Latest Odisha News

BREAKING NEWS

ବଲିଉଡ ସିନେମାରୁ ବ୍ୟାନ୍ ହେଲେ ପାକିସ୍ତାନୀ କଳାକାର

ମୁମ୍ବାଇ: ପୁଲୱାମାରେ ଆତଙ୍କବାଦୀଙ୍କ ବର୍ବୋରଚିତ ଆକ୍ରମଣ ପରେ ଭାରତୀୟ ଫିଲ୍ମ ଜଗତରେ ପାକିସ୍ତାନ କଳାମାନଙ୍କ ଲାଗି ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନେଇଛି ସର୍ବଭାରତୀୟ ସିନେ ୱାକର୍ସ ଆସୋସିଏସନ (ଏଆଇସିଡ୍ଲ୍ୟୁଏ) ।

ଏକ ବିଜ୍ଞପ୍ତି ମାଧ୍ୟମରେ ସୋମବାର ଦିନ ସର୍ବଭାରତୀୟ ସିନେ ୱାକର୍ସ ଆସୋସିଏସନ (ଏଆଇସିଡ୍ଲ୍ୟୁଏ) ଜଣାଇଛନ୍ତି, କୌଣସି ପାକିସ୍ତାନୀ ନାଗରିକଙ୍କୁ ଯଦି ଭାରତୀୟ ସିନେମା ଇଣ୍ଡଷ୍ଟ୍ରିର କୌଣସି ବି ବ୍ୟକ୍ତି ସୁଯୋଗ ଦେବାକୁ ପ୍ରରୋଚିତ କରୁଥାଆନ୍ତି ତେବେ ଆସୋସିଏସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

‘ଫିଲ୍ମ ଇଣ୍ଡଷ୍ଟ୍ରିରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍’ ଶିରୋନାମାରେ ଏଆଇସିଡ୍ଲ୍ୟୁଏ ସାଧାରଣ ସମ୍ପାଦକ ରୋନକ ସୁରେଶ ଜୈନ ବିଜ୍ଞପ୍ତି ମାଧ୍ୟମରେ ଉଲ୍ଲେଖ କରିଛନ୍ତି, ନିକଟରେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଭାରତୀୟ ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ବର୍ବୋରଚିତ ଆକ୍ରମଣକକୁ ସର୍ବଭାରତୀୟ ସିନେ ୱାକର୍ସ ଆସୋସିଏସନ (ଏଆଇସିଡ୍ଲ୍ୟୁଏ) ତୀବ୍ର ନିନ୍ଦା କରୁଛି । ଆମେ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଶୋକବ୍ୟକ୍ତ କରୁଛୁ । ଏଆଇସିଡ୍ଲ୍ୟୁଏ ଦେଶ ସହିତ ରହିଥିବା ସହିତ ଏପରି ଆତଙ୍କୀ ଓ ଅମାନୁଷିକ କାର୍ଯ୍ୟକୁ ଘୋର ବିରୋଧ କରୁଛୁ ।

ସେହିପରି ବିଶିଷ୍ଟ ବଲିଉଡ୍ ଆକ୍ଟର୍ ଅଜୟ ଦେବଗନ କହିଛନ୍ତି, ତାଙ୍କର ସଦ୍ୟ ପ୍ରସ୍ତୁତ ଫିଲ୍ମ ‘ଟୋଟାଲ୍ ଧମାଲ୍’ ପାକିସ୍ତାନରେ ରିଲିଜ୍ ହେବ ନାହିଁ । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ‘ଟୋଟାଲ୍ ଧମାଲ’ ପାକିସ୍ତାନରେ ରିଲିଜ୍ ହେବନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି ଅଜୟ ଦେବଗନ । ‘ଟୋଟାଲ୍ ଧମାଲ’ ଟିମ୍ ପକ୍ଷରୁ ସହିଦ ମାନଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ଅଜୟ ସୂଚନା ଦେଇଛନ୍ତି ।

ଏହି ଆତଙ୍କବାଦୀ ଆକ୍ରମଣ ପରେ ପରେ ପାକିସ୍ତାନର କରାଚୀ ଗସ୍ତରେ ଯିବାକୁ ଥିବା ଅଭିନେତ୍ରୀ ଶବାନା ଆଜମୀ ଏବଂ ତାଙ୍କର ସ୍ୱାମୀ ଜାଭେଦ ଅଖତର ତାଙ୍କର ଗସ୍ତ ବାତିଲ୍ କରିଛନ୍ତି ।

ସହିଦମାନଙ୍କୁ ସମ୍ମାନ ଜଣାଇ ଫିଲ୍ମ ଇଣ୍ଡଷ୍ଟ୍ରି ପକ୍ଷରୁ ରବିବାର ଦିନ ୨ଟାରୁ ୪ଟା ପର୍ଯ୍ୟନ୍ତ ସମସ୍ତ ସୁଟିଂ କାର୍ଯ୍ୟ ବନ୍ଦ କରାଯାଇଥିଲା ।

Leave A Reply

Your email address will not be published.