ଚିତ୍ରକୋଣ୍ଡା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକଭାନ’ ସ୍ଥଳଭାଗ ଆଡ଼କୁ ମୁହାଁଉଛି। ଏହା ଆନ୍ଧ୍ରପ୍ରଦେଶର ନରସାପୁର ଏବଂ ଓଡ଼ିଶାର ପୁରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି । ତେବେ ଅକଭାନକୁ ଆଖି ଆଗରେ ରଖି ବାଲିମେଳା ଜଳଭଣ୍ଡାର ଗେଟ୍ ଖୋଲିଲା ।
ଚିତ୍ରକୋଣ୍ଡା ମାଟିବନ୍ଧ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କୈଳାସ ଚନ୍ଦ୍ର ସେଠୀଙ୍କ ସୂଚନାନୁଯାୟୀ ଜଳଭଣ୍ଡାର ଗେଟ ଖୋଲିବା ନେଇ ଗତକାଲି ବାଲିମେଳା ବନ୍ଧ ବିଭାଗ ପକ୍ଷରୁ ଆଜି ରାତି ଦଶଟା ସମୟରେ ଗେଟ ସାଇରନ ଯନ୍ତ୍ର ଦ୍ୱାରା ସମସ୍ତ ତଳିଆ ଅଂଚଳରେ ଗ୍ରାମବାସୀଙ୍କୁ ସତର୍କ କରାଯିବା ପରେ ଗେଟ ଖୋଲା ଯାଇଥିଲା।
ସୂଚନାଥାଉକି, ଚିତ୍ରକୋଣ୍ଡା ସଦର ମହକୁମାକୁ ଲାଗି ରହିଛି ବାଲିମେଳା ଜଳଭଣ୍ଡାର। ୬୫ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପିଛି ଏହି ଜଳଭଣ୍ଡାର। ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ରହିଛି ୧୫୬୧ ଫୁଟ। ବର୍ତ୍ତମାନ ଜଳସ୍ତର ରହିଛି ୧୫୦୭.୪୧। ଆଗକୁ ବାତ୍ୟା ଅକଭାନ ପ୍ରଭାବରେ ଅଧିକ ବର୍ଷା ଆଶଙ୍କାରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୂର୍ବରୁ ଜଳଭଣ୍ଡାରର ଜଳସ୍ତରକୁ ସ୍ଥିର ରଖିବା ପାଇଁ ଗତକାଲି ରାତି ଦଶଟାରେ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଦୁଇଟି ରେଡ଼ିଇଲ ଗେଟ ଓ ଦୁଇଟି ସଲୁଇସ ଗେଟ ଯୋଗେ ପ୍ରତି ସେକେଣ୍ଡରେ ୧୦୫୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଇଥିଲା । ଆଜି ସକାଳରୁ ଆଉ ଦୁଇଟି ରେଡ଼ିଆଲ ଗେଟ ଖୋଲା ଯାଇଛି।
ଆଗକୁ ବର୍ଷାର ପ୍ରଭାବ ଓ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିବା ଜଳପ୍ରଭାବକୁ ଦୃଷ୍ଟିରେ ରଖି ଅଧିକ ଗେଟ ଖୋଲାଯିବ ନା ନାହିଁ ନିର୍ଣ୍ଣୟ ନିଆଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Comments are closed.