Latest Odisha News

BREAKING NEWS

ବିଜେଡି ନେତା ସାଜିଛନ୍ତି ବରଗଡ ଏସ୍‌ପି: ମୋହନ ମାଝୀ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୫ ତାରିଖରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନରେ ସ୍ଥାନୀୟ ପୋଲିସ ଶାସକ ଦଳ ଇଙ୍ଗିତରେ ବିଜେଡି କର୍ମୀ ଭାବରେ ନିର୍ବାଚନ ପ୍ରଚାର କାର୍ଯ୍ୟ କରୁଛନ୍ତି । ବରଗଡ ଜିଲ୍ଲା ଏସ୍‌ପି ବିଜେଡି ନେତା ସାଜି ଶାସକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ଏପରି କିଛି ଅଭିଯୋଗ ଆଣି ବରଗଡ ଏସପିଙ୍କ ବଦଳି ଦାବି କରିଛି ବିଜେପି । ଆଉ ପୋଲିସ ଡିଜିଙ୍କ ଆଗରେ ଫେରାଦ ହୋଇଛି।

ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ବରଗଡ ଏସ୍‌ପିଙ୍କୁ ତୁରନ୍ତ ବଦଳି କରି ସ୍ୱଚ୍ଛ ଓ ନିରପେକ୍ଷତା ଅବଲମ୍ବନ କରୁଥିବା ଜଣେ ଆଇପିଏସ୍ ଅଫିସରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ।

ସେହିପରି ବିଜେପି ପ୍ରଶ୍ନ କରିଛି, ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଝାରସୁଗୁଡା ଥାନା ଅଧିକାରୀଙ୍କୁ କାହା ସ୍ୱାର୍ଥରେ ପାଇକମାଳର ଥାନା ଅଧିକାରୀ ରୂପେ ବଦଳି କରି ଅଣାଗଲା। ଯେଉଁଠି ଝାରସୁଗୁଡାର ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବିଜେଡି ପାଇଁ ପ୍ରଚାର ଦାୟିତ୍ୱରେ ରହିଛନ୍ତି।

ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ପାଇଁ ପଦ୍ମପୁର ଥାନାରେ ବିଜେପି କାର୍ଯ୍ୟକର୍ତାଙ୍କ ପକ୍ଷରୁ ଅପରାଧମୂଳକ କାର୍ଯ୍ୟରେ ସମ୍ପୃକ୍ତ ବିଜେଡି ଦଳର ବିଭିନ୍ନ ଅପରାଧୀ କାର୍ଯ୍ୟକର୍ତାଙ୍କ ନାଁରେ ଚାରି ଚାରିଟି ଏଫଆଇଆର ରୁଜୁ କରାଯାଇଅଛି । ଅଥଚ ଆଜି ପର୍ଯ୍ୟନ୍ତ ପଦ୍ମପୁର ପୋଲିସ ହାତବାନ୍ଧି ବସିଛି ଓ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ । ଏନେଇ ସିଇଓଙ୍କ ପାଖରେ ବାରମ୍ବାର ବିଜେପି ପକ୍ଷରୁ ଫେରାଦ ହେବା ସତ୍ୱେ କୌଣସି ସୁଫଳ ମିଳିନାହିଁ  ବୋଳି ବିଜେପି କହିଛି।

ଶାସକ ଦଳ ହାରିବା ଭୟରେ ପୂର୍ବରୁ ବିଜେପିର କାର୍ଯ୍ୟକର୍ତାଙ୍କୁ ଅପହରଣ କରିବା ସହ ମାଡମାରି ରକ୍ତାକ୍ତ କରିଥିବା ପ୍ରମାଣ ରହିଛି । ବିଜେପିର ଅନେକ କାର୍ଯ୍ୟକର୍ତା ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ମଧ୍ୟ ପୁଲିସ ଅପରାଧ ଘଟାଇଥିବା ବିଜେଡିର କର୍ମୀଙ୍କୁ ଗିରଫ କରୁନାହିଁ।  ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହ ବରଗଡ ଏସ୍‌ପିଙ୍କୁ ବଦଳି ଦାବି କରିଛି ବିଜେପି। ଦଳୀୟ କର୍ମୀଙ୍କ ଉପରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଉଦ୍ଦେଶ୍ୟମୂଳକ ଓ ମାତ୍ରାଧିକ କାର୍ଯ୍ୟ ପଛରେ ବରଗଡ ଏସ୍‌ପିଙ୍କ ହାତଥିବା ସନ୍ଦେହ କରୁଛି ବୋଲି ବିଜେପି କହିଛି।

Leave A Reply

Your email address will not be published.