Latest Odisha News

ଭୁବନେଶ୍ୱରରେ ହେବ ୩ ନୂଆ ଗୃହ ନିର୍ମାଣ ପ୍ରକଳ୍ପ

ବିଡିଏରେ ଯୋଡ଼ିହେବ ୧୪୩ଟି ନୂତନ ରାଜସ୍ୱ ଗ୍ରାମ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୧୫୦ତମ କର୍ତ୍ତୃପକ୍ଷ ବୈଠକ ଗୁରୁବାର ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଡିଏ ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ।

ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆକଳନ ତଥା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସଂଶୋଧିତ ବଜେଟ ଆକଳନ ଉପସ୍ଥାପିତ ହୋଇଥିଲା। ତେବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧,୫୩୬.୦୮ କୋଟିର ବଜେଟକୁ ଅନୁମୋଦନ କରାଯାଇଛି।

ସେହିପରି ମୋଟ୍ ୧୪୩ ନୂତନ ରାଜସ୍ୱ ଗ୍ରାମକୁ ବିଡିଏ ସହ ସାମିଲ କରିବା ନେଇ ଅନୁମୋଦନ ମିଳିଛି। ବାବୁ ସିଂ ଏକାମ୍ର ବିଧାୟକ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଲକ୍ଷ୍ମୀ ମହାନ୍ତି ଅଧ୍ୟକ୍ଷ ଖୋର୍ଦ୍ଧା ପୌର ପରିଷଦ, ଉଷା ପାଢୀ ପ୍ରମୁଖ ସାଶନ ସଚିବ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଡା .ଏନ୍ ତିରୁମାଲା ନାୟକ ବିଡିଏ ଉପାଧ୍ୟକ୍ଷ, ମାନସ ରଞ୍ଜନ ପାଢୀ ବିଡିଏ ସଚିବଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ବର୍ତ୍ତମାନ ବିଡିଏ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି), ଖୋର୍ଦ୍ଧା ପୌର ପରିଷଦ, ଜଟଣୀ ପୌର ପରିଷଦ, ଏବଂ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଆଦି ଚାରିଗୋଟି ସହରାଞ୍ଚଳ ସହ ନିକଟବର୍ତ୍ତୀ ଗ୍ରାମ ପଞ୍ଚାୟତ ଅଞ୍ଚଳଗୁଡ଼ିକର ତଦାରଖ କରୁଛି।ତେବେ ଏହି ସହର ସମ୍ପ୍ରସାରଣ ଯୋଜନାବଦ୍ଧ ବିକାଶକୁ ପ୍ରୋତ୍ସାହନ କରିବା, ଭିତ୍ତିଭୂମିର ଉନ୍ନତି ତଥା ଦ୍ରୁତ ସହରୀକରଣରେ ବାଧକ ସାଜୁଥିବା ସମସ୍ୟାର ସମାଧାନ କରିବ ବୋଲି ବୈଠକରେ ଅଧିକାରୀମାନେ ଗୁରୁତ୍ୱ ଦେଇଛନ୍ତି।

