Latest Odisha News

BREAKING NEWS

Cuttack Bali Yatra: ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

କଟକ: ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୨୪ ତାରିଖରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ। ଏଥର ଉଭୟ ଉପର, ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅନୁମତି ମିଳିଲେ ଉଭୟ ପଡ଼ିଆରେ ହେବ ବାଲିଯାତ୍ରା। ଏନେଇ ସୂଚନା ଦେଲେ ଜିଲ୍ଲାପାଳ। ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଗତବର୍ଷ ତୁଳନାରେ ଚଳିତବର୍ଷ ପାର୍କିଂ ବ୍ୟବସ୍ଥା ବଢ଼ାଯିବ। ଭିଡ଼ ନିୟନ୍ତ୍ରଣ ସହ ଯାନବାହନ ପାର୍କିଂକୁ ନେଇ ପ୍ରଶାସନ ପକ୍ଷରୁ ବିଶେଷ ଯୋଜନା କରାଯାଉଛି ।

କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରୁ ମଧ୍ୟ କଳାକାରମାନେ ଆସି ବାଲିଯାତ୍ରା ମଞ୍ଚରେ କାର୍ଯ୍ୟକ୍ରମ ପରିବେଷଣ କରିବେ। ଫଳରେ ଦର୍ଶକଙ୍କ ପାଇଁ ମନୋରଞ୍ଜନର ଭରପୂର ବ୍ୟବସ୍ଥା ରହିବ। ଏଥର ବାଲିଯାତ୍ରାର ଆଉ ଏକ ଆକର୍ଷଣ ହେବ ମହାନଦୀରେ ଜଳକ୍ରୀଡ଼ା । ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମହାନଦୀରେ ଜଳକ୍ରୀଡ଼ାର ସୁବିଧା ଉପଲବ୍ଧ ରହିବ ବୋଲି କହିଛନ୍ତି ପ୍ରଶାସନ। ତେବେ ବାଲିଯାତ୍ରାରେ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା, ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି। ଚଳିତବର୍ଷ ବାଲିଯାତ୍ରାକୁ ଆହୁରି ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବୈଦ୍ୟୁତିକ ସୁରକ୍ଷା, ମଞ୍ଚ ଓ ଭିତ୍ତିଭୂମି ସୁରକ୍ଷା, ଅଗ୍ନିଶମ ସୁରକ୍ଷାକୁ ସୁନିଶ୍ଚିତ କରାଇବା, ଦୋଳି ଓ ଅନ୍ୟାନ୍ୟ ମନୋରଞ୍ଜନ ଭିତ୍ତିକ ସରଞ୍ଜାମର ସୁରକ୍ଷା ପ୍ରମାଣପତ୍ର ସହ ମାନକ ନିର୍ଦ୍ଦେଶାବଳୀ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ କହିଛନ୍ତି । ଆଇନ ଶୃଙ୍ଖଳା, ଗମନାଗମନ, ଯାତାୟତ, ଗାଡି ରହଣୀ ସ୍ଥଳ, ସ୍ୱଚ୍ଛତା, ବିଦ୍ୟୁତ୍ ଯୋଗାଣ, ପଡିଆ ସମତୁଲ କରିବା, ଖାଦ୍ୟ ସୁରକ୍ଷା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଅସ୍ଥାୟୀ ଶୌଚାଳୟ ନିର୍ମାଣ,ବିଶେଷକରି ଅଧିକ ସଂଖ୍ୟକ ସିସିଟିଭି ସ୍ଥାପନ ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଯାନବାହନ ଓ ଭିଡ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ଯାତାୟାତ ମାର୍ଗ ସୂଚୀ(ROUTE MAP) ପ୍ରସ୍ତୁତ କରାଯିବ। ପରିବେଶ ସୁରକ୍ଷାକୁ ଗୁରୁତ୍ଵ ଦେଇ ବାଲିଯାତ୍ରା ପରିସରରେ ପ୍ଲାଷ୍ଟିକ ଓ ଫୋମ ନିର୍ମିତ ଖାଦ୍ୟ ପାତ୍ର ଓ ବ୍ୟାଗ ବ୍ୟବହାର ନିଷିଦ୍ଧ କରାଯିବ, ଏହା ପରିବର୍ତ୍ତେ ଖାଦ୍ୟ ପରଶିବା ପାଇଁ ବ୍ୟବସାୟୀମାନେ ଶାଳପତ୍ରର ବ୍ୟବହାର ଏବଂ ଅନ୍ୟାନ୍ୟ ସାମଗ୍ରୀ ନିମନ୍ତେ କପଡା ବ୍ୟାଗ ବ୍ୟବହାର କରାଯିବା ପାଇଁ ଜିଲ୍ଲାପାଳ କହିଛନ୍ତି। ପାର୍କିଂ ବ୍ୟବସ୍ଥା, ଖାଦ୍ୟ ପଦାର୍ଥର ମାନ ଯାଞ୍ଚ , ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଉପଲବଧ କରାଇବା ଆଦି ଉପରେ ଗୁରୁତ୍ୱ ଦିଆଯାଇଛି। କଳାକାରଙ୍କ ଲୋକପ୍ରିୟତା ଦୃଷ୍ଟିରୁ ସମାନ୍ତରାଳ ଭାବେ ସାଂସ୍କୃତିକ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବl ବାଲିଯାତ୍ରା ଆହୁରି ରଙ୍ଗୀନ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ।

Comments are closed.