ନୂଆଦିଲ୍ଲୀ: ଦିଲ୍ଲୀର ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀନୀଳାଚଳ ସେବା ସଂଘ ତରଫରୁ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରି ବାହୁଡ଼ା ଯାତ୍ରା କରାଯାଇଥିଲା । ଶ୍ରୀଗୁଣ୍ଡିଚା ଗୃହରେ ଠାକୁରଙ୍କର ପୂଜାର୍ଚ୍ଚନା ଓ ନୀତିକାନ୍ତି କରାଯାଇଥିଲା । ସାଡ଼େ ଚାରିଟା ବେଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ଶ୍ରୀସୁଦର୍ଶନ, ପରେ ପରେ ବଡ଼ଭାଇ ଶ୍ରୀବଳଭଦ୍ର ପହଣ୍ଡିରେ ରଥାରୁଢ଼ ହୋଇଥିଲେ ।

ଶ୍ରୀବଳଭଦ୍ରଙ୍କ ପରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ସୀମିତ ସେବାୟତ ଓ ସଂଗଠକଙ୍କ ଦ୍ୱାରା ସୁନ୍ଦର, ସୁଶୋଭିତ ଓ ରଙ୍ଗବେରଙ୍ଗ କପଡ଼ାରେ ସୁସଜ୍ଜିତ ରଥ ଉପରେ ବିରଜମାନ କରାଯାଇଥିଲା । ଭକ୍ତଙ୍କର ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ସାଙ୍ଗକୁ ଶଙ୍ଖ, ଘଣ୍ଟଘଣ୍ଟା, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ଧ୍ୱନୀରେ ପ୍ରକମ୍ପିତ ହେଇଥିଲା ଗଗନପବନ । ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ଶ୍ରୀନୀଳାଚଳ ସେବା ସଂଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହାପରେ ରଥଟିକୁ ମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ୫୦୦ମିଟର ଯାଏ ଟଣାଯାଇ ପୁଣି ମନ୍ଦିର ଅଗଣା ନିକଟକୁ ଫେରାଇ ଅଣାଯାଇଥିଲା । ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ରାତି ସାଢ଼େ ୯ଟା ବେଳେ ମହାପ୍ରଭୁଙ୍କୁ ରୋଷଣି କରି ନାଟ୍ୟ ମଣ୍ଡପକୁ ନିଆଯାଇଥିଲା । ନୀଳାଦ୍ରି ବିଜେ ଯାଏ ସେହିଠାରେ ଅବସ୍ଥାନ କରିବେ ଶ୍ରୀଜିଉ ।
ଏହି ଅବସରରେ ପଣ୍ଡିତ ଭାଗିରଥୀ ଝା ମହାପ୍ରଭୁ ଶ୍ରୀ ଜଗନାଥଙ୍କର ଅଲୌକିକ କଥାମୃତକୁ ଆଧାର କରି ପ୍ରଦାନ କରିଥିବା ପ୍ରବଚନ ସଭିଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ରଥ ଉତ୍ସବର ବିଶେଷ ଆକର୍ଷଣ, ସନ୍ଧ୍ୟାରେ ସଂଗୀତ ବିଶ୍ଵମୋହନ ଏବଂ ସୁର ମଲହାର ଆଦି ସଂସ୍ଥା ତରଫରୁ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଫେସବୁକ ଜରିଆରେ ସିଧା ପ୍ରସାରଣ କରାଯାଇଥିଲା ।
ବାହୁଡ଼ା ଯାତ୍ରାର ଅୟୋଜନକୁ ସଫଳ କରାଇବାରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ, ଉପସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ, କୋଷାଧ୍ୟକ୍ଷ ପଙ୍କଜ ମହାନ୍ତିଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।

BREAKING NEWS
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
Comments are closed.