ପ୍ରକାଶ ଥାଉକି, ୧୯୮୩ରେ ମାତ୍ର ୧୧୬ଟି ରାଜସ୍ୱ ଗ୍ରାମକୁ ନେଇ ବିଡିଏର ସହର ବିକାଶ ଚିନ୍ତାଧାରା ଆରମ୍ଭ ହୋଇଥିଲା | ପରେ ୨୦୦୨, ୨୦୦୩ ଏବଂ ୨୦୧୧ରେ ଏହାର କଳେବରକୁ ସମ୍ପ୍ରସାରଣ କରାଯାଇଛି | ତେବେ ଏହି ନୂତନ ଯୋଜନାବଦ୍ଧ ସହର ସମ୍ପ୍ରସାରଣ ଯୋଜନା ସହର ସହ ଆଞ୍ଚଳିକ ସଂଯୋଗୀକରଣକୁ ଗୁରୁତ୍ୱ ଦେବା ସହ ଭିତ୍ତିଭୂମି ବିକାଶରେ ସହାୟକ ହେବ | ଏହି ନୂତନ ଗ୍ରାମଗୁଡ଼ିକ ମିଶିବା ପରେ ବିଡିଏ ଅଧିକାର କ୍ଷେତ୍ରରେ ଥିବା ମୋଟ ଗ୍ରାମ ସଂଖ୍ୟା ୫୬୯ରୁ ବୃଦ୍ଧି ପାଇ ୭୧୨କୁ ପହଞ୍ଚିବ। କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ଏହି ପ୍ରସ୍ତାବ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ , ୧୯୮୨ର ଧାରା ୩ ଅନୁଯାୟୀ ରାଜ୍ୟ ସରକାରଙ୍କ ନିକଟକୁ ବିଚାର ଓ ଅନୁମୋଦନ ପାଇଁ ପଠାଯିବ। । ଏହା ସହିତ, ବିଡିଏର ରାଜସ୍ୱ ସୃଷ୍ଟି କରିବା ଲାଗି କର୍ତ୍ତୃପକ୍ଷ ଜମି ମୁଦ୍ରୀକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ଉଦ୍ୟମକୁ ସମର୍ଥନ କରିବା ପାଇଁ ଅନେକ ଜମି ଖଣ୍ଡକୁ ନିଲାମ ପାଇଁ ଚିହ୍ନଟ କରାଯାଇଛି|

ସେହିପରି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଗୃହ ନିର୍ମାଣ ଓ ବାଣିଜ୍ୟିକ ବିକାଶ ଯୋଜନାରେ ଚନ୍ଦ୍ରଶେଖରପୁର, ଖୋର୍ଦ୍ଧାର ଜଗସାରା ଓ ସାନପଲ୍ଲାରେ ଗୃହ ନିର୍ମାଣ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ସହିତପଟିଆରେ ବାଣିଜ୍ୟିକ ସ୍ଥାନର ବିକାଶ କରାଯିବ। କର୍ତ୍ତୃପକ୍ଷ ମାଷ୍ଟର କ୍ୟାଣ୍ଟିନରେ ଭୁବନେଶ୍ୱର ଟାଉନ୍ ସେଣ୍ଟର (ବିଟିସି)କୁ ଏବଂ ବିଡିଏ ସିଟି ସେଣ୍ଟର, ଯାହା ନିକ୍କୋ ପାର୍କ ଭାବେ ଜଣାଶୁଣା , ତାହାର ବିକାଶକୁ ମଧ୍ୟ ଅନୁମୋଦନ କରିଛନ୍ତି।

ବିଡିଏ ସହର ମଧ୍ୟରେ ୨୪ଟି ( ସମନ୍ୱିତ ଉନ୍ନୟନ ଯୋଜନା) ସିଡିପି ରାସ୍ତା ବିକାଶ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି, ଯାହାର ପ୍ରସ୍ତାବ କର୍ତ୍ତୃପକ୍ଷ ବୈଠକରେ ଉପସ୍ଥାପନା ହୋଇଥିଲା। ଜୟଦେବ ବିହାରରୁ ଭାୟା ରଘୁନାଥପୁର ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା, ନୂଆ ଭୁବନେଶ୍ୱର ରେଳ ଷ୍ଟେସନକୁ ଯିବା ଆପ୍ରୋଚ ରୋଡ଼, ଟିପି ସ୍କିମ-୮ ଦେଇ ଅତିକ୍ରମ କରୁଥିବା ନୂଆଗାଁ-କଟେନି ରୋଡ଼, ନ୍ୟୁ-ସିଟି ପାଇଁ ଚିହ୍ନଟ ହୋଇଥିବା ରାସ୍ତା, ଏବଂ ଚନ୍ଦକା-ଖଣ୍ଡଗିରି ରାସ୍ତାରୁ ପିତାପଲ୍ଲୀ-ବାରଙ୍ଗ ରାସ୍ତା, ଯାହା ଟିପି ଯୋଜନା ନମ୍ବର ୦୮ ଏବଂ ନ୍ୟୁ-ସିଟି ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳ ଦେଇ ମଧ୍ୟ ଗତି କରୁଥିବା ରାସ୍ତାଗୁଡ଼ିକ ରହିଛି ।

 

Comments are closed.