Latest Odisha News

ଆଜିଠୁଁ ଓଡ଼ିଶାର ୬ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ନିଷେଧ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପୂର୍ବରୁ ଘୋଷିତ ହୋଇଥିବା ରାଜ୍ୟରେ ୬ଟି ସହରରେ ପ୍ଲାଷ୍ଟିକ ପଲିଥିନର ବ୍ୟବହାର ଉପରେ କଟକଣା ଆରମ୍ଭ ହୋଇଛି । ମହାତ୍ମା ଗାନ୍ଧୀ୍ଙ୍କ ପବିତ୍ର ୧୫୦ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସରକାର ରାଜ୍ୟକୁ ପଲିଥିନ ମୁକ୍ତ କରିବାକୁ ଏହି ଦୃଢ ପଦକ୍ଷେପ ନେଇଛନ୍ତି ।

ଯେଉଁ ୬ଟି ସହରରେ ପ୍ଲାଷ୍ଟିକ ପଲିଥିନର ନିଷେଧାଦେଶ ଜାରି ହୋଇଛି ସେହି ସହର ଗୁଡ଼ିକ ହେଲା – ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଏବଂ ପୁରୀ ମ୍ୟୁନିସିପାଲିଟି । ସରକାର ଏହି ସମସ୍ତ ସହରେ ପ୍ଲାଷ୍ଟିକ ପଲିଥିନ ଉପରେ ନିଷେଧାଦେଶ ଜାରି କରିବା ସହିତ ଏହା ଦୃଢଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ସରକାର ବ୍ୟବସାୟୀ ମାନଙ୍କୁ ନଭେମ୍ବର ୩୦ ସୁଦ୍ଧା ଏକ ମାସ ସମୟ ଦେଇଛନ୍ତି, ଏହି ଧାର୍ଯ୍ୟ ସମୟ ପରେ ପ୍ଲାଷ୍ଟିକ ପଲିଥିନର ବ୍ୟବହାର ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି ।
ପ୍ଲାଷ୍ଟିକ ପଲିଥିନର କ୍ରୟ, ବିକ୍ରୟ, ବଣ୍ଟନ, ସଞ୍ଚୟ, ପରିବହନ, ପ୍ୟାକିଂ, ସଂରକ୍ଷଣ, ତିଆରି, ଏବଂ ଆମଦାନି ଆମଦାନି ଉପରେ କଟକଣା ଲାଗୁ ହେବ । କୌଣସି ବ୍ୟମସାୟୀ ୫୦ ମାଇକ୍ରୋନରୁ କମ୍ ପଲିଥିନ ବ୍ୟବହାର କରିପାରିବେନି । କୌଣସି ବ୍ୟକ୍ତି ମନ୍ଦିର, ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଯେକୌଣସି ସର୍ବସାଧାରଣ ସ୍ଥାନରେ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିଲେ ତାହାକୁ ଉପଯୁକ୍ତ ସ୍ଥାନରେ ପକାଇବା ଆବଶ୍ୟକ । ତେବେ ବ୍ୟବହାର ଉପଯୋଗୀ ପଲିଥିନ୍ କେବଳ ଖାଦ୍ୟ, ଦୁଗ୍ଧ ସାମଗ୍ରୀ ସଂରକ୍ଷିତ ରଖିବା, ରକ୍ତ ପଲିଥିନ ପାଉଚ, ସିରିଞ୍ଜ ପ୍ୟାକିଂ ଲାଗି ବ୍ୟବହୃତ ହୋଇପାରିବ ।


କୌଣସି ପ୍ଲାଷ୍ଟିକ ସାମଗ୍ରୀ କିମ୍ବା ପଲିଥିନକୁ କୌଣସି ସ୍ଥାନରେ ଜାଣିଶୁଣି କେହି ଫିଙ୍ଗିପାରିବେ ନାହିଁ ।
ସେହପରି ବିବାହ ତଥା ପୂଜା ମଣ୍ଡପରେ ଥର୍ମୋକୋଲର ବ୍ୟବହାର ଉପରେ ମଧ୍ୟ କଟକଣା ରହିଛି । ସାଧାରଣ ଲୋକମାନେ ସର୍ବସାଧାରଣରେ ପଲିଥିନ ବ୍ୟାଗ ବ୍ୟବହାର କରିପାରିବେ ନାହିଁ ।

