ଡେରାଡୁନ୍: ରାକ୍ଷୀ ପୂର୍ବରୁ ଭାଇର ନାରକୀୟ କାଣ୍ଡ! ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା । ଉତ୍ତରାଖଣ୍ଡର ରୁଡ଼କିରେ ରକ୍ଷାବନ୍ଧନ ପୂର୍ବରୁ ଘଟିଛି ଅତ୍ୟନ୍ତ ଦୁଃଖଦ ଘଟଣା। ଜଣେ ଭାଇ ନିଜର ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଭିଣୋଇଙ୍କୁ ଗୁରୁତର ଭାବେ ଆହତ କରିଥିବା ପୋଲିସ ସୂଚନା ଦେଇଛି। ରକ୍ଷାବନ୍ଧନର ମାତ୍ର କିଛି ଦିନ ପୂର୍ବରୁ ଘଟିଥିବା ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ପୋଲିସ ଅନୁସାରେ, ମଙ୍ଗଳବାର ରାତିରେ ରୁଡ଼କିର ଗଙ୍ଗନହର ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଭାଇଙ୍କ ନାମ ବିବେକ କୁମାର ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ବିବେକ ପ୍ରଥମେ ତାଙ୍କ ଭଉଣୀ ପୁଷ୍ପାଙ୍କ ଘରକୁ ଯାଇଥିଲେ। ସେଠାରେ ସେ ପୁଷ୍ପାଙ୍କୁ ଗୁଳି କରିଥିବା ପୋଲିସ କହିଛି। ଏହାପରେ ସେ ଅନ୍ୟ ଭଉଣୀ ଶକୁନ୍ତଳାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ମଧ୍ୟ ସେ ଶକୁନ୍ତଳା ଓ ତାଙ୍କ ସ୍ୱାମୀଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ପୁଷ୍ପା ଓ ଶକୁନ୍ତଳାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ, ଶକୁନ୍ତଳାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି।
ଘଟଣା ପରେ ଅଭିଯୁକ୍ତ ବିବେକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ତେବେ ଦୁଇ ଭଉଣୀଙ୍କୁ ହତ୍ୟା କରିବା ପଛରେ ପ୍ରକୃତ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ସମସ୍ତ ଦିଗକୁ ପୋଲିସ ତଦନ୍ତ କରୁଛି।

