Latest Odisha News

BREAKING NEWS

କର୍ଫ୍ୟୁ ଭିତରେ ବାହୁଡିଲେ ମହାପ୍ରଭୁ, ସିଂହଦ୍ୱାର ସମ୍ମୁଖରେ ୩ ରଥ

ପୁରୀ: କର୍ଫୁ ଭିତରେ ବାହୁଡିଲେ ମହାପ୍ରଭୁ । ବିନା ଭକ୍ତରେ ସରିଲା ବାହୁଡା ଯାତ୍ରା । ଜନ୍ମବେଦୀରୁ ପୁଣି ରତ୍ନବେଦୀକୁ ଫେରିବେ ତିନି ଠାକୁର । ସିଂହଦ୍ୱାର ସମ୍ମୁଖରେ ୩ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଂଚିବା ପରେ ପବିତ୍ର ବାହୁଡ଼ା ଯାତ୍ରା ଶେଷ ହୋଇଛି। ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡି ଆସିଛନ୍ତି।

ବାହୁଡ଼ା ଯାତ୍ରା ଅବସରରେ ଆଜି ପ୍ରଥମେ ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ରଥକୁ ପୂର୍ବାହ୍ନ ୧୧ଟା ୨୫ରେ ଟଣା ଯାଇଥିଲା। ଦର୍ପଦଳନ ଗଡ଼ିବା ପରେ ଅପରାହ୍ନ ୧ଟାରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରୁ ବଡଦେଉଳ ଅଭିମୁଖେ ଫେରି ଆସିଛନ୍ତି।

ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ଗହଳ ଲଗାଇ ଆସିଥିବାରୁ ବଡ଼ ଭାଇ ଓ ଭଉଣୀ ପହଂଚିବାର ପ୍ରାୟ ୧ ଘଣ୍ଟା ପରେ ପହଂଚିଥିଲେ। ସିଂହଦ୍ବାରରେ ନିର୍ଦ୍ଧାରିତ ସମୟରେ ପହଂଚିବା ପୂର୍ବରୁ ଶ୍ରୀନଅରଠାରେ ଲକ୍ଷ୍ମୀନାରାୟଣଙ୍କ ଭେଟ ହୋଇଥିଲା। ଶ୍ରୀନଅରଠାରୁ ନନ୍ଦିଘୋଷ ରଥ ଅପରାହ୍ନ ୪ଟାରେ ପହଞ୍ଚିବା ପରେ ପ୍ରାୟ ୨୦ ମିନିଟ ଯାଏଁ ଶ୍ରୀଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା।

ଆସନ୍ତାକାଲି ଶ୍ରୀଜିଉମାନଙ୍କର ରଥ ଉପରେ ସୁନାବେଶ ହେବ। ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ।  କୋଭିଡ ଗାଇଡାଲାଇନ୍ ଦୃଷ୍ଟିରେ ରଖି ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ ।

Leave A Reply

Your email address will not be published.