Latest Odisha News

ଭାଷା ଭାଗବତ : ଆଶୁବିଶ୍ବାସୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ଆଶୁବିଶ୍ବାସୀ ହେଲେ ଜଣେ

ଯାହା ଶୁଣେ, ତା ସତ୍ୟ ମଣେ

କରେନାହିଁ ବାଛବିଚାର

ମଥାକୁ କରେ ମିଛ-ଘର

 

ଟିକେ ଅଧିକ ଖୋଜାଖୋଜି

କରିବା ପାଇଁ ନୁହେ ରାଜି

ତତ୍କାଳ କରଇ ପ୍ରଚାର

ଯାହା ବି ଧାରଣା ତାହାର

 

ଯାହା ଚଳିଆସୁଛି ତାହା

ଯଦି ହେଉନି ଆମ ସାହା

କରିବା ନୂଆକୁ ସ୍ବାଗତ

ସୁଫଳ ମିଳିବ ହୁଏତ

 

କେହି ବି ନ ହେଲେ ନିଶ୍ଚିତ

ହୋଇପାରେନି କାହା ହିତ

ଅହିତକର ଏହି ଧାରା

ନୁହେ ଆମର ପରଂପରା

 

ସର୍ବଜନଂକ ହିତ ନୀତି

ଏବେ କେବଳ ଆମ ସ୍ମୃତି

ସର୍ବଜନଂକ ହିତ ପାଇଁ

କେହି ତ କିଛି କରୁନାହିଁ

 

ଏବେ ତ ଦ୍ବିଧା କରି ଦୂର

ହୋଇବା ସଂସ୍କାର-ତତ୍ପର

ଭାଷା ଲୋଡ଼ୁଛି ଆମ ସେବା

କିପାଇଁ କର୍ମକୁଂଠ ହେବା

 

*କୁଣ୍ଠ* ର ଅଂତ୍ୟବର୍ଣ *ଠ*

ସଫା ଦିଶେ ଲେଖିଲେ *କୁଂଠ*

ତେଣୁ ଏପରି ଦେଲେ ଲେଖି

ସର୍ବେ ପାରିବା ସଫା ଦେଖି

 

*ଣ୍ଟ ଣ୍ଠ* ରେ *ଣ୍‌* ହେଲେ ହେଁ ଗୌଣ

ନିଏ ଅଯଥା ମୁଖ୍ୟ ସ୍ଥାନ

*ଟ* ଓ *ଠ*, *ଣ* ପାଦ ତଳେ

ଅତ୍ୟଂତ ସାନ ହୋଇ ଚଳେ

 

ବଡ଼ ଅକ୍ଷର ତଳେ ସାନ

ପାଇଲେ ନିମ୍ନସ୍ଥ ଆସନ

ଯୁକ୍ତାକ୍ଷର ହୁଏ ଅସ୍ପଷ୍ଟ

ପାଠକ ପାଏ ଚକ୍ଷୁକଷ୍ଟ

 

*କଂଟ* ଓ *କଂଠ* ଦେଲେ ଲେଖି

*ଟ* ଓ *ଠ* ପାରୁଁ ସଫା ଦେଖି

ତେବେ ବି ଲେଖିବାକୁ ଡର

କେଜାଣେ କାହିଁକି କାହାର

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Comments are closed.