Latest Odisha News

ରାୟପୁର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ବାହୁଡ଼ା ଯାତ୍ରା ସମ୍ପନ୍ନ

 

ରାୟପୁର : ଛତିଶଗଡ଼ ରାୟପୁରର ଗାୟତ୍ରୀ ନଗରରେ ଥିବା  ଜଗନ୍ନାଥ ମନ୍ଦିରଠାରେ ପବିତ୍ର ବାହୁଡ଼ା ଯାତ୍ରା ପ୍ରବଳ ଆନନ୍ଦ, ଉତ୍ସାହ, ଉଲ୍ଲାସ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ମନ୍ଦିରର ବେସମେଣ୍ଟସ୍ଥିତ ମାଉସୀ ମା’ ଘରର ଆଡ଼ପ ମଣ୍ଡପ ସାମ୍ନାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅପରାହ୍ନ ସୁଦ୍ଧା ସମ୍ପନ୍ନ କରାଯାଇଥିଲା।  ମୁଖ୍ୟଅତିଥି ଛତିଶଗଡ ବିଧାନ ସଭାର ବାଚସ୍ପତି ରମଣ ସିଂହ ଏବଂ ସମ୍ମାନିତ ଅତିଥି ବିରୋଧୀ ଦଳର ନେତା ଚରଣ ଦାସ ମହନ୍ତ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ର ସେମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ।

ସନ୍ଧ୍ୟାରେ ଉପସ୍ଥିତ ଭକ୍ତମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗର ତାଳେ ତଥା ଭଜନ, କୀର୍ତ୍ତନ ମଧ୍ୟରେ ରଥ ଟଣାର ଶୁଭାରମ୍ଭ କରଯାଇଥିଲା। ପରେ ପରେ ସାହି ରୋଷଣୀ କରାଯାଇ ଶ୍ରୀ ଜୀଉ ମାନଙ୍କୁ ମନ୍ଦିର ମଧ୍ୟକୁ ନିଆଯାଇ ରତ୍ନ ସିଂହାସନରେ ଆସୀନ କରାଯାଇଥିଲା।

ବାହୁଡ଼ା ଯାତ୍ରାର ସମଗ୍ର ଅୟୋଜନକୁ ସୂଚାରୁ ରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ମନ୍ଦିର ସେବା ସମିତିର ସଂରକ୍ଷକ ଯଥା ସଭାପତି ପୁରନ୍ଦର ମିଶ୍ର ସଦସ୍ୟ ବୃନ୍ଦ ଯଥା ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ବାରିକାଧୀଶ ମିଶ୍ର,ଗୁଣନିଧି ମିଶ୍ର ଓ ପ୍ରକାଶ ଦାସ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Comments are closed.