Latest Odisha News

BREAKING NEWS

ବେଙ୍ଗଲରେ ୟୁପିର ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ଙ୍କୁ ନେଇ ଝଡ଼: ଟିଏମସି ପ୍ରାର୍ଥୀଙ୍କୁ ଧମକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ରାଜନୈତିକ ଉଷ୍ମତା ମଧ୍ୟରେ ଏବେ ଏକ ନୂଆ ଏବଂ ସଙ୍ଗିନ୍ ବିବାଦ ମୁଣ୍ଡ ଟେକିଛି। ଡାଇମଣ୍ଡ ହାର୍ବର ପୋଲିସ ଜିଲ୍ଲା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପୋଲିସ ପର୍ଯ୍ୟବେକ୍ଷକ ତଥା ଉତ୍ତରପ୍ରଦେଶ କ୍ୟାଡରର ଆଇପିଏସ୍ ଅଧିକାରୀ ଅଜୟପାଲ ଶର୍ମା ଏବେ ତୃଣମୂଳ କଂଗ୍ରେସର ଟାର୍ଗେଟ୍‌ରେ ଅଛନ୍ତି। ଟିଏମସି ପ୍ରାର୍ଥୀଙ୍କ ପରିବାରକୁ ଧମକ ଦେଉଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଶାସକ ଦଳ ଟିଏମସି କେବଳ ଅଜୟପାଲଙ୍କ ଉପରେ ବର୍ଷିନାହିଁ, ବରଂ ତାଙ୍କର କଳଙ୍କିତ ଅତୀତକୁ ପଦାରେ ପକାଇ ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି।

ସୋମବାର ସାମ୍ନାକୁ ଆସିଥିବା ଏହି ବିବାଦୀୟ ଭିଡିଓରେ ଦେଖିବାକୁ ମିଳିଛି ଯେ, ଆଇପିଏସ୍ ଅଜୟପାଲ ଶର୍ମା କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହ ଫଲତା ଠାରେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କ ଘର ସାମ୍ନାରେ ଛିଡ଼ା ହୋଇଛନ୍ତି। ସେଠାରେ ଉପସ୍ଥିତ ଲୋକଙ୍କୁ ଚେତାବନୀ ଦେଇ ସେ କହୁଛନ୍ତି, “ଭଲ ଭାବରେ ବୁଝିନିଅ, ଯଦି କେହି କିଛି ବଦମାସୀ କରେ, ତେବେ ତାର ଠିକ୍ ବ୍ୟବସ୍ଥା କରାଯିବ। ତାଙ୍କ ପରିବାର ଲୋକଙ୍କୁ କହିଦିଅ, ସେ ଯାହା କରୁଛନ୍ତି ସେଥିପାଇଁ ଯେମିତି ପରେ କାନ୍ଦିବାକୁ ନପଡ଼େ।”

ଏହି ଧମକପୂର୍ଣ୍ଣ ମନ୍ତବ୍ୟର କଡ଼ା ଜବାବ ଦେଇ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ କହିଛନ୍ତି, “ମୁଁ କାହାକୁ ଡରେ ନାହିଁ। ମୁଁ ୫,୦୦୦ ଲୋକଙ୍କୁ ନେଇ ସାଧାରଣ ସଭା କରୁଛି। ମୁଁ କୌଣସି ଛୋଟ ପିଲା ନୁହେଁ ଯେ ଡରିଯିବି। ସେମାନେ କେବଳ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଡାଏଲଗ୍ ମାରୁଛନ୍ତି, କିନ୍ତୁ ଏଠାରେ ଏସବୁ ଚାଲିବ ନାହିଁ।”

