Latest Odisha News

ଧନୁଯାତ୍ରାରେ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି ୬୦ଜଣ କଳାକାର

ବରଗଡ଼ : ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼। କଂସ ହେବାକୁ ଆବେଦନ କରିଛନ୍ତି ୬୦ ଜଣ କଳାକାର। କୋଭିଡ ଯୋଗୁଁ ୨ ବର୍ଷ ଧରି ଧନୁଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଧନୁଯାତ୍ରା ହେବା ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଦର୍ଶକ। ଏହି ଧନୁଯାତ୍ରାରେ ମୁଖ୍ୟ ଆର୍କଷଣ କଂସର ଭୂମିକା ରହିଥିବାରୁ କିଏ ହେବ କଂସ ? ଚର୍ଚ୍ଚା ଜୋର ଧରିଛି । ତେବେ ମୋଟ ୨୨୩ ଜଣ ଯାତ୍ରାରେ ଭାଗ ନେବାପାଇଁ ଆବେଦନ କରିଥିବା ବେଳେ ସର୍ବାଧିକ ୬୦ ଜଣ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି ।

ସେହିପରି ୨୨ଜଣ ମହାମନ୍ତ୍ରୀ, ସାର୍ତ୍ତକୀ ପାଇଁ ୪ଜଣ, ଚାଣୁର ମୁଷ୍ଟିକ ପାଇଁ ୧୦ ଜଣ, ଅକ୍ରୁର ଭୂମିକା ପାଇଁ ୧୭ ଜଣ, ବସୁଦେବ ପାଇଁ ୧୯ ଜଣ, ନାରଦ ପାଇଁ ୧୪ ଜଣ, ଉଗ୍ରସେନ ପାଇଁ ୭ଜଣ ଓ ଦେବକୀ ଭୂମିକା ପାଇଁ ୮ଜଣ ଆବେଦନ କରିଛନ୍ତି । ତେବେ ପୂର୍ବତନ କଂସ ଗୋପାଳ ସାହୁ ଓ ଅନ୍ୟ ୨ଜଣଙ୍କ ବୟସ ୬୦ ବର୍ଷ ଉପରେ ହୋଇଥିବାରୁ ସେମାନଙ୍କୁ ବାଦ ଦିଆଯାଇଛି । ଆବେଦନ କରିଥିବା କଳାକାରଙ୍କ ଚୟନ ପ୍ରକ୍ରିୟା ଆସନ୍ତା ୭,୯ ଓ ୧୦ ତାରିଖ ତିନି ଦିନ ଧରି ଚାଲିଥିବା ବେଳେ କେବଳ କଂସ ଭୂମିକା ପାଇଁ ୧୦ ତାରିଖ ଦିନ କଳାକାର ଚୟନ କରାଯିବ ବୋଲି ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ କୁହାଯାଇଛି ।

ପୂର୍ବରୁ  କଂସ ଭୂମିକାରେ ଅଭିନୟ କରୁଥିବା ଗୋପାଳ ସାହୁଙ୍କ ବୟସ ୬୦ ହୋଇଯାଇଥିବାରୁ ତାଙ୍କୁ ବାଦ୍‌ ଦିଆଯାଇଛି । ତେବେ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ କମିଟି ହିରକ ଜୟନ୍ତୀ ଯାତ୍ରାକୁ ଆକର୍ଷଣୀୟ କରିବା ନିମନ୍ତେ ନୂତନ କଳାକାର ଚୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

 

Leave A Reply

Your email address will not be published.