Latest Odisha News

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ହାଉଜଖାସସ୍ଥିତ  ଜଗନ୍ନାଥ ମନ୍ଦିରଠାରେ ୪୬ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅପରାହ୍ନରେ ମୁଖ୍ୟ ଅତିଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନୀତ ଅତିଥି ସୁପ୍ରିମ କୋର୍ଟର ପୂର୍ବତନ ଜଜ ଜଷ୍ଟିସ ଅରିଜିତ ପଶାୟତ ପାରମ୍ପାରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ।

ସନ୍ଧ୍ୟା ୫ଟା ବେଳେ ରଥଟଣାର ଶୁଭାରମ୍ଭ ହୋଇଥିଲା। ହାଉଜଖାସ ଭିଲେଜ ସ୍ଥିତ ଶ୍ରୀ ଜଗନ୍ନାଥ ମାର୍ଗରେ ଅରବିନ୍ଦ ପ୍ଲେସ ମାର୍କେଟ ପର୍ଯ୍ୟନ୍ତ ରଥଟିକୁ ଟଣାଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା। ଦିଲ୍ଲୀର ରାଜ ରାସ୍ତାରେ ରାଜକୀୟ ରଥ ଉପରେ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଏବଂ ଜନଗହଳି ମଧ୍ୟରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ଚକ୍ଷୁ ମିଳନର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ବିଳମ୍ବିତ ରାତିରେ ପୁଣି ସାହିରୋଷଣୀ କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରୁ ନିଆଯାଇ ନାଟ୍ୟ ମଣ୍ଡପଠାରେ ଆସୀନ କରାଯାଇଥିଲା। ମହାପ୍ରଭୁ ନାଟ୍ୟମଣ୍ଡପ ଠାରେ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅବସ୍ଥାନ କରିବେ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ।

ବାହୁଡ଼ା ଯାତ୍ରାକୁ ସଫଳତାର ସହିତ ଆୟୋଜନ ଓ ସମାପନ କରିବାରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟ ବୃନ୍ଦ ଯଥା ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ଉପଦେଷ୍ଟା ଆଇନଜିବୀ ଅବନୀ ସାହୁ,ସଦସ୍ୟ ଅଭୟ ପ୍ରଧାନ, ଅଶୋକ ପ୍ରଧାନ (ଏ), କ୍ଷୀରୋଦ ପାତ୍ର, ଗଜେନ୍ଦ୍ର ସାମନ୍ତ, ଅଭିରାମ ସୁତାର, ଅଶୋକ ପ୍ରଧାନ (ବି), ଜୀତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ପଙ୍କଜ ମହାନ୍ତି, ନିଶିଦ୍ଧ କୁମାର ଦାଶ, ରଙ୍କନିଧି ସାହୁ, ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ବାଇଁ, କିଶୋର ସାମଲ, ଅମୂଲ୍ୟ ଓଝା, ସୁକାନ୍ତ ସାହୁ ଏବଂ ମନ୍ଦିରର ପରିଚାଳକ ରଶ୍ମୀ ରଞ୍ଜନ ବେହେରା ତଥା ସହ ପରିଚାଳକ ଶଶିକାନ୍ତ ସାହୁ, ସଞ୍ଜୀବ ଜେନା ଏବଂ ମନ୍ଦିରର ପୂଜକ ସନାତନ ପାଢ଼ୀ, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥୀ, ସନ୍ତୋଷ ପଣ୍ଡା ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

Comments are closed.