Latest Odisha News

BREAKING NEWS

ବ୍ୟୁଟିପାର୍ଲରରୁ ଫେରିଲେ କନ୍ୟା, ବାହା ହେବାକୁ ମନା କଲେ ବର

ବେଙ୍ଗାଲୁରୁ: ବ୍ୟୁଟିପାର୍ଲର ଯିବା ହେଲା ମହଙ୍ଗା । ବିବାହ ଦିନ ବ୍ୟୁଟିପାର୍ଲର ଯାଇଥିବା ଜଣେ କନ୍ୟାଙ୍କର ଏଭଳି ଅବସ୍ଥା ହୋଇଛି ଯେ ବିବାହ ପାଇଁ ବର ମନା କରିଦେଇଛି । ଏତିକିରେ କଥା ସରିନାହିଁ, ବରଂ ଚିକିତ୍ସା ପାଇଁ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କର୍ଣ୍ଣାଟକର ହସନ ଜିଲ୍ଲାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି ।

ବିବାହ ଦିନ ଆଜିକାଲି ପ୍ରାୟ ଯୁବତୀ ବ୍ୟୁଟିପାର୍ଲର ଯିବା ସାଧାରଣ କଥା ପାଲଟିଗଲାଣି । ତେବେ ରଶ୍ମି(ଛଦ୍ମନାମ)ଙ୍କର ଗତକାଲି ବିବାହ ଥିବାବେଳେ ସେ ବ୍ୟୁଟିପାର୍ଲର ଯାଇଥିଲେ । ରଶ୍ମିଙ୍କ କହିବା ମୁତାବକ ମେକଓଭର ପାଇଁ ସେ ବ୍ୟୁଟିପାର୍ଲର ଯାଇଥିବାବେଳେ ବ୍ୟୁଟିସିଆନ ପ୍ରଥମେ ତାଙ୍କ ଚେହେରାରେ ଫାଉଣ୍ଡେସନ ଲଗାଇଥିଲେ । ବ୍ୟୁଟିସିଆନ ଜଣକ କିଛି ନୂଆ କରିବାକୁ ଚାଁହୁଥିଲେ । ଆଉ ସେଥିପାଇଁ ସେ ରଶ୍ମିଙ୍କୁ ଫାଉଣ୍ଡେସନ ପରେ ଷ୍ଟିମ ନେବାକୁ କହିଥିଲେ ।

ଯେତେବେଳେ ରଶ୍ମି ତାଙ୍କ କଥା ମାନି ଷ୍ଟିମ ନେଇଥିଲେ ସେତେବେଳେ ତାଙ୍କ ଚେହେରା ଜଳିଯାଇଥିଲା ଓ ମୁହଁରେ ଫୋଟକା ହୋଇଯାଇଥିଲା । ଏସବୁ ପରେ ଯେତେବେଳେ ସେ ଘରକୁ ଫେରିଥିଲେ, ତାଙ୍କ ଚେହେରାର ଏଭଳି ଅବସ୍ଥା ଦେଖି ବର ଜଣକ ବିବାହ କରିବାକୁ ମନା କରିଦେଇଥିଲେ । ଲୋକମାନେ ତାଙ୍କୁ ବାରମ୍ବାର ବୁଝାଇଥିଲେ ବି ସେ ବୁଝିନଥିଲେ ଆଉ ଶେଷରେ ବିବାହ ଭାଙ୍ଗିଯାଇଥିଲା । ଅନ୍ୟପଟେ ଯୁବତୀଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ବ୍ୟୁଟିପାର୍ଲର ମାଲିକଙ୍କୁ ଏବେ ପୁଲିସ ପଚରାଉଚୁରା କରୁଛି ।

Leave A Reply

Your email address will not be published.