Latest Odisha News

BREAKING NEWS

ଝଲସୁଛି କୁଆଖାଇ ପଠା, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଦୋଳି ଖେଳି ବାଲିଯାତ୍ରାର ମଜା ନେଉଛନ୍ତି ଭୁବନେଶ୍ଵର ବାସୀ

ଭୁବନେଶ୍ଵର: ଆକାଶରେ ଉଡୁଛି ରଙ୍ଗ ବେରଙ୍ଗର ବେଲୁନ । ତଳେ ବିଛେଇ ହୋଇପଡିଛି ସତେ ଯେପରି ଘାସର ଗାଲିଚା । ସୁନ୍ଦର ସୁନ୍ଦର କୃତିମ ଗଛ, ଫୁଲଦାନୀ ନେବାକୁ ଲାଗିଛି ଲୋକଙ୍କ ଭିଡ । ତା’ ଭିତରେ ଚଟପଟା ଖାଇବର ମଜା । ଇଏ ହେଉଛି ଆମ ରାଜଧାନୀ ଭୁବନେଶ୍ଵରର ବାଲିଯାତ୍ରା ପଡିଆ । ବାଲିଯାତ୍ରା ଆରମ୍ଭ ହେବା ଦିନ ଠାରୁ ପ୍ରତ୍ୟକ ଦିନ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ । ଚଟପଟା ଖାଇବା ସାଙ୍ଗକୁ ବିଭିନ୍ନ ଦୋଳିର ମଜା ନେଉଛନ୍ତି ଭୁବନେଶ୍ଵରବାସୀ । ତା’ସହ ମନ ମୋହୁଛି ସେଲିବ୍ରିଟି ମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସଂଜ ନଇଁଲେ ଲୋକାରଣ୍ୟ ହୋଇ ପଡୁଛି ବାଲିଯାତ୍ରା ପଡିଆ ।

କୁଆଖାଇ କୂଳରେ ବାଲିଯାତ୍ରାର ମଜା ଉଠାଉଛନ୍ତି ରାଜଧାନୀ ବାସୀ । ପ୍ରାୟ ହଜାରେରୁ ଉର୍ଦ୍ଧ୍ଵ ଷ୍ଟଲ ଲାଗିଥିବା ବେଳେ ସଂନ୍ଧ୍ୟା ସମୟରେ ଦେଖିବାକୁ ମିଳୁଛି ଲୋକଙ୍କ ସମାଗମ । ଦର୍ଶକ ମାନଙ୍କୁ ଆକର୍ଷିତ କରୁଛି ଓଲିଉଡ, ବଲିଉଡ କଳାକାରଙ୍କ ନୃତ୍ୟ ସହ ଗୀତ ଓ ଲୋକକଳା ସାଂସ୍କୃତିକ କାର୍ଯ୍ୟକ୍ରମ । କଟକ ବାଲିଯାତ୍ରାଠାରୁ କୁଆଖାଇ ପଠାରେ ଲୋକଙ୍କ ସଂଖ୍ୟା କମ୍ ଥିବା ସହ ପ୍ରଦୂଷଣ କମ୍ ଥିବାରୁ ଭୁବନେଶ୍ଵରରେ ଆୟୋଜିତ ବାଲିଯାତ୍ରାକୁ ମନଭରି ଉପଭୋଗ କରୁଛନ୍ତି ରାଜଧାନୀ ବାସୀ ।

ଛୋଟ ଛୋଟ ଖେଳଣା ଠାରୁ ଆରମ୍ଭ କରି ଘର ଉପକରଣ ସବୁକୁ କିଣି ନେଇଯାଉଛନ୍ତି ଲୋକେ । କିନ୍ତୁ ଏସବୁ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମିଲେଟ ଖାଦ୍ୟ ସହ ଇକୋ ଫ୍ରେଣ୍ଡଲି କାଠରେ ପ୍ରସ୍ତୁତ ଅରଗାନିକ ଜିନିଷ । ମିଲେଟରେ ପ୍ରସ୍ତୁତ ଛତୁଆ, ପାମ୍ପଡ, ଆଚାର, ଚକୋଲେଟ, ମିକ୍ସଚର ଇତ୍ୟାଦି ଲୋକଙ୍କୁ ଆକର୍ଷିତ କରିଛି । ଯିଏ ଯେତେ ପାରୁଛି ଘର ପାଇଁ କିଣି ନେଉଛନ୍ତି । ସେପରି କାଠରେ ପ୍ରସ୍ତୁତ ପାଣି ବୋତଲ ଠାରୁ ଆରମ୍ଭ କରି ଦାନ୍ତ ଘଷିବା ପାଇଁ ବ୍ରସ ମଧ୍ୟ ମିଳୁଛି ଏଠାରେ । ଯାହା ବାଲିଯାତ୍ରାର ଅନ୍ୟ ଏକ ଆକର୍ଷଣ ସାଜିଛି ।

ଶୀତୁଆ ସଂନ୍ଧ୍ୟାରେ ଲୋକାରଣ୍ୟ ପରିବେଶରେ ଦୋଳି ଖେଳିବା ସହ ଚଟପଟା ଖାଇବାର ମଜା ହିଁ କିଛି ନିଆରା । ଯାହାକୁ ମନଭରି ଉପଭୋଗ କରୁଛନ୍ତି ଲୋକେ । ସେ ଆଇସକ୍ରିମ ହେଉ କି ଗୁପଚୁପ, ଚାଉମିନ ହେଉ କି ଠୁଙ୍କାପୁରୀ । ସବୁଠି ଲାଗିଛି ଲୋକଙ୍କ ଭିଡ । ଆଉ ତା ଭିତରେ କିନ୍ତୁ ରାଜ କରୁଛି ଲଙ୍କା ଚପ୍ କୁ କଟଲେଟ ଆଉ ମଥୁରା କେକ । ଯିଏ ଯାହା ଖାଉ ପଛେ କିନ୍ତୁ ଲଙ୍କା ଚପ୍ ନ ଖାଇଲେ ସତେ ଯେପରି ଯାତ୍ରା ବୁଲିବା ଅଧୁରା ପରି ଲାଗେ । ତେବେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ସହ ବିଡିଆ ପାନକୁ ଖାଇ ଖୁସିରେ ଘରକୁ ଫେରୁଛନ୍ତି ଲୋକେ ।

ଅନ୍ୟପଟେ ନଭେମ୍ବର ୨୭ରୁ ଆରମ୍ଭ ହୋଇ ଡିସେମ୍ବର ୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବାଲିଯାତ୍ରାରେ ଭୁବନେଶ୍ଵର ବାଲିଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସ୍ଵାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ସହ ପୋଲିସ ପ୍ରଶାସନର ସହଯୋଗରେ ସବୁପ୍ରକାର ବ୍ୟବସ୍ଥା କରାଯାଇଛି । ମୁଖ୍ୟତଃ ଟ୍ରାଫିକ ସମସ୍ୟା ଯେପରି ସୃଷ୍ଟି ନହେବ ସେଥିପ୍ରତି ଗୁରୁତ୍ଵ ଦିଆଯାଉଥିବା ବେଳେ ସୁରକ୍ଷା, ପାନୀୟ ଜଳ, ଅଗ୍ନିଶମ, ଓଡ୍ରାଫ, ପରିମଳ ଆଦି ବିଷୟକୁ ପ୍ରାଧାନ୍ୟ ଦିଆଯାଉଛି ।

 

Leave A Reply

Your email address will not be published.