Latest Odisha News

BREAKING NEWS

ବିପଦ ସଙ୍କେତ ଉପରେ ବଂଶଧାରା ନଦୀ

ରାୟଗଡା (ମୋନାଲିସା ରଥ): ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଙ୍କେତ ଅତିକ୍ରମ କରି ଗୋଟିଏ ମିଟର ଉପରେ ଚାଲିଛି ବନ୍ୟା ପାଣି। ସତର୍କ ସଂକେତ ୮୩ ମିଟର ଥିବା ବେଳେ ବର୍ତ୍ତମାନ ୮୪ ମିଟର ଉପରେ ପାଣି ଚାଲିଛି। ତେଣୁ ବନ୍ୟା ଆଶଙ୍କା ବଢ଼ିଯାଇଛି।

ବଂଶଧାରା ଜଳସ୍ତର ୮୩.୮୨ ମିଟର ନିକଟରେ ରହିଛି । ଗତ ଦୁଇଦିନ ଧରି ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର , ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିବା ଫଳରେ ବଂଶଧାରାର ଜଳସ୍ତର ବଢିବାରେ ଲାଗିଛି। ସେପଟେ ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି।

ବିଗତ ଦୁଇ ଦିନ ଧରି ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ କେତେକ ସ୍ଥାନରେ ଘର ଭାଙ୍ଗି ଥିବାବେଳେ ଆଉ କେତେକ ସ୍ଥାନରେ ପାହାଡ଼ରୁ ମାଟି ଅତଡା ଖସିବାରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ହୋଇଥିବା ନେଇ ସୂଚନା ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ କାଶୀପୁରରେ ସର୍ବାଧିକ ୧୫୪.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୁଣୁପୁରରେ ୪୬.୦ ମିଲି ମିଟର , ରାୟଗଡା ବ୍ଲକରେ ୬୦.୫, କୋଲନରା ବ୍ଲକରେ ୧୦୯.୧ , କଲ୍ୟାଣସିଙ୍ଗପୁର ବ୍ଲକରେ ୯୬.୪ , ପଦ୍ମପୁର ବ୍ଲକରେ ୩୮.୦, ଗୁଡାରି ବ୍ଲକରେ ୭୫.୪ , ରମନାଗୁଡା ବ୍ଲକରେ ୫୦.୮ , ବିଷମକଟକ ବ୍ଲକରେ ୮୫.୪ , ମୁନିଗୁଡା ବ୍ଲକରେ ୧୨୭.୦ ଏବଂ ଚନ୍ଦ୍ରପୁର ବ୍ଲକରେ ୫୫.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୮.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ରାୟଗଡା ଜିଲ୍ଲା ସୀମାନ୍ତ ଗଜପତି ଜିଲ୍ଲାର ହରଭାଙ୍ଗୀ ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ପ୍ରେସ ବିବୃତି ମାଧ୍ୟମରେ ହରଭାଙ୍ଗୀ ଜଳଭଣ୍ଡାରର ନିମ୍ନ ଅବବାହିକାରେ ଥିବା ସମସ୍ତ ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଜାରି କରିଛନ୍ତି।

Leave A Reply

Your email address will not be published.