Latest Odisha News

BREAKING NEWS

ରାଜଧାନୀର ବର୍ଷା ୭୧ ବର୍ଷର ରେକର୍ଡ ଭାଙ୍ଗିଲା

ଭୁବନେଶ୍ୱର:ରାଜଧାନୀର ବର୍ଷା ରେକର୍ଡ ଭାଙ୍ଗିଲା । ଭୁବନେଶ୍ୱରରେ ଅଗଷ୍ଟମାସର ବର୍ଷା ୭୧ ବର୍ଷର ରେକର୍ଡ ଭାଙ୍ଗିଛି।  ଟୁଇଟ କରି ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି । ୧୯୫୨ରେ ଅଗଷ୍ଟରେ ସର୍ବାଧିକ ବର୍ଷା ହୋଇଥିଲା । ହେଲେ ୨୦୨୩ ଅଗଷ୍ଟମାସର ବର୍ଷା ସେହି ରେକର୍ଡ  ଭାଙ୍ଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୨୫୯.୨ ମିଲିମିଟର ବର୍ଷା ହୋଇଯାଇଛି । ଏହା ଚଳିତ ମାସର ସର୍ବାଧିକ ବର୍ଷା  ଯାହା ପୂର୍ବ ରେକର୍ଡ ଭାଙ୍ଗିଛି । ୧୯୫୨ ପରେ ୧୯୯୭ ଅଗଷ୍ଟ ୨୦ରେ  ସର୍ବାଧିକ ବର୍ଷା ୨୫୪.୨ ମିଲିମିଟର ହୋଇଥିବା ରେକର୍ଡ କରାଯାଇଥିଲା  ।

ଭୁବନେଶ୍ୱରରେ ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ସର୍ବାଧିକ ୧୮୬ ମିଲି ମିଟର ବର୍ଷା ହୋଇଥିଲା । ପରେ ରାତି ସାଢେ ୮ଟା ବେଳକୁ ବର୍ଷା ପରିମାଣ ବୃଦ୍ଧି ପାଇ ଏହା ୨୫୮ ମିିମି ଛୁଇଁଥିଲା । ଚଳିତ ମୌସୁମୀରେ ଏହା ସର୍ବାଧିକ ବର୍ଷା ବୋଲି କୁହାଯାଉଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର, ପୁରୀ, କଟକରେ ସର୍ବାଧିକ ବର୍ଷା ହୋଇଯାଇଛି । ଗତକାଲିର ବର୍ଷରେ ବେହାଲ ହୋଇଯାଇଛି ରାଜଧାନୀ ଅବସ୍ଥା । ରାସ୍ତାଘାଟ ଜଳାର୍ଣ୍ଣବ । ଯୁଆଡେ ଚାହିଁବ ଖାଲି ପାଣିର ସୁଅ ।  ଝୁମ୍ପୁଡି ଘର ନୁହେଁ ଆପାର୍ଟମେଣ୍ଟ ଭିତରେ ବି ପଶି ଯାଇଛି ପାଣି । ରାଜଧାନୀର ଅନେକ ସ୍ଥାନରେ ବଡ ବଡ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଆଜି ସକାଳୁ ଗଛ କାଟି ରାସ୍ତା ସଫା କରାଯାଇଛି ।

ବଙ୍ଗୋପସାଗରରୁ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି । ଉତ୍ତରପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହୋଇଛି । ଏହା ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗଭୀର ଅବପାତରେ ପରିଣତ ହେଲା ପରେ ଏହା  ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାଂଲାଦେଶର ଖେପୁପୁରା  ଉପକୂଳ ଆଡକୁ ଗତି କରିବ ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରି ପଶ୍ଚିମ ବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ଆଗକୁ ଆହୁରି ବର୍ଷା ସମ୍ଭାବାନ ରହିଛି । ଫଳରେ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଟ୍ରାଫିକ ସମସ୍ୟା ଦେଖା ଦେବ । ଏଥିପ୍ରତି ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.