ନୂଆଦିଲ୍ଲୀ: ପୁଣି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହେଲା ଗିରଫ ପରଓ୍ବାନା । ଢାକାର ଗୋଟିଏ କୋର୍ଟ ଏହି ପରଓ୍ବାନା ଜାରି କରିଛନ୍ତି । ବଳପୂର୍ବକ ବାଂଲଦେଶୀ ଲୋକଙ୍କୁ ଗାଏବ କରିବା ସହ ହତ୍ୟା କରିଥିବା ଅଭିଯୋଗରେ କୋର୍ଟ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି ।
ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ(ଆସିଟି)ର ମୁଖ୍ୟ ଓକିଲ ତଜୁଲ ଇସଲାମ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶେଖ୍ ହସିନା ତାଙ୍କ କ୍ଷମତାରେ ଥିବା ସମୟରେ ବାଧ୍ୟତାମୂଳକ ୫୦୦ରୁ ଅଧିକ ଲୋକଙ୍କୁ ନିଖୋଜ ଅଭିଯୋଗରେ ହସିନାଙ୍କ ବିରୋଧରେ କୋର୍ଟ ଦ୍ୱିତୀୟ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ତାଙ୍କ ନାଁରେ ମାନବିକତା ବିରୋଧୀ ଅପରାଧ ମାମଲା ରହିଛି ।
ଏହି ଘଟଣାରେ କୋର୍ଟ ଶେଖ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରେ ହସିନାଙ୍କ ପ୍ରତିରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା ଅଧିକାରୀ ଓ ଅନ୍ୟ ସୁରକ୍ଷା ଏଜେନ୍ସିର ଅଧିକାରୀଙ୍କ ନାଁ ରହିଛି ବୋଲି ଇସଲାମ କହିଛନ୍ତି ।
ଅନ୍ୟପଟେ, ବାଂଲାଦେଶ ସରକାରଙ୍କ ପ୍ରେସ ସଚିବ ଶଫିକୁଲ ଆଲାମ କହିଛନ୍ତି ଯେ, ଶେଖ ହସିନା ଯେମିତି ହେଲେ ବି ନ୍ୟାୟପାଳିକାର ସାମ୍ନା କରିବେ। ତାଙ୍କୁ ମାନବଜାତି ବିରୋଧୀ ଅପରାଧ ପାଇଁ ଦଣ୍ଡ ଦେବାକୁ ଆମେ ପୂରା ଚେଷ୍ଟା କରିବୁ। ତାଙ୍କୁ ବାଂଲାଦେଶ ଆଣିବାକୁ ଆମର ଚାପ ପକାଇବା କାମ ଜାରି ରହିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ବାଂଲାଦେଶରେ ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଏହି ଆନ୍ଦୋଳନ ଏତେ ଭୟଙ୍କର ହୋଇଥିଲା ଯେ, ଶେଖ୍ ହସିନାଙ୍କୁ ନିଜ ଦେଶ ଛାଡିବାକୁ ବାଧ୍ୟ କରିଥିଲା ।
ବର୍ତ୍ତମାନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ଭାରତକୁ କୂଟନୀତିକ ସ୍ତରରେ ଚିଠି ଲେଖିଛନ୍ତି । କିନ୍ତୁ ଏଯାଏଁ ଭାରତ ସରକାରଙ୍କ ପକ୍ଷରୁ ଏହାର କୌଣସି ଜବାବ ଦିଆଯାଇ ନାହିଁ ।
Comments are closed.