ଏହି ଘଟଣା ପରେ ଟିଏମସି ଏକ୍ସରେ ଏକ ପୋଷ୍ଟ କରି ଅଜୟପାଲ ଶର୍ମା ଏବଂ ନିର୍ବାଚନ ଆୟୋଗଙ୍କୁ ତୀବ୍ର ସମାଲୋଚନା କରିଛି। ଟିଏମସି ଲେଖିଛି ଯେ, ନିର୍ବାଚନ ଆୟୋଗ ୟୁପିର ବଦନାମ ସିଙ୍ଘମ୍ ଏବଂ ଯୋଗୀ ଆଦିତ୍ୟନାଥଙ୍କ ପ୍ରିୟ ‘ଏନକାଉଣ୍ଟର ସ୍ପେଶାଲିଷ୍ଟ’ଙ୍କୁ ଦକ୍ଷିଣ ୨୪ ପ୍ରଗଣାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଏହା ସେହି ଅଫିସର ଯିଏ ନିଜର ‘ଠୋକ୍ ଦୋ’ (ଗୁଳି କରିଦିଅ) ମନୋଭାବ ପାଇଁ କୁଖ୍ୟାତ।

ଦଳ ଆହୁରି ସଙ୍ଗିନ୍ ଅଭିଯୋଗ ଆଣି ଦର୍ଶାଇଛି ଯେ, ଜାନୁଆରୀ ୨୦୨୦ ରେ ରାମପୁରର ଏସପି ଥିବା ବେଳେ ଅଜୟପାଲ ଶର୍ମାଙ୍କ ନାମ ଏକ ବଡ଼ ‘କ୍ୟାସ୍-ଫର୍-ପୋଷ୍ଟିଂ’ (ବଦଳି ପାଇଁ ଲାଞ୍ଚ) ସ୍କାଣ୍ଡାଲରେ ଆସିଥିଲା। ଏହାପରେ ତାଙ୍କୁ ଉନ୍ନାଓ ପୋଲିସ ଟ୍ରେନିଂ ସେଣ୍ଟରକୁ ବଦଳି କରାଯାଇଥିଲା ଏବଂ ବିଜେପି ସରକାର ବାଧ୍ୟ ହୋଇ ଏସଆଇଟି  ଗଠନ କରି ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଜଣେ ୩୦ ବର୍ଷୀୟା ମହିଳା ଅଜୟପାଲଙ୍କ ବିରୋଧରେ ଏତଲା ଦେଇ ଅଭିଯୋଗ କରିଥିଲେ ଯେ, ଶର୍ମା ତାଙ୍କୁ ବିବାହ କରିବା ପରେ ଅନ୍ୟ ମହିଳାଙ୍କ ସହ ନିଜର ସମ୍ପର୍କ ଲୁଚାଇଥିଲେ ଏବଂ ଯେତେବେଳେ ସେ ଡିଜିପିଙ୍କ ନିକଟରେ ଅଭିଯୋଗ କଲେ, ଶର୍ମା ତାଙ୍କୁ ମିଥ୍ୟା ମାମଲାରେ ଫସାଇଦେଇଥିଲେ। ବିଶ୍ୱାସଘାତକତା ଓ ପ୍ରମାଣ ନଷ୍ଟ କରିବା ନେଇ ତାଙ୍କ ନାମରେ ମାମଲା ରହିଛି।

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ବ୍ୟଙ୍ଗ କରି ଟିଏମସି ଶେଷରେ ଲେଖିଛି, “ନିର୍ବାଚନ ଆୟୋଗ ବଙ୍ଗଳା ପାଇଁ ଏଭଳି ‘ନିରପେକ୍ଷ’ ପୋଲିସ ଅବଜରଭର ବାଛୁଛନ୍ତି। ବୋଧହୁଏ ଏବେ ଦୁର୍ନୀତିଗ୍ରସ୍ତ ଏବଂ କ୍ରିମିନାଲ୍ ଟ୍ରାକ୍ ରେକର୍ଡ ଏହି ଚାକିରି ପାଇଁ ମୁଖ୍ୟ ଯୋଗ୍ୟତା ପାଲଟିଯାଇଛି।” ଏହି ଘଟଣା ଏବେ ବଙ୍ଗଳା ନିର୍ବାଚନରେ ଆଇନଶୃଙ୍ଖଳା ଓ ପ୍ରଶାସନିକ ନିରପେକ୍ଷତାକୁ ନେଇ ଏକ ବିରାଟ ଝଡ଼ ସୃଷ୍ଟି କରିଛି।

Leave A Reply

Your email address will not be published.