Latest Odisha News

BREAKING NEWS

୨୦୨୭ ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ ସାରିବା ଲକ୍ଷ୍ୟ: ମନ୍ତ୍ରୀ

ଭୁବନେଶ୍ବର: ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରାଯିବ। ବର୍ତମାନ ସୁଦ୍ଧା ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି ମଞ୍ଜୁର ହୋଇଥିବା ବେଳେ ୨୦୨୪-୨୫ରେ ୧ ହଜାର କୋଟି ମଞ୍ଜୁର କରାଯାଇଛି । ୪ ବର୍ଷ ଅର୍ଥାତ୍ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସାରିବା ଲକ୍ଷ୍ୟ ରଖାଯାଇଥିବା ଆଜି ବିଧାନସଭାରେ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ସହ ପରାମର୍ଶଦାତା ଭାବେ ଏକ ଚୁକ୍ତିନାମା ସ୍ବାକ୍ଷର କରାଯାଇଛି । ଟ୍ରାଫିକ୍ ଡାଇଭର୍ସନ ଯୋଜନା ଟ୍ରାଫିକ୍ ପୁଲିସ ଓ ଏ ସମ୍ବନ୍ଧୀୟ ଅନ୍ୟାନ୍ୟ ଅଧିକାରୀଙ୍କ ସମନ୍ବୟରେ କାର୍ଯ୍ୟକାରୀ କରାଯିବ । ଆସନ୍ତା ଚାରି ବର୍ଷ ମଧ୍ୟରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ କହିଛନ୍ତି।

ସେହିପରି, ପ୍ରାରମ୍ଭିକ ପର୍ଯ୍ୟାୟରେ ଡିପିଆର କାର୍ଯ୍ୟ ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଖୋଳା ଯାଇ ମାଟି ପରୀକ୍ଷା କରାଯାଇଛି । ୫୦ ରୁ ୬୦ ଫୁଟ୍ ତଳୁ ମାଟି ନେଇ ଲ୍ୟାବରେ ଚାଲିଛି ପରୀକ୍ଷା । ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ କାମ ।

ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଟ୍ରେନ୍‌ । ରାଜମହଲ, ଜୟଦେବବିହାର ଓ ବାରଙ୍ଗରେ ରହିବ ଅଧିକ ଉଚ୍ଚତା । ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମୋଟ୍ରୋ ଚାଲିବ । ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ରଖାଯାଇଥିବା କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Comments are closed.