Latest Odisha News

BREAKING NEWS

ଗମ୍ଭୀର, ଅଗରକର ଓ ଲକ୍ଷ୍ମଣଙ୍କୁ ବିସିସିଆଇର ଡାକରା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଓ ଆୟରଲ୍ୟାଣ୍ଡ ଗସ୍ତରେ ହୋଇଥିବା ନିରାଶାଜନକ ପ୍ରଦର୍ଶନକୁ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଦଳର ଶୋଚନୀୟ ପରାଜୟ, ଖେଳାଳିଙ୍କ ଫିଟନେସ ସମସ୍ୟା ଏବଂ ଆଗାମୀ ସିରିଜର ରଣନୀତି ଉପରେ ପ୍ଲାନ୍ ଆଉଟ୍ କରିବା ପାଇଁ ବିସିସିଆଇ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ସେଣ୍ଟର ଅଫ ଏକ୍ସଲେନ୍ସ ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ସମୀକ୍ଷା ବୈଠକ ପାଇଁ ମୁମ୍ବାଇ ସ୍ଥିତ ମୁଖ୍ୟାଳୟକୁ ଡକା ଯାଇଛି।

ସୂଚନା ଅନୁସାରେ, ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ୨-୦ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ୪-୦ରେ ପରାଜୟ ହେବା ସହ ଦିନିକିଆ ସିରିଜରେ ମଧ୍ୟ ଭାରତୀୟ ଦଳ ୨-୧ରେ ପରାଜିତ ହୋଇଥିଲା। ଏହି ଲଜ୍ଜାଜନକ ପରାଜୟ ସହିତ ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ୱାଶିଂଟନ ସୁନ୍ଦରଙ୍କ ଭଳି ପ୍ରମୁଖ ଖେଳାଳିଙ୍କ କ୍ରମାଗତ ଆଘାତ ସମସ୍ୟା ବିସିସିଆଇର ଚିନ୍ତା ବଢ଼ାଇ ଦେଇଛି।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଖେଳାଳିଙ୍କ ୱର୍କଲୋଡ୍ ମ୍ୟାନେଜମେଣ୍ଟ, ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ଏବଂ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯିବ। ସିଓଇ ଏବଂ ଚୟନ କମିଟି ମଧ୍ୟରେ ଥିବା ଯୋଗାଯୋଗର ଅଭାବକୁ ଦୂର କରିବା ପାଇଁ ମଧ୍ୟ ବିସିସିଆଇ ଶୀର୍ଷ ଅଫିସରମାନେ ଗୁରୁତ୍ୱ ଦେବେ।ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ନେବା ପରଠାରୁ ଦଳର ବିଦେଶ ଗସ୍ତରେ କ୍ରମାଗତ ଖରାପ ପ୍ରଦର୍ଶନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ସିନିୟର ଖେଳାଳିଙ୍କ ଫର୍ମ ଓ ଅଧିନାୟକତ୍ୱ ନିଷ୍ପତ୍ତି ଉପରେ ବିସିସିଆଇ କଡ଼ା ନଜର ରଖିଛି।

ଏହି ବୈଠକରେ ଟି-୨୦ ଆଗାମୀ ସଂସ୍କରଣ ଏବଂ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ। ଯଦି ଆଗାମୀ ସିରିଜରେ ଦଳର ପ୍ରଦର୍ଶନରେ ସୁଧାର ନଆସେ, ତେବେ କୋଚିଂ ଷ୍ଟାଫ୍ ଏବଂ ଚୟନ କମିଟିରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.