Latest Odisha News

BREAKING NEWS

ସମାଜର ବିପରୀତ ସ୍ରୋତରେ ନେହା ଓ ଜ୍ୟୋତି !

ବାରିକ ଦୋକାନ ଅବା ସେଲୁନରେ (ପାର୍ଲର ନୁହେଁ) ଖାସ କରି ପୁରୁଷମାନଙ୍କୁ ଦୋକାନୀ ଭାବେ ଆପଣ ନିଶ୍ଚିୟ ଦେଖିଥିବେ । ପାର୍ଲରକୁ ବାଦ୍ ଦେଲେ କେଉଁଠି ବି ଆପଣ ସେଲୁନ୍‌ରେ ଯୁବତୀ କିମ୍ବା ମହିଳାଙ୍କୁ କାମ କରିବାରେ ଦେଖିନଥିବେ । ହେଲେ ଉତ୍ତରପ୍ରଦେଶର ଦୁଇ ଭଉଣୀ ବହୁବର୍ଷ ଧରି ଚାଲିଆସିଥିବା ଏହି ଧାରାକୁ ଭାଙ୍ଗି ନିଜ ପେଟ ପୋଷୁଛନ୍ତି । ସେମାନେ ପ୍ରମାଣିତ କରିଛନ୍ତି କୌଣସି ପେଶା ଲିଙ୍ଗ ଉପରେ ନିର୍ଭର କରିନଥାଏ ।

ନେହା ନାରାୟଣ ଓ ଜ୍ୟୋତି ନାରାୟଣ । ବନୱାରୀ ତୋଲାରେ ରହୁଥିବା ଏହି ଦୁଇ ଭଉଣୀଙ୍କ ବାପା ହେଉଛନ୍ତି ଧ୍ରୁବ ନାରାୟଣ । ପୂର୍ବରୁ ଧ୍ରୁବ ସେଲୁନ୍ ସମ୍ଭାଳୁଥିଲେ । ହଠାତ୍ ଦିନେ ଧ୍ରୁବ ନାରାୟଣ ପକ୍ଷାଘାତର ଶିକାର ହୋଇ ଖଟ ଧରିଥିଲେ । ଯାହାପରେ ଘରର ସମସ୍ତ ଭାର ଦୁଇ ଭଉଣୀଙ୍କ ଉପରେ ପଡିଥିଲା । କିଛି ନ ଭାବି ଦୁହେଁ ସେଲୁନରେ କାମ କରିବାକୁ ଘରୁ ପାଦ କାଢିଥିଲେ । ଜାଣି ଚକିତ ହେବେ ମାତ୍ର ୧୩ ବର୍ଷ ବୟସର ଜ୍ୟୋତି ଓ ୧୧ ବର୍ଷ ବୟସରଙ୍କ ନେହା ସେଲୁନ୍‌ରେ କାମ କରିବା ଆରମ୍ଭ କରିଥିଲେ ।

ଲୋକଙ୍କ ଦାଢି, ଚୁଟି କାଟି ଦୁଇ ଭଉଣୀ କେବଳ ନିଜ ପରିବାରର ପେଟ ପୋଷୁନାହାନ୍ତି । ବରଂ ନିଜ ପାଠପଢା ଖର୍ଚ୍ଚ ସହ ବାପାଙ୍କର ଔଷଧ ଖର୍ଚ୍ଚ ମଧ୍ୟ ବହନ କରିବାରେ ସମର୍ଥ ହୋଇପାରିଛନ୍ତି । ଦାଢି କଟା, ମସାଜ ଓ ଚୁଟି କାଟିବାରେ ଦୁହେଁ ବେଶ ପାରଙ୍ଗମ ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ଦୁହିଁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଅନେକ ଲୋକ ନେହା ଓ ଜ୍ୟୋତିଙ୍କୁ ହେୟଜ୍ଞାନ କରି ଦୋକାନରେ ପାଦ ଥାପୁନଥିଲେ । ହେଲେ ଧୀରେଧୀରେ ଗରାଖଙ୍କ ସଂଖ୍ୟା ବଢିବା ସହ ଗାଁ ଲୋକଙ୍କ ସହଯୋଗ ତଥା ସମର୍ଥନ ବି ମିଳିଥିଲା ।

କିଛି ଦିନ ପୂର୍ବରୁ ବ୍ଲେଡ୍ କମ୍ପାନୀ ଜିଲେଟ୍ ଦୁଇ ଭଉଣୀଙ୍କ ସଂଘର୍ଷମୟ କାହାଣୀକୁ ଏକ ବିଜ୍ଞାପନ ଭିଡିଓରେ ଦର୍ଶାଇଥିଲା । ଯାହାକୁ ଦେଖି ବଲିଉଡ କଳାକାରମାନେ ଦୁହିଁଙ୍କୁ ଅନେକ ପ୍ରଶଂସା କରିଥିଲେ । ତେବେ ଖାଲି ପ୍ରଶଂସା ନୁହେଁ ବରଂ କରନ କୁନ୍ଦ୍ରା, ଫରହାନ୍ ଅଖତର ଓ ସଚ୍ଚିନ ତେନ୍ଦୁଲକରଙ୍କ ଭଳି ବ୍ୟକ୍ତିତ୍ୱ ତାଙ୍କ ନିକଟରେ ଦାଢି କାଟିବାକୁ ବି ଆସିଥିଲେ । ଏପରିକି ସଚ୍ଚିନ ଦୁଇ ଭଉଣୀଙ୍କ ପାଠପଢା ଖର୍ଚ୍ଚ ବି ବହନ କରୁଥିବା ନେଇ ଅନେକ ଲୋକ ଅଜଣା ଅଛନ୍ତି ।

Leave A Reply

Your email address will not be published.