ସେହିପରି ରାଜ୍ୟ ସରକାର ମଧ୍ୟ ଏକ ବାଏ – ବ୍ୟକ୍ ପଲିସି ବ୍ୟବସ୍ଥାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ବ୍ୟବସ୍ଥା ଲାଗୁହେଲେ ଘରେ ସଂଗୃହିତ ବା ସଞ୍ଚିତ ପ୍ଲାଷ୍ଟିକ ବୋତଲ ଗୁଡ଼ିକୁ ଦୋକାନରେ ଗ୍ରାହକମାନଙ୍କୁ ଏକ ବାଏ-ବ୍ୟାକ ପଲିସି ଅଥବା କ୍ରୟ କରିଥିବା ପ୍ଲାଷ୍ଟିକ ବୋତଲ ଫେରାଇ କ୍ରୟ ଦାମ ଦୋକାନୀମାନଙ୍କଠୁ ଗ୍ରହଣ କରିପାରିବେ ଗ୍ରାହକ ।

ଏହି ନିର୍ଦ୍ଦେଶନାମାର ଖିଲାପକାରୀ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ ମଧ୍ୟ ୫ବର୍ଷ ଜେଲ ଏବଂ ସର୍ବାଧିକ ୧ଲକ୍ଷଟଙ୍କାର ଦଣ୍ଡବିଧାନର ବ୍ୟବସ୍ଥା ପ୍ରସ୍ତୁତ କରିଛନ୍ତି ସରକାର ।

ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ମେୟର ଅନନ୍ତ ନାରାୟଣ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏନେଇ ବିଏମସି ସମେତ ଶ୍ରମ ବିଭାଗ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଏବଂ ପୋଲିସ କମିଶନରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି ।

“ଏହି ଟିମ ଜନସାଧାରଣଙ୍କୁ ପ୍ଲାଷ୍ଟିକ ପଲିଥିନ ବ୍ୟବହାର ନକରିବାକୁ ସଚେତନ କରିବା ସହିତ ବିଭିନ୍ନ ସ୍ଥାନମାନଙ୍କରେ ସତେତନତାମୂଳକ କାର୍ଯ୍ୟକ୍ରମ କରି ଲୋକମାନଙ୍କୁ ପଲିଥିନ ବ୍ୟବହାରର ଅପକାରିତା ସମ୍ପର୍କରେ ଅବଗତ କରାଇବ । ଏହାଛଡ଼ା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଏବଂ ଗୋଦାମ ଗୁଡ଼ିକରେ ପ୍ଲାଷ୍ଟିକ ପଲିଥିନ ମହଜୁଦ ଥିବାର ଲକ୍ଷ୍ୟ କରାଗଲେ ପଦକ୍ଷେପ ଗ୍ରହଣ କରାଯିବ,”ବୋଲି କହିଛନ୍ତି ବିଏମସି ମେୟର ଅନନ୍ତ ନାରାୟଣ ଜେନା ।

ଏଥିମଧ୍ୟରେ ପୁରୀ ଜିଲ୍ଲାପାଳଙ୍କ ନେତୃତ୍ୱରେ ପୁରୀ ମ୍ୟୁନିସିପାଲିଲିଟି ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ ଦୋକାନ ଛାନଭିନ୍ କରି ପ୍ଲାଷ୍ଟିକ ପଲିଥିନ ବହୁଳ ମାତ୍ରାରେ ଜବତ କରିଛନ୍ତି ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ପ୍ଲାଷ୍ଟିକ ଓ ପଲିଥିନର ବ୍ୟବହାର ନକରିବାକୁ ଦୋକାନୀ ତଥା ଗ୍ରାହକମାନଙ୍କୁ ଏହି ଟିମ୍ ସଚେତନ କରାଇଥିଲେ । ଏହି ଟିମ୍ ମଧ୍ୟ ବିଭିନ୍ନ ମିଷ୍ଟାନ୍ନ ଭଣ୍ଡାର ଚଢଉ କରି ପ୍ଲାଷ୍ଟିକ ପଲିଥିନ୍ ଜବତ କରିଥିଲେ ।

ତେବେ ସରକାରଙ୍କ ନିର୍ଦ୍ଦେଶନାନୁଯାୟୀ ମ୍ୟୁନିସିପାଲ କର୍ପୋରେସନର କମିଶନର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ନିଜ ଅଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର, ବଣ୍ଟନ ତଥା ସଂଗ୍ରର ଯାଞ୍ଚ କରି ଉଚିତ ବ୍ୟବସ୍ଥା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ପ୍ରଶାସନକୁ ଅବଗତ କରାଯାଇଛି ।

Leave A Reply

Your email address will not be published.