Latest Odisha News

BREAKING NEWS

MMDR ସଂଶୋଧିତ ଆଇନକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା କଂଗ୍ରେସ, କଟାକ୍ଷ କଲା ବିଜେପି

ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ଶାସକ ଏବଂ ବିରୋଧୀ ମଧ୍ୟରେ ବାକ୍ ଯୁଦ୍ଧ ଉଗ୍ର ରୂପ ନେଇଛି। ଉଭୟ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି। ଏହି ଆଇନକୁ ନେଇ ବିଜେଡି ଓ କଂଗ୍ରେସ ବିରୋଧ କରୁଛନ୍ତି। ବିଜେଡି ଏ ପ୍ରସଙ୍ଗରେ କୋର୍ଟକୁ ଯିବାର ଧମକ ଦେଇଛି। ସେପଟେ କଂଗ୍ରେସ ବିଧାୟକ ଏ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛି। ବିରୋଧୀ ଅଭିଯୋଗ କରୁଛନ୍ତି ଯେ ସଂଶୋଧିତ ଏମଏମଡିଆର ଆଇନ ଓଡ଼ିଶାକୁ କ୍ଷତିଗ୍ରସ୍ତ କରାଇବ। ରାଜ୍ୟ ସରକାର ୧ ଲକ୍ଷ କୋଟିର ବକେୟା ଟିକସ ହରାଇବେ। ବାର୍ଷିକ ପ୍ରାୟ ୧୨ହଜାର କୋଟି ମଧ୍ୟ ହାତଛଡ଼ା ହେବ।

ସେପଟେ ଏହି ପ୍ରସଙ୍ଗରେ ବିଜେପି ବିରୋଧୀଙ୍କୁ କଟାକ୍ଷ କରି କହିଛି, ମିଛ ତଥ୍ୟ ରାଜ୍ୟବାସୀଙ୍କୁ ଦିଅନି। ଓଡ଼ିଶା ଅଧିକ ଲାଭବାନ ହେବ। ସାମ୍ବାଦିକ ସମ୍ମିଳନୀରେ MMDR ନେଇ ସରକାରଙ୍କୁ ଟାର୍ଗେଟ କରି ବିଜେଡି ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଏଥିପାଇଁ ରାଜ୍ୟର ବିକାଶ ଥମିଯିବ। ସରକାର ଚୁପ ବସିଛନ୍ତି କାହିଁକି ? ରାଜ୍ୟର ବିକାଶ ଚାହୁଁଥିଲେ ଏହା ବିରୋଧରେ ସରକାର ସୁପ୍ରିମ କୋର୍ଟକୁ ଯାଆନ୍ତୁ। ସରକାର କୋର୍ଟକୁ ନଗଲେ ବିଜେଡି ଯିବ କୋର୍ଟକୁ। ଏହା ବିରୋଧରେ ଦଳ ରାଜରାସ୍ତାକୁ ଓହ୍ଲାଇବ ।

MMDR ସଂଶୋଧିତ ଆଇନକୁ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ବିଧାୟକ ସାଗର ଦାସ । ସେ କହିଛନ୍ତି, ଜନସାଧାରଣଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ଦୃଢ଼ ସଂକଳ୍ପ ନେଇ ମୁଁ ଏହି ଚିଠି ଲେଖିଛି । MMDR ସଂଶୋଧନ ବିଲ୍, ୨୦୨୬ ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛି । ଭାରତର ଖଣିଜ ସମ୍ପଦ ପାଇଁ ଓଡ଼ିଶା ଦଶନ୍ଧି ଦଶନ୍ଧି ଧରି ବିସ୍ଥାପିତ ସମୁଦାୟ, କ୍ଷତିଗ୍ରସ୍ତ ପରିବେଶ ଏବଂ ଜୀବିକା ହରାଇ ଏହାର ମୂଲ୍ୟ ଦେଇଆସିଛି । ଏବେ ଏହାର ଆର୍ଥିକ ଅଧିକାର ଛଡ଼ାଇ ନେବାକୁ କେନ୍ଦ୍ର ଷଡ଼ଯନ୍ତ୍ର କରିଛି । ଆମର ‘ଜଳ, ଜଙ୍ଗଲ ଓ ଜମି’ ସହିତ କୌଣସି ବୁଝାମଣା କରାଯାଇପାରିବ ନାହିଁ । ଯଦି ଆମ ଅଧିକାର କ୍ଷୁଣ୍ଣ ହୁଏ, ତେବେ ଆମେ ରାଜପଥକୁ ଓହ୍ଲାଇବାକୁ ବାଧ୍ୟ ହେବୁ ।

ବିରୋଧୀଙ୍କୁ ଜବାବ ଦେଇ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ବିଜେଡି ଏବଂ କଂଗ୍ରେସ ଓଡ଼ିଶା କ୍ଷତି ସହିବ କହି ଭ୍ରମାତ୍ମକ ତଥ୍ୟ ଦେଉଛନ୍ତି । ରାଜ୍ୟବାସୀଙ୍କୁ ପ୍ରକୃତ ତଥ୍ୟ ଦିଅନ୍ତୁ ବିରୋଧୀ । MMDR ଆଇନରୁ ଓଡ଼ିଶାକୁ ଅଧିକ ଅର୍ଥ ମିଳିବ । ବିଗତ ଦିନରେ ଶାଗ ମାଛ ଦରରେ ଖଣିକୁ ନିଲାମ୍ କରାଯାଉଥିଲା । ଓଡ଼ିଶାର ଖଣିକୁ ପୂର୍ବ ସରକାର ନିଜ ଇଚ୍ଛା ଅନୁସାରେ ବାଣ୍ଟୁଥିଲେ । ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି କିଭଳି ଖଣି ଲୁଟ ହେଉଥିଲା । ନୂଆ ଆଇନରେ ଓଡ଼ିଶାର କ୍ଷତି ହେବ ନାହିଁ ବରଂ ଓଡ଼ିଶା ତାର ଭାଗ ପାଇବ । ଓଡ଼ିଶା ଅଜସ୍ର ରାଜସ୍ବ ପାଇବ ଏବଂ ଲୋକଙ୍କ ବିକାଶ ହେବ।

Leave A Reply

Your email address will not be published.