Latest Odisha News

ଆଇପିଏଲରେ ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ରୋମାଂଚ ଭରି ରହିଥିବା ବେଳେ ଏଥିରେ ଆହୁରି ମସଲା ଯୋଗାଇବା ପାଇଁ ବିସିସିଆଇ ମୁଣ୍ଡ ଖେଳାଇଲାଣି । କ୍ରିକେଟ ପ୍ରଶଂସକଙ୍କୁ ବାନ୍ଧି ରଖିବା ପାଇଁ ଆଇପିଏଲରେ ଗୋଟିଏ ଟିମ ଚୂଡାନ୍ତ ଏକାଦଶରେ ୧୧ ବଦଳରେ ୧୫ ଖେଳାଳି ସାମିଲ କରିପାରିବା ନିୟମ ଲାଗୁ କରିବା ପାଇଁ ପରୀକ୍ଷା ନିରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଆବଶ୍ୟକ ପଡିଲେ ଗୋଟିଏ ଟିମ ଅତିରିକ୍ତ ଖେଳାଳିଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ମ୍ୟାଚ ମଝିରେ ସାମିଲ କରିପାରିବ । ଏହା ମ୍ୟାଚର ଗତିପଥ ବଦଳାଇବାରେ ସହାୟ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ବିସିସିଆଇ ଏହାକୁ ଘରୋଇ ପ୍ରତିଯୋଗିତାଗୁଡିକରେ ଲାଗୁ କରିବା ପାଇଁ ଉଦ୍ୟମ କରୁଛି । ଏ ନେଇ ଚୂଡାନ୍ତ ଶୁଣାଣୀ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଭିତିରିଆ ସୂତ୍ର ଅନୁସାରେ ଏହା ଲାଗୁ ହେବ । ଅକ୍ଟୋବର ୧୧ରୁ ଖେଳାଯିବାକୁ ଥିବା ଟି୨୦ ସୟେଦ ମୁସ୍ତାକ ଅଲୀ କ୍ରିକେଟରେ ଏହାକୁ ପରୀକ୍ଷଣ ଭାବେ ଲାଗୁ କରିବା ପାଇଁ ବିସିସିଆଇ ଯୋଜନା କରୁଛି । ଏଥିରେ ସଫଳ ହେଲେ ୨୦୨୩ ଆଇପିଏଲରେ ଇମ୍ପାକ୍ଟ ପ୍ଲେୟାର ପଲିସି ପ୍ରୟୋଗ କରାଯିବ ।

ପୂର୍ବରୁ ଅଷ୍ଟ୍ରେଲିଆରେ ବିଗ ବାସ ଲିଗରେ ଏହାକୁ ଲାଗୁ କରାଯାଇ ବେଶ ଲୋକପ୍ରିୟତା ଅର୍ଜନ କରିଛି । ସେଠାରେ ୧୫ ବଦଳରେ ୧୩ ଖେଳାଳିଙ୍କୁ ଅନୁମତି ଅଛି । ଏକ୍ସ ଫ୍ୟାକ୍ଟର ଭାବେ ଜଣେ ଖେଳାଳଙ୍କୁ ବ୍ୟବହାର କରାଯିବ । ଯାହାକି ମ୍ୟାଚଗୁଡିକ ଆହୁରି ରୋମାଂଚିତ ହେବ । ଘରୋଇ ଫର୍ମାଟ ପରେ ଶେଷରେ ଆନ୍ତର୍ଜାତୀୟସ୍ତରରେ ଏହାକୁ ଲାଗୁ କରାଯିବ କି ନାହିଁ ତାହା ଆଇସିସି ବିଚାର କରିବ । ତେବେ କ୍ରିକେଟ ସମୀକ୍ଷକଙ୍କ ମତରେ ବାରମ୍ବାର ନୂତନ ନିୟମ ଲାଗୁ କରି ଜୋର ଜବରଦସ୍ତ ରୋମାଂଚ ଭରିବା ପରୋକ୍ଷରେ ବୁମେରାଂ ସାବ୍ୟସ୍ତ ହୋଇପାରେ । ଏବେ ଟି୨୦ର ପ୍ରଭାବ ଯୋଗୁ ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ପ୍ରତି ଦର୍ଶକଙ୍କୁ ରୁଚି କମିବାରେ ଲାଗିଛି । ଦର୍ଶକ ପ୍ରକୃତ କ୍ରିକେଟ ଏବଂ ଖେଳାଳିଙ୍କ ଦକ୍ଷତା ପରଖି ପାରିବେ ନାହିଁ । ଏହା ପରୋକ୍ଷରେ କ୍ରିକେଟର କ୍ଷତି କରାଇବ ।

Comments are closed.