Latest Odisha News

BREAKING NEWS

ଭୀମଟାଙ୍ଗୀ ପ୍ରିୟଙ୍କା ମର୍ଡର ମିଷ୍ଟ୍ରିର ଖୋଲିବ ଗୁମର, ଅଭିଯୁକ୍ତ ଜଗନ୍ନାଥକୁ ଜେରା

ଭୁବନେଶ୍ୱର: ଖୋଲିବ ଭୁବନେଶ୍ୱର ଭୀମଟାଙ୍ଗୀରେ ଭଡ଼ାଘରେ ମହିଳାଙ୍କୁ ନିର୍ମମ ହତ୍ୟାର ଗୁମର । ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ହତ୍ୟା ପଛର କାରଣ କହିବ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ସେ ସୁସ୍ଥ ହୋଇ ଭୁବନେଶ୍ୱର ଏମ୍ସରୁ ଡିସଚାର୍ଜ ହେବା ପରେ ତାକୁ ଜେରା କରୁଛି ଏୟାରଫିଲ୍ଡ ଥାନା ପୋଲିସ । କାହିଁକି ଓ କେମିତି ପ୍ରିୟଙ୍କାଙ୍କୁ ହତ୍ୟା କଲା ସେବାବଦରେ ତାକୁ ପଚରାଉଚରା ଚାଲିଛି । ଏହାପରେ ଅଭିଯୁକ୍ତ ଜଗନ୍ନାଥକୁ କୋର୍ଟ ଚାଲାଣ କରିବ ପୋଲିସ ।

କିଛି ଦିନ ତଳେ ଭୁବନେଶ୍ୱର ଭୀମଟାଙ୍ଗୀରେ ଭଡ଼ାଘରେ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ଅଭିଯୁକ୍ତ ଜଗନ୍ନାଥ ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଛୁରୀରେ ହାତକୁ ବି କାଟି ଦେଇଥିଲା । ଗୁରୁତର ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲ ଓ ହାତର ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି, ବିବାହ ପୂର୍ବରୁ ପ୍ରିୟଙ୍କାଙ୍କୁ ଭଲ ପାଉଥିଲା ଜଗନ୍ନାଥ । ଉଭୟଙ୍କ ଭିତରେ ସମ୍ପର୍କ ଥିଲା । ଲକଡାଉନ୍ ପରେ ଉଭୟଙ୍କ ଭିତରେ ପୁଣି ବଢିଥିଲା ସମ୍ପର୍କ । କୌଣସି କାରଣକୁ ନେଇ ସେମାନଙ୍କ ଭିତରେ ତିକ୍ତତା ଥିଲା । ପ୍ରତିଶୋଧ ପରାୟଣ ହୋଇ ପ୍ରିୟଙ୍କାଙ୍କୁ ହତ୍ୟା କରିଛି ଜଗନ୍ନାଥ ।

ପ୍ରିୟଙ୍କା-ଜଗନ୍ନାଥ ସମ୍ପର୍କରେ ତିକ୍ତତାର କାରଣ କଣ ? କାହିଁକି ଏମିତି ପ୍ରତିଶୋଧ ପରାୟଣ ହେଲା ଜଗନ୍ନାଥ ? କଣ ପାଇଁ ପ୍ରିୟଙ୍କାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ଏସବୁ ପ୍ରଶ୍ନର ଉତ୍ତର ଜଗନ୍ନାଥ ମୁହଁରୁ ବାହାର କରିବ ପୋଲିସ । ହତ୍ୟାକାଣ୍ଡ ପଛର ଗୁମର ଖୋଲିବ ଜଗନ୍ନାଥ ।

Leave A Reply

Your email address will not be published.