ଜମି ଜାଲିଆତି ମାମଲାରେ କାର୍ଯ୍ୟାନୁଷ୍ଠାନ: ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟରୁ ବହିଷ୍କୃତ, ଦୁଇ ରାଜସ୍ୱ ଅଧିକାରୀ ନିଲମ୍ବିତ
ଭୁବନେଶ୍ୱର: ଖୋରଧା ଜିଲ୍ଲା ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଜମି ପଞ୍ଜୀକରଣ ସମ୍ବନ୍ଧୀୟ କଥିତ ଜାଲିଆତି ମାମଲାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଡ଼ଗଡ଼ ପୋଲିସ ଡାଟା ଏଣ୍ଟ୍ରି ଅପରେଟର ପ୍ରୟାଗ ଗୌଡ଼ଙ୍କୁ ଗିରଫ କରିବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଦୁଇ ରାଜସ୍ୱ ଅଧିକାରୀ ନିଲମ୍ବିତ ହୋଇଛନ୍ତି।
ସେ ଉକ୍ତ କାର୍ଯ୍ୟାଳୟରେ ଅନ୍ୟ ଏକ ଠିକା ସଂସ୍ଥା ଦ୍ୱାରା ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବାରୁ ଉକ୍ତ ସଂସ୍ଥାକୁ ତାଙ୍କୁ ଏଠାରୁ ବହିଷ୍କୃତ କରିବା ପାଇଁ ଖୋରଧା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି। ଜାଲିଆତି ମାମଲାରେ ସଂପୃକ୍ତ କନିଷ୍ଠ ରାଜସ୍ୱ ସହାୟକ ଅମୀୟ ରଞ୍ଜନ କର ଏବଂ ବରିଷ୍ଠ ରାଜସ୍ୱ ସହାୟକ ଉମେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ନିଲମ୍ବନ କରାଯାଇଛି।
ଏହି ନିଲମ୍ବନ ଅବଧି ସମୟରେ ଉଭୟ କର୍ମଚାରୀ ଖୋରଧା ଡେପୁଟି କଲେକଫର (ରାଜସ୍ୱ)ଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ହେବେ ଏବଂ ବିନା ଅନୁମତିରେ ମହକୁମା ଛାଡ଼ି ପାରିବେ ନାହିଁ ବୋଲି ଜିଲ୍ଲା ନିବନ୍ଧକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ଜାଲ୍ ଜମି କାଗଜପତ୍ର ବ୍ୟବହାର କରି ଜଣେ ଡାକ୍ତରଙ୍କୁ ୧.୫ କୋଟି ଟଙ୍କା ଠକେଇ କରାଯାଇଥିବା ଘଟଣା ସାମ୍ନାକୁ ଆସିବା ପରେ ଏହି ଜମି ଠକେଇ ମାମଲା ପଦାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଏହି ଠକେଇରେ ଭୁବନେଶ୍ୱର ଉପ-ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ (Sub-Registrar’s Office) ସହ ଜଡ଼ିତ କର୍ମଚାରୀ ଏବଂ ଦୁଇ ଜଣ ଦଲାଲ ସାମିଲ ଅଛନ୍ତି।
ଏକ ଅଭିଯୋଗ ଆଧାରରେ, ବଡ଼ଗଡ଼ ପୋଲିସ ଏହି ମାମଲାରେ ଜଣେ ଡାଟା ଏଣ୍ଟ୍ରି ଅପରେଟର ଏବଂ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି। ଏହି ଠକେଇର ପରିସର କେତେ ବ୍ୟାପକ ଏବଂ ଏଥିରେ ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଜାରି ରହିଛି।
