ଭୁବନେଶ୍ବର:ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ପାଉଥିବା ବୃଦ୍ଧ, ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ଆଉ ଖରାରେ ବାହାରକୁ ଆସିବାକୁ ପଡ଼ିବ ନାହିଁ । ଏଣିକି ସେମାନଙ୍କୁ ସେମାନଙ୍କ ଘର ଦୁଆରମୁହଁରେ ଭତ୍ତା ଯୋଗାଇ ଦିଆଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଜରୁରୀକାଳୀନ ଚିଠି ଲେଖିଛନ୍ତି ।
ଏହି ଚିଠିରେ କୁହାଯାଇଛି ଯେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ରୁ ୪୫ ଡିଗ୍ରୀ ସେଲସିଅସ୍ ମଧ୍ୟରେ ପହଞ୍ଚିଥିବା ବେଳେ ଉପକୂଳ ଅଞ୍ଚଳରେ ଅତ୍ୟଧିକ ଆର୍ଦ୍ରତା ସହ ଗୁଳୁଗୁଳି ପରିସ୍ଥିତି ଗଭୀର ରୂପ ନେଇଛି। ଏହି ପରିସ୍ଥିତିରେ ପ୍ରତିମାସ ୧୫ ତାରିଖରେ ହେଉଥିବା ଭତ୍ତା ବଣ୍ଟନ ସମୟରେ ଲୋକମାନଙ୍କ ଉପରେ ଗୁରୁତର ପ୍ରଭାବ ପଡ଼ିପାରେ। ସରକାରଙ୍କ ଆଶଙ୍କା ଯେ, ଭତ୍ତା କେନ୍ଦ୍ରକୁ ଆସିବା ସମୟରେ ହିତାଧିକାରୀମାନେ ଅଂଶୁଘାତ, ଡିହାଇଡ୍ରେସନ୍ କିମ୍ବା ହିଟ୍ ଏକ୍ସହଷ୍ଟିଅନର ଶିକାର ହୋଇପାରନ୍ତି ।
ଏହିପରି ପରିସ୍ଥିତିରେ ସମସ୍ତ ଜିଲ୍ଲା ପ୍ରଶାସନକୁ ବଣ୍ଟନ କେନ୍ଦ୍ରରେ ପିଇବା ପାଣି, ORS ପ୍ୟାକେଟ ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି।
ଏଥିସହ ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ ଓ ଅସହାୟ ହିତାଧିକାରୀଙ୍କ ପାଇଁ ଘରେ ଘରେ ଭତ୍ତା ପହଞ୍ଚାଇବାକୁ ବିଶେଷ ଭାବେ ନିର୍ଦ୍ଦେଶ ଦିଆଯାଇଛି।
Comments are closed.