ଭୁବନେଶ୍ୱର: ରାଜ୍ୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଗ୍ରାମ ରୋଜଗାର ସେବକ (ଜିଆରଏସ୍) ମାନଙ୍କ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ଜିଆରଏସ୍ଙ୍କ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି ତଥ୍ୟ ଆଧାରରେ ଏକ କେନ୍ଦ୍ରୀକୃତ ଡାଟାବେସ୍ ପ୍ରସ୍ତୁତ କରାଯିବ, ଯାହା ଭବିଷ୍ୟତରେ ସେମାନଙ୍କ ସେବା ସମ୍ବନ୍ଧୀୟ ନୀତି ନିର୍ଦ୍ଧାରଣ ଓ ପ୍ରଶାସନିକ ପରିଚାଳନାରେ ସହାୟକ ହେବ।
ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ‘ଅତ୍ୟନ୍ତ ଜରୁରୀ’ ଭିତ୍ତିରେ ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ କୁହାଯାଇଛି। ଚିଠି ପ୍ରାପ୍ତିର ୧୫ ଦିନ ମଧ୍ୟରେ ସମସ୍ତ ଜିଲ୍ଲାରୁ ଜିଆରଏସ୍ଙ୍କ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଥ୍ୟଗୁଡ଼ିକୁ କେବଳ ହାର୍ଡ କପି ନୁହେଁ, ବରଂ ଏଡିଟେବଲ୍ ଏମ୍ଏସ୍ ଏକ୍ସେଲ୍ ଫର୍ମାଟରେ ଇ-ମେଲ୍ ଯୋଗେ ମଧ୍ୟ ପଠାଇବାକୁ କୁହାଯାଇଛି।
ଜିଆରଏସ୍ମାନଙ୍କର ସମ୍ପୂର୍ଣ୍ଣ ସେବାକାଳର ଇତିହାସ ଜାଣିବା ପାଇଁ ସରକାର ଏକ ବିସ୍ତୃତ ଫର୍ମାଟ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ମୁଖ୍ୟତଃ ନିମ୍ନଲିଖିତ ତଥ୍ୟଗୁଡ଼ିକ ରହିଛି: ଜିଆରଏସ୍ଙ୍କ ନାମ ଓ ସାମାଜିକ ବର୍ଗ। ଶିକ୍ଷାଗତ ଯୋଗ୍ୟତା। ପ୍ରଥମ ନିଯୁକ୍ତି ତାରିଖ ଓ ମୋଟ ସେବାକାଳ। ବର୍ତ୍ତମାନ କାର୍ଯ୍ୟରତ ବ୍ଲକ ଓ ଗ୍ରାମ ପଞ୍ଚାୟତର ନାମ। କାର୍ଯ୍ୟସ୍ଥିତି (କାର୍ଯ୍ୟରତ, ନିଲମ୍ବିତ କିମ୍ବା ଅବ୍ୟାହତ)। ସେବାରେ ନିରବଚ୍ଛିନ୍ନତା ସମ୍ପର୍କିତ ସୂଚନା ଓ ଆବଶ୍ୟକ ମନ୍ତବ୍ୟ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପରେ ରାଜ୍ୟର ଜିଆରଏସ୍ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ଯୋଗ୍ୟ ଜିଆରଏସ୍ଙ୍କୁ ଆକାଉଣ୍ଟାଣ୍ଟ-ତଥା-ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଭାବେ ନିୟୋଜିତ କରିବା ପ୍ରସଙ୍ଗରେ ଏଭଳି ତଥ୍ୟର ଆବଶ୍ୟକତା ପଡ଼ିଥିଲା। ଏବେ ଏହାକୁ ଏକ ସ୍ଥାୟୀ ଡାଟାବେସ୍ରେ ସଂରକ୍ଷଣ କରିବାକୁ ପ୍ରୟାସ କରାଯାଉଥିବାରୁ, ଆଗାମୀ ଦିନରେ ସରକାର ସେମାନଙ୍କ ସ୍ଥାୟୀକରଣ କିମ୍ବା ପଦୋନ୍ନତି ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା କରାଯାଉଛି।
Comments are closed.