Latest Odisha News

BREAKING NEWS

ଗୁଜରାଟରେ ହେବନି ଭାରତ ଯୋଡୋ ଯାତ୍ରା: ଆମ୍ ଆଦମୀ ପାର୍ଟି କଂଗ୍ରେସର ଭୋଟ୍ କାଟିବ !

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରେ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ସମସ୍ତ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ତେବେ ପ୍ରଶ୍ନ ହେଉଛି ନଭେମ୍ବର –ଡିସେମ୍ବର ମାସରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।  ରାହୁଲ ଗାନ୍ଧୀ କି କଂଗ୍ରେସ ନେତାମାନେ ଗୁଜରାଟରେ କାହିଁକି ନିର୍ବାଚନ ପ୍ରଚାର କରୁନାହାଁନ୍ତି ?  ଆପ୍ ପକ୍ଷରୁ ବିଜେପି ବିପକ୍ଷରେ ଜୋରଦାର ପ୍ରଚାର କରାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଏଥର ଲଢ଼େଇ କରୁନଥିବା ଚର୍ଚା ଆରମ୍ଭ ହୋଇଯାଇଛି ।

ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଆଲୋଚନା ହେଉଛି ଯେ ଗୋଟିଏ ପଟେ ରାହୁଲ ଗାନ୍ଧୀ  ଭାରତ ଯୋଡୋ ଯାତ୍ରା ପାଇଁ ବ୍ୟସ୍ତ ରହିଛନ୍ତି । କିନ୍ତୁ ଏହି ସମୟରେ ଗୁଜୁରାଟର ମାଟିରେ ରାହୁଲ ଯାତ୍ରା କରିବେ ନାହିଁ । ଆମ୍ ଆଦମୀ ପାର୍ଟି ରାଜ୍ୟର ସମସ୍ତ ୧୮୨ ଟି ଆସନ ପାଇଁ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ସେପଟେ କଂଗ୍ରେସର ନିରବତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ।  କଂଗ୍ରେସ ନେତାମାନେ  ଗୁଜରାଟରେ ଯାତ୍ରା କରିବାକୁ ଚାହୁଁନାହାଁନ୍ତି କାହିଁକି ତାର ଉତ୍ତର କେହି ଦେବାକୁ ପ୍ରସ୍ତୁତ ନୁହଁନ୍ତି ।

ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନିୟମିତ ଗୁଜୁରାଟ ଗସ୍ତରେ ଆସି ନିର୍ବାଚନ ଭୋଟ ହାତେଇବା ପାଇଁ ନାନା ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ସେପଟେ ଗୁଜରାଟ ପ୍ରଦେଶ କଂଗ୍ରେସ ନେତାମାନେ  ପ୍ରଚାର କରିବା ଦେଖାଯାଉନାହିଁ । କୁହାଯାଉଛି, ଦିଲ୍ଲୀ , ପଂଜାବ ପରେ ଏବେ କେଜ୍ରିୱାଲ ଗୁଜୁରାଟରେ  କଂଗ୍ରେସର ଭୋଟ କାଟିବାକୁ ବାରମ୍ବାର ଗୁଜରାଟ ଯାଉଛନ୍ତି ।

ସମ୍ମୁଖ ଯୁଦ୍ଧରେ କଂଗ୍ରେସ ବର୍ଷ ବର୍ଷ ଧରି ବିଜେପିକୁ ଗୁଜରାଟରେ ହରାଇପାରୁନାହିଁ । ତେଣୁ ଏଥର କଂଗ୍ରେସ ଭୋଟ ଆପକୁ ଯିବା ନିଶ୍ଚିତ କୁହାଯାଉଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଗୁଜରାଟରେ ହୋଇଥିଲେ ନିଶ୍‌ଚୟ ଗୁଜରାଟ କଂଗ୍ରେସକୁ ଲାଭ ମିଳିଥାନ୍ତା । କଂଗ୍ରେସ ସଂଗଠନ ମଧ୍ୟ ସୁଦୃଢ଼ ହୋଇଥାନ୍ତା । ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମଧ୍ୟ ଶକ୍ତି ମିଳିଥାନ୍ତା । ତେବେ ଏପରି କିଛି ଘଟୁନାହିଁ । ଗୁଜରାଟ ବିଧାନସଭା ନିର୍ବାଚନ ପରେ ଯାତ୍ରା ହେବ ବୋଲି କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ କହିଥିବା ବେଳେ ଏହାର ପ୍ରଭାବ ବିଧାନସଭା ନିର୍ବାଚନ ଉପରେ ପଡ଼ିବ ନାହିଁ, ଏହା ହି ଚର୍ଚା ହେଉଛି ।

ରାଜନୖତିକ ସମୀକ୍ଷକମାନେ କହୁଛନ୍ତି, ଗୁଜରାଟ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଆଗ୍ରହ ପ୍ରକାଶ କରୁନାହିଁ। ଲୋକ-ଲୋକଙ୍କ ସମ୍ପର୍କ ଯେଉଁ ସମୟରେ ଆରମ୍ଭ କରିବା କଥା ସେହି ସମୟରେ ନେତାମାନେ ଅନ୍ୟ ରାଜ୍ୟରେ ଯାତ୍ରା କରୁଛନ୍ତି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ନିର୍ବାଚନରେ ​​କଂଗ୍ରେସ ଭଲ ପ୍ରଦର୍ଶନ ନକଲେ ରାହୁଲ ଗାନ୍ଧୀ ଏଥିପାଇଁ ଦାୟୀ ହୋଇପାରିବେ ନାହିଁ, କାରଣ ସେ ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ଅଛନ୍ତି। ଏହା ହିଁ ଜାତୀୟ ଗଣମାଧ୍ୟମରେ ଚର୍ଚା ହେଉଛି ।

2022 ଗୁଜୁରାଟ ନିର୍ବାଚନ ପୂର୍ବରୁ  ରାହୁଲ ଗାନ୍ଧୀ ଗୁଜରାଟରେ ଏପର୍ଯ୍ୟନ୍ତ ତିନୋଟି କାର୍ଯ୍ୟକ୍ରମ କରିଛନ୍ତି। ଏହି କାର୍ଯ୍ୟକ୍ରମଗୁଡିକ ମଧ୍ୟରୁ ଗୋଟିଏରେ  ସୋମନାଥରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ଗୋଟିଏ ଅହମ୍ମଦାବାଦରେ ବୁଥସ୍ତରର କର୍ମୀଙ୍କ ସହ ସାକ୍ଷାତ କରିଥିଲେ । ଏହା ସହ ଦାହୋଡରେ ଆଦିବାସୀ ସମ୍ପ୍ରଦାୟ ସହିତ ଏକ ବୖଠକ କରିଥିଲେ । କୈାଣସି ବଡ଼ ସଭା, ରାଲି କିମ୍ବା ରୋଡ ଶୋରେ ଭାଗନେଇନାହାଁନ୍ତି ରାହୁଲ ଗାନ୍ଧୀ । ଏହି କାର୍ଯ୍ୟକ୍ରମ ପରେ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ରେ ବାହାରିପଡ଼ିଛନ୍ତି ।  ତେବେ ଏସବୁ ଚର୍ଚା ଭିତରେ ନିର୍ବାଚନ ପରେ ଜଣାପଡିବ କଂଗ୍ରେସ ବିଜେପି ସହ ଲଢ଼ୁଛି ନା କଂଗ୍ରେସର ଭୋଟ ଆପକୁ ଯାଇଛି ।

Leave A Reply

Your email address will not be published.