Latest Odisha News

ବାହୁଡୁଛନ୍ତି ମହାବାହୁ: ମାଉସୀ ମା’ ହାତରୁ ଖାଇବେ ପୋଡପିଠା, ଅପେକ୍ଷାରେ ମାଉସୀ

ପୁରୀ: ବାହୁଡୁଛନ୍ତି ମହାବାହୁ । ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବା ପରମ୍ପରା ରହିଛି । କାହିଁ କେଉଁ ଯୁଗରୁ ଏହି ପରମ୍ପରା ରହିଆସିଛି । ଏଥିପାଇଁ ମାଉସୀ ମା’ ଘରେ ତିଆରି ହୋଇଛି ସ୍ଵତନ୍ତ୍ର ପୋଡ଼ପିଠା। ପୋଡପିଠା ଧରି ତିନି ଭାଇଭଉଣୀଙ୍କ ଅପେକ୍ଷା କରି ବସିଛି ମାଉସୀ ମା’ ।

ବଡ ଖିଆର ମନ ଜାଣି ସୁସ୍ୱାଦୁ ପୋଡପିଠା ପ୍ରସ୍ତୁତ କରିଛି ମାଉସୀ ମା’ । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା’ ହାତରୁ ଏହି ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା ।ମାଉସୀ ମା’ଙ୍କ ପୂଜକ ବିଶ୍ଵନାଥ ମିଶ୍ର ଏହି ପୋଡ଼ପିଠା ପ୍ରସ୍ତୁତ କରିଛନ୍ତି । ପୋଡ଼ପିଠା ପ୍ରସ୍ତୁତି ବି ନିଆରା ।

ଏହି ପିଠାକୁ ଅଟା, କଦଳୀ, ଗୁଡ, ଅଳେଇଚ ପ୍ରଭୁତିର ମିଶ୍ରଣରୁ ତିଆରି କରାଯାଇଥାଏ। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କାଠଚୂଲିରେ ତିଆରି ହୁଏ ମହାପ୍ରଭୁଙ୍କ ଏହି ପୋଡ ପିଠା। ପ୍ରାୟ ଛ ରୁ ଆଠଘଣ୍ଟା ଚୂଲିରେ ବସି ଥାଏ ଏହି ପିଠା। ତାପରେ ଖଣ୍ଡ ଖଣ୍ଡ କାଟି ମାଟି କୋଡୁଆରେ ଏହାକୁ ରଖାଯାଏ । ଏହି ଦିବ୍ୟ ପ୍ରସାଦକୁ ସମ୍ପୂର୍ଣ୍ଣ ପବିତ୍ରତା ରକ୍ଷା କରି ପ୍ରସ୍ତୁତ କରାଯାଏ । ମାଉସୀ ଘରର ଏହି ପୋଡ ପିଠା ପାଇଁ ଜଗାର ନନ୍ଦିଘୋଷ ବି ଅଟକି ଯାଏ ମାଉସୀ ଘର ନିକଟରେ। ମାଟି କୋଡୁଆରେ ଶ୍ରୀଜୀଉ ପୋଡ ପିଠା ଭୋଗ ଖାଇବା ପରେ ରଥ ଗଡିଚାଲେ ଶ୍ରୀମନ୍ଦିର ଅଭିମୁଖେ।

 

Comments are closed.