Latest Odisha News

ସହର ପରିକଳ୍ପନା ଯୋଜନାର ଅଗ୍ରଗତି ସମୀକ୍ଷା କଲେ ବିଡିଏ ଉପାଧ୍ୟକ୍ଷ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ଡା.ଏନ୍. ତିରୁମାଲା ନାୟକ ଶନିବାର ସହର ପରିକଳ୍ପନା ଯୋଜନାର (ଟିପି ସ୍କିମ) ସମୀକ୍ଷା କରିଛନ୍ତି । ଏହି ବୈଠକରେ (ଟିପିସ୍କିମ) ଯୋଜନା ନଂ ୧, ୨, ୩ ଓ ୪ର ୯ଟି ଗାଁ ପାଇକରାପୁର, ସିଜିପୁଟ, ନାରାଗୋଡା, ସାହାଜପୁର, ତମାଣ୍ଡୋ, ବିଜିପୁର,ପାଇକରାପୁର, ନୂଆଗାଁ ଓ ଶ୍ୟାମସୁନ୍ଦରପୁରରେ ଭିତ୍ତିଭୂମି କାମର ଅଗ୍ରଗତି ସମୀକ୍ଷା କରିଥିଲେ ।

ଏଥିରେ ବିଡିଏ ୬୦ କିଲୋମିଟର ଗମନାଗମନ ରାସ୍ତା ଓ ୬୪.୯ କିଲୋମିଟର ଡ୍ରେନେଜ କାମ ଶେଷ କରିବା ସହ ୨୯ଟି କଲଭର୍ଟ ତିଆରି ଓ ୪ କିଲୋମିଟର ରାସ୍ତାରେ ପିଚୁ କାମ ହୋଇଥିବା ନେଇ ଏହି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟପଟେ ଟିପି-୮ ଯୋଜନା ଅଧୀନରେ ଅନ୍ଧାରୁଆ ଓ ଦାସପୁର ଜମି ମାଲିକଙ୍କ ଆପତ୍ତି ଓ ପରାମର୍ଶ ଉପରେ ଶୁଣାଣି ଚାଲିଥିବା ନେଇ ସଂପୃକ୍ତ ବୈଠକରେ ଅଧିକାରୀମାନେ ଉପାଧ୍ୟକ୍ଷଙ୍କୁ ସୂଚନା ଦେଇଥିଲେ ।

ଏହା ସହିତ ବିଡିଏ ଜୋନ-୪ରେ ୧୪ଟି ନୂଆ ସହର ପରିକଳ୍ପନା (ଟିପି ସ୍କିମ) ଆରମ୍ଭ କରିବାକୁ ଯୋଜନା କରୁଛି, ଯାହା ସହରର ଭିତ୍ତିଭୂମିକୁ ଆହୁରି ଅଧିକ ସୁଦୃଢ କରିବ । ସହର ପରିକଳ୍ପନା (ଟିପି ସ୍କିମ)ର କାମକୁ ତ୍ଵରାନିତ କରି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଉପାଧ୍ୟକ୍ଷ ଡା. ନାୟକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସେ ନିୟମିତ ଅଗ୍ରଗତି ସମୀକ୍ଷା ଉପରେ ଜୋର ଦେଇଛନ୍ତି ।

ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଡିଏ ସଚିବ ମାନସ ରଞ୍ଜନ ପାଢ଼ୀ ଓ ଯୁଗ୍ମକମିଶନର (ଟିପି) ଭବତରଣ ସାହୁ ଏବଂ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ସହର ପରିକଳ୍ପନା (ଟିପି ସ୍କିମ) ରେ ଜମି ମାଲିକମାନେ ୪୦% ଜମି ନଗର ଭିତ୍ତିଭୂମି ପାଇଁ ଦେବେ ଓ ୬୦% ଜମି (ଟିପି) ଅଞ୍ଚଳ ଭାବେ ରହିବ । ଏହି ଯୋଜନାରେ ରାସ୍ତା (ସର୍ବନିମ୍ନ ୯ ମିଟର ଚଉଡା), ନାଳ, ଜଳ ଯୋଗାଣ, ସ୍ଵରେଜ ଓ ବିଦ୍ୟୁତ ସୁବିଧା ମିଳିବ। ଏହା ଦ୍ୱାରା ଜମିର ମୂଲ୍ୟ ବଢିବ ଓ ଭିତ୍ତିଭୂମିର ଉନ୍ନତି ଭଲ ହେବ । ୨୦୧୦ କମ୍ପ୍ରେହେନ୍ସିଭ ଡେଭଲଫମେଣ୍ଟ ପ୍ଲାନ୍ (ସିଡିପି) ଅନୁସାରେ ଭୁବନେଶ୍ୱର ଉନ୍ନୟନ ଅଞ୍ଚଳରେ ୬୪.୯ କିଲୋମିଟର ରିଙ୍ଗ ରୋଡ ପ୍ରସ୍ତାବ ହୋଇଥିଲା ।

ଏହାକୁ ସଫଳ କରିବା ପାଇଁ ବିଡିଏ ୫୮ଟି ଗାଁରେ ୪୫ଟି ଟିପି ଯୋଜନା କରୁଛି, ଯାହା ଜମି ଅଧିଗ୍ରହଣ କମିବା ସହ ସହର ପାଖ ଅଞ୍ଚଳରେ ଉନ୍ନୟନକୁ ଅଧିକ ତ୍ବରାନ୍ବିତ କରିବ। ସହର ପରିକଳ୍ପନା ଯୋଜନା (ଟିପି ସ୍କିମ) ର ମୂଳ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ମାଲିକଙ୍କ ଜମିକୁ ଏକାଠି କରି, ତାକୁ ସଂଗଠିତ ଭାବେ ବଣ୍ଟନ କରିବା । ଏଥିରେ ଖୋଲା ଜାଗା, ସାମାଜିକ ଭିତ୍ତିଭୂମି, ଆର୍ଥିକ ଅନଗ୍ରସରଙ୍କ ପାଇଁ ଘର ଓ ରାସ୍ତା ପାଇଁ ଜମି ସଂରକ୍ଷିତ କରିବା ।

Comments are closed.