ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ। କଂସ ଭୂମିକା ପାଇଁ ସେ ମନୋନୀତ ହୋଇଛନ୍ତି। ଉତ୍ତମ ଅଭିନୟ ଓ ଉଚ୍ଚକୋଟୀର ସଂଳାପ ପାଇଁ ସେ ଅନ୍ୟ ତିନି ଜଣଙ୍କୁ ପଛରେ ପକାଇଛନ୍ତି। ଭୁବନେଶ୍ୱର ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିଛନ୍ତି। ଶେଷଥର ପାଇଁ ସେ ୨୦୨୦ରେ କଂସ ଭୂମିକାରେ ଅଭିନୟ କରିଥିଲେ।
ପୁଣି ଥରେ ସମାନ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ପାଇବା ପରେ ସେ କହିଛନ୍ତି, ଏଥର ସୁଯୋଗ ମିଳିଥିବାରୁ ମୁଁ ଆନନ୍ଦିତ ଓ ଗର୍ବିତ। ଧନୁଯାତ୍ରା ପାଇଁ ଆଉ ମାସେ ସମୟ ଅଛି। ନୂତନ ସଂଳାପ, ନୂତନ ଅଭିନୟ ଓ ନୂତନ ପୌରାଣିକ କଥାବସ୍ତୁକୁ ନେଇ ଏଥର କମ୍ପିବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ।
୭୭ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।
ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ଧରି ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ଭୋଇ । ସରକାରୀ ଚାକିରି କରୁଥିବା ହୃଷିକେଶ ଭୋଇ ଲାଞ୍ଚ ନେଇ ନିଲମ୍ବିତ ହେବା ପରେ ତାଙ୍କୁ ଏଥର କଂସ ଭୂମିକାରେ ଅଭିନୟ କରିବାକୁ ଅନୁମତି ଦେଇନଥିଲା ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି। ସେ ଦୋଷ ମୁକ୍ତ ହୋଇନଥିବାରୁ ଏଥର ଅଭିନୟ କଲେ ଧନୁଯାତ୍ରାର ମର୍ଯ୍ୟାଦା ଓ ଗାରିମା ନଷ୍ଟ ହେବ ବୋଲି କମିଟି କହିଥିଲା।
କମିଟି ନିଷ୍ପତ୍ତି ଅନୁସାରେ, ଏଥର କେବଳ ଗୋଟିଏ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବା ପାଇଁ କଳାକାର ବଛା ଯାଇଥିବାରୁ ପୂର୍ବଭଳି ଚୟନ କରାଯାଇନଥିଲା। ୨୦୨୨ କଂସ ଚୟନ ପ୍ରକ୍ରିୟାରେ ଭାଗ ନେଇ ୨ରୁ ୫ ନମ୍ବର ସ୍ଥାନରେ ରହିଥିବା ୪ କଳାକାରଙ୍କୁ ପ୍ରତିଯୋଗିତା ପାଇଁ ଡକା ଯାଇଥିଲା। ଆଉ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ପ୍ରଧାନ ମନୋନୀତ ହୋଇଛନ୍ତି।
Comments are closed.