇ ଯାଞ୍ଚ ଆରମ୍ଭ କରିଛି ।

କେବଳ ବାଲେଶ୍ୱରର ବାହାନଗା ନୁହେଁ ୨୦୧୪ରୁ ୨୦୨୩ ମଧ୍ୟରେ ଦେଶରେ ଏଭଳି ୮ଟି ଟ୍ରେନ୍ ଦୁର୍ଘଟଣା ହୋଇଥିବା ବେଳେ ୫୮୬ ଜଣ ଜୀବନ ହାରିଛନ୍ତି । ବାରମ୍ବାର ଲୌହମାନବ ଟ୍ରାକରୁ ଖସୁଥିବା ବେଳେ ପ୍ରଶାସନର ବିଫଳତା ପଦାକୁ ଆସୁଛି ।

ନିକଟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ଦେଶର ରେଳ ଟ୍ରାକକୁ ଅପଗ୍ରେଡ୍ କରାଯାଉଛି । ଫଳରେ ଟ୍ରେନ୍ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଦୌଡ଼ି ପାରିବ । ଏପରିକି ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ରେଳ ଟ୍ରାକରେ ଦୌଡ଼ିବା ନେଇ କାମ ଚାଲିଥିବା କହିଥିଲେ ରେଳ ମନ୍ତ୍ରୀ ।

ଭାରତର ରେଳ ବଜେଟ୍ ପ୍ରତିବର୍ଷ ବଢ଼ୁଥିବା ବେଳେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ତଥାପି କାହିଁକି ଯାତ୍ରୀଙ୍କୁ ସୁରକ୍ଷା ଦିଆଯାଇ ପାରୁନି । ସରକାରୀ ରିପୋର୍ଟ ଅନୁସାରେ, ୨୦୧୯-୨୦ ବର୍ଷରେ ୭୦ ପ୍ରତିଶତ ଦୁର୍ଘଟଣାର କାରଣ ଟ୍ରେନ୍ ଟ୍ରାକରୁ ଖସିଯିବା । ତେବେ କାହିଁକି ଟ୍ରେନ୍, ଟ୍ରାକରୁ ଖସୁଛି । ବିବିସିର ରିପୋର୍ଟ ଅନୁସାରେ, ଟ୍ରାକରୁ ଟ୍ରେନ୍ ଖସିବାର ମୁଖ୍ୟ କାରଣ ହେଉଛି ଖରାପ ରେଳ ଧାରଣା । ୨୦୨୨ ମସିହାରେ ଟ୍ରେନ୍ ଦୁର୍ଘଟଣା ନେଇ ସିଏଜି ଉଦବେଗ୍ ପ୍ରକାଶ କରିଥିଲେ ।

ରିପୋର୍ଟ ଅନୁସାରେ, ୨୦୧୭-୧୮ ଏବଂ ୨୦୨୧-୨୨ ମଧ୍ୟରେ ସୁରକ୍ଷା ପାଇଁ ସରକାର ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୭-୧୮ରେ ଟ୍ରେନ୍ ଓ ରେଳ ଧାରଣା ମରାମତି ପାଇଁ ୮, ୮୮୪ କୋଟି ଖର୍ଚ୍ଚ ହୋଇଥିବା ବେଳେ ୨୦୨୦-୨୧ରେ ୧୩ ହଜାର ୫୨୨ କୋଟି, ୨୦୨୧-୨୨ରେ ୧୬ ହଜାର ୫୫୮ କୋଟି ଖର୍ଚ୍ଚ ହୋଇଛି । ୨୦୧୭ରୁ ୨୦୨୨ ଗତ ବର୍ଷରେ ରେଳ ଧାରଣା ମରାମତି ପାଇଁ ସରକାର ମୋଟ ୫୮ ହଜାର ୦୪୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଯେତେବେଳେ କି ୨୦୧୯-୨୦ ବର୍ଷରେ ମୋଟ ରେଳ ବଜେଟ୍ ଥିଲା ୬୮ ହଜାର ୧୯ କୋଟି ।

ତେବେ ଦେଶରେ ଟ୍ରେନ୍ ଦୁର୍ଘଟଣା ରୋକିବାକୁ ସରକାର କବଚ୍ ଡିଭାଇସ୍ ଆଣିଥିଲେ । ୨୦୧୨ରେ ଭାରତରେ ତିଆରି କରାଯାଇଥିବା ଏହି କବଚ୍ ଡିଭାଇସ୍ ଦ୍ୱାରା ଇଞ୍ଜିନ୍ ଓ ରେଳ ଧାରଣାରେ ବେଗକୁ କମ୍ କରାଯାଇ ପାରିବ । ଏପରିକି କୌଣସି ବିପଦ ଆସିଲେ ଏହା ସ୍ୱୟଂ ଟ୍ରେନର ବ୍ରେକିଂ ସିଷ୍ଟମକୁ ସକ୍ରିୟ କରି ଟ୍ରେନକୁ ରୋକି ପାରିବ ।

Leave A Reply

Your email address will not